ପୃଷ୍ଠା:Odisha Itihasa.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହିିଥିଲା- ଯାହା ଦୀର୍ଘସ୍ଥାୟୀ ହୋଇପାରିଲା ନାହିଁ । ଯୁଜବେକ ୧୨୫୭ରେ କାମରୂପ ଅଭିଯାନ ବେଳେ ହତ୍ୟାର ଶିକାର ହେଲେ । ଫଳରେ ପାଲଟା ଓଡ଼ିଶା ଆକ୍ରମଣପାଇଁ ତାଙ୍କ ସେନାକୁ ସୁବିଧା ମିଳିଲା ନାହିଁ । ଅନ୍ୟ ଶବ୍ଦରେ କହିଲେ, ପ୍ରଥମ ନରସିଂହଦେବଙ୍କ ସମୟରେ ଓଡ଼ିଶା ବଙ୍ଗର ମୁସଲମାନ ଶାସକମାନଙ୍କ ଆକ୍ରମଣରୁ ନିଜକୁ ମୁକ୍ତ ରଖିପାରିିଥିଲା ।

ପ୍ରଥମ ନରସିଂହଦେବ କୋଣାର୍କର ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ ଓଡ଼ିଶାର ବାର ବର୍ଷର ରାଜସ୍ୱ କୋଣାର୍କ ନିର୍ମାଣରେ ବ୍ୟୟ ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ ଧରି ଚାଲିଥିଲା ଏବଂ ୧୨ ଶହ ବଢ଼େଇ ନିର୍ମାଣରେ ନିୟୋଜିତ ଥିଲେ । ପୁଣି, ୧୨ ବର୍ଷର ବାଳକ ଧର୍ମପଦ ଏହି ମନ୍ଦିରର ମୁଣ୍ଡି ମାରିିଲା । ସମ୍ଭବତଃ କିମ୍ବଦନ୍ତୀରେ ୧୨ ଅଙ୍କର ବ୍ୟବହାର ଏକ ପ୍ରତୀକ ମାତ୍ର । ଏହା ବହୁ ଅର୍ଥ ଓ ପରିଶ୍ରମରେ ନିର୍ମିତ କୋଣାର୍କ ମନ୍ଦିରର ମହାନତାକୁ ପ୍ରଦର୍ଶନ କରାଏ । କୋଣାର୍କ ବ୍ୟତୀତ ବାଲେଶ୍ୱରର ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥ ଓ ଲିଙ୍ଗରାଜ ମନ୍ଦିରର ଭୋଗମଣ୍ଡପ ମଧ୍ୟ ପ୍ରଥମ ନରସିଂହଦେବଙ୍କ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା । ତାଙ୍କ ରାଜକବି ବିଦ୍ୟାଧର "ଏକାବଳୀ' ନାମକ କାବ୍ୟ ରଚନା କରିଥିଲେ । ମୋଟ ଉପରେ ଇତିହାସରେ ପ୍ରଥମ ନରସିଂହ ଦେବଙ୍କୁ ଏକା ସାଙ୍ଗରେ ଜଣେ ଯୋଦ୍ଧା, ସାହିତ୍ୟରସିକ ଓ ସ୍ଥାପତ୍ୟର ପୃଷ୍ଠପୋଷକ ଭାବରେ ଗଣନା କରାଯାଏ । ଚୋଡ଼ଗଙ୍ଗଦେବଙ୍କ ପରେ ଗଜପତି ଉପାଧି ଧାରଣ କରିବାରେ ସେ ହେଉଛନ୍ତି ପ୍ରଥମ ଗଙ୍ଗରାଜା । ତାଙ୍କ ପରେ କେବଳ ଗଙ୍ଗରାଜା ନୁହନ୍ତି, ସୂର୍ଯ୍ୟବଂଶର ରାଜାମାନେ ମଧ୍ୟ ଗଜପତି ଉପାଧି ଗ୍ରହଣ କରି ନିଜକୁ ଗୌରବମଣ୍ଡିତ କରୁଥିଲେ ।

ମାଦଳାପାଞ୍ଜିରେ ପ୍ରଥମ ନରସିଂହଦେବଙ୍କ ବଙ୍ଗ ଆକ୍ରମଣ କଥା ଉଲ୍ଲେଖ ନାହିଁ । ଓଡ଼ିଶା ଇତିହାସର ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଘଟଣାକୁ ମାଦଳାପାଞ୍ଜି ଉଲ୍ଲେଖ କରିନଥିବାରୁ ଐତିହାସିକମାନେ ମନେକରନ୍ତି ଯେ, ମାଦଳାପାଞ୍ଜି ଗଙ୍ଗବଂଶର ରାଜତ୍ୱ ପରେ ଲେଖାଯାଇଥିଲା । ଘଟିତ ଘଟଣାଗୁଡ଼ିକୁ ଏଥିରେ ବର୍ଣ୍ଣନା କରାଯାଇଥିବାରୁ, ଐତିହାସିକ ତଥ୍ୟ ପ୍ରମାଣ ଭାବେ ତାହାକୁ ବ୍ୟବହାର କଲାବେଳେ ଗବେଷକମାନଙ୍କୁ ଯୋଥୋଚିତ ଧ୍ୟାନ ଦେବାକୁ ପଡେ । ଏଥିରେ ଉଲ୍ଲିଖିତ 'ସତ୍ୟ' ଯେ ସର୍ବଦା ସତ୍ୟ ହୋଇନପାରେ- ଏହା ବିଚାର କରିବାକୁ ପଡ଼େ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ମାଦଳାପାଞ୍ଜି ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଲେଖା ଯାଇଥିଲା । ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବ (୧୫୮୦-୧୬୦୯)ଙ୍କୁ ଯେତେବେଳେ ମୋଗଲ ସେନାପତି ମାନସିଂହ ଖୋର୍ଦ୍ଧାରେ ରାଜତ୍ୱ କରିବାପାଇଁ ମନୋନୀତ କଲେ, ସେତେବେଳଠାରୁ ଧାରାବାହିକ ଭାବରେ ମାଦଳାପାଞ୍ଜି ଲେଖା ଆରମ୍ଭ ହେଲା । କୁହାଯାଏ, ଖୋର୍ଦ୍ଧା ଓ ପୁରୀର ରାଜଗାଦିପାଇଁ ନିଜର ଦାବିକୁ ଯୁକ୍ତିସଙ୍ଗତ କରିବା ସକାଶେ ରାମଚନ୍ଦ୍ର ଦେବ ମାଦଳାପାଞ୍ଜିକୁ ଏକ ଦସ୍ତାବିଜ ଭାବେ ମୋଗଲମାନଙ୍କ ଆଗରେ ପ୍ରସ୍ତୁତ କରିଥିଲେ । ଗଙ୍ଗକାଳୀନ ଦସ୍ତାବିଜ ଭାବରେ ଏହାକୁ ଗ୍ରହଣ କରିବା ଉଚିତ୍‍ ହେବ ନାହିଁ । ମାଦଳା ପାଞ୍ଜିରେ ଚୋଡ଼ଗଙ୍ଗଙ୍କୁ ଚୋରଗଙ୍ଗ ଭାବରେ ନାମିତ କରି କୁହାଯାଇଛି ଯେ, ସେ{{right|ଓଡ଼ିଶା ଇତିହାସ . ୭୫