ପୃଷ୍ଠା:Odisha Itihasa.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଥମ ଭାନୁଦେବଙ୍କ ପରେ ଦ୍ୱିତୀୟ ନରସିଂହ ଦେବ (୧୨୭୯-୧୩୦୬) ଏବଂ ତାଙ୍କ ପରେ ଦ୍ୱିତୀୟ ଭାନୁଦେବ (୧୩୦୬-୧୩୨୮) ରାଜତ୍ୱ କଲେ । ଦ୍ୱିତୀୟ ଭାନୁଦେବଙ୍କ ସମୟରେ ଦିଲ୍ଲୀ ସୁଲତାନ ଗିୟାସୁଦ୍ଦିନ ତୁଘଲକଙ୍କ ପୁତ୍ର ଉଲୁଘ ଖାନ୍‍ ଓ୍ୱାରଙ୍ଗଲ ଯୁଦ୍ଧ ଅଭିଯାନରୁ ଫେରିବା ବାଟରେ ଓଡ଼ିଶା ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଥିଲେ । ରାଜମହେନ୍ଦ୍ରୀରୁ ଓଡ଼ିଶା ଅଭିମୁଖେ ତାଙ୍କ ସୈନ୍ୟ ଆସିବା ପୂର୍ବରୁ ଦ୍ୱିତୀୟ ଭାନୁଦେବଙ୍କ ସେନା ତାଙ୍କୁ ପ୍ରତିରୋଧ କଲେ । ସମକାଳୀନ ମୁସଲିମ ଐତିହାସିକମାନଙ୍କ ବିବରଣୀରେ ଉଲୁଘ ଖାନ୍‍ଙ୍କ ଓଡ଼ିଶା ଆକ୍ରମଣକୁ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇ ନଥିବାରୁ ଉଲୁଘ ଖାନ୍‍ଙ୍କ ଏହି ଯୋଜନା ଅସଫଳ ହୋଇଥିବ ବୋଲି ଅନୁମାନ କରାଯାଏ । ଅନ୍ୟ ପକ୍ଷରେ ଗଙ୍ଗବଂଶର ଅନ୍ୟ ଜଣେ ରାଜା ଚତୁର୍ଥ ନରସିଂହଦେବ, ତାଙ୍କ ପୁରୀ ତାମ୍ର ଶାସନରେ ଉଲୁଘ ଖାନ୍‍ଙ୍କ ବିରୁଦ୍ଧରେ ଦ୍ୱିତୀୟ ଭାନୁଦେବଙ୍କ ସଫଳତାକୁ ଦର୍ଶାଇଛନ୍ତି । ଉଲୁଘ ଖାନ୍‍ ଗିୟାସୁଦ୍ଦିନ ତୁଘଲକଙ୍କ ପରେ ମହମ୍ମଦ ବିନ୍ ତୁଘଲକ ନାମ ବହନ କରି ଦିଲ୍ଲୀର ସୁଲତାନ ପଦରେ ଅଭିଷିକ୍ତ ହୋଇଥିଲେ । ଯୁବରାଜ ଉଲୁଘ ଖାନ ଓ ଗଙ୍ଗ ବାହିନୀ ମଧ୍ୟରେ ଘଟିଥିବା ଯୁଦ୍ଧର ବିବରଣୀ ମିଳି ନାହିଁ । ଏଥିରୁ ଏକଥା ମଧ୍ୟ ଅନୁମାନ କରାଯାଇପାରେ ଯେ, ଆରମ୍ଭରେ ଉଲୁଘ ଖାନ୍‍ ଓଡ଼ିଶା ଆକ୍ରମଣପାଇଁ ପ୍ରସ୍ତୁତି କରି ପରେ ତାକୁ କାର୍ଯ୍ୟକାରୀ କରି ନଥିଲେ । ସୁଲତାନ ହେଲା ପରେ ମହମ୍ମଦ ବିନ୍ ତୁଘଲକ୍‍ ତାଙ୍କର ଅନେକ ଯୋଜନାକୁ ଅଧାପନ୍ତରିଆ କରି ରଖିଦେବାର ଉଦାହରଣ ରହିଛି । ସେ ଯାହାହେଉ, ଓଡ଼ିଶା ସୁଲତାନ ଆକ୍ରମଣରୁ ରକ୍ଷା ପାଇଥିବାରୁ ଗଙ୍ଗବଂଶର ଯେ ଅନେକ ପ୍ରତିଷ୍ଠା ବୃଦ୍ଧି ପାଇଲା- ଏଥିରେ ସନ୍ଦେହ ନାହିଁ ।

ଦ୍ୱିତୀୟ ଭାନୁଦେବଙ୍କ ପରେ କ୍ରମାନ୍ୱୟରେ ତୃତୀୟ ନରସିଂହଦେବ(୧୩୨୮-୧୩୫୨) ଏବଂ ତୃତୀୟ ଭାନୁଦେବ (୧୩୫୨-୧୩୭୮) ରାଜତ୍ୱ କଲେ । ଏହି ସମୟରେ ଗଙ୍ଗରାଜ୍ୟ ଉପରେ ବହିରାକ୍ରମଣର ମାତ୍ରା ବୃଦ୍ଧି ପାଇଲା । ଦକ୍ଷିଣରେ ବିଜୟ ନଗର ରାଜ୍ୟ (୧୩୩୬) ଓ ରେଡ୍ଡି ରାଜ୍ୟର ପ୍ରତିଷ୍ଠା ହେଲା । ଦିଲ୍ଲୀରେ ସୁଲତାନମାନେ ମଧ୍ୟ ରାଜ୍ୟବିସ୍ତାରପାଇଁ ଯୋଜନା କଲେ । ଦିଲ୍ଲୀ ସୁଲତାନଙ୍କ ଅଧୀନରେ ଥିବା ବଙ୍ଗର ନବାବମାନେ ଆରମ୍ଭରୁ ଗଙ୍ଗରାଜ୍ୟ ସହ ଶତ୍ରୁତା ଆଚରଣ କରି ଆସୁଥିଲେ । ତୃତୀୟ ନରସିଂହଦେବଙ୍କ ଶ୍ରୀକାକୁଲମକୁ ନେଇ ରେଡ୍ଡି ବଂଶର ରାଜା ଅନପୋ ରେଡ୍ଡିଙ୍କ ସହ ଯୁଦ୍ଧ ହୋଇଥିଲା ଏବଂ ଏହି ଯୁଦ୍ଧରେ କଳିଙ୍ଗ ସେନା ପଞ୍ଚଘୁଞ୍ଚା ଦେଇଥିଲେ । କୃଷ୍ଣା ଗୋଦାବରୀର ଉର୍ବର ତ୍ରିକୋଣଭୂମିକୁ ଅଧିକାର କରିନେବାପାଇଁ ଗଙ୍ଗ ଓ ରେଡ୍ଡିମାନଙ୍କ ମଧ୍ୟରେ ଆଗକୁ ଆହୁରି କଳହ ବୃଦ୍ଧି ପାଇଲା ।

ତୃତୀୟ ଭାନୁଦେବଙ୍କ ରାଜତ୍ୱ କାଳରେ ଦିଲ୍ଲୀର ସୁଲତାନ ଫିରୋଜଶାହ (ଫିରୁଜଶାହ) ତୁଘଲକ ୧୩୬୧ରେ ଓଡ଼ିଶା ଆକ୍ରମଣ କରି ଗଙ୍ଗସେନାକୁ ପରାସ୍ତ କରିଥିଲେ । ଏହା ପୂର୍ବରୁ ବଙ୍ଗର ସ୍ୱାଧୀନ ଶାସକ ହାଜି ଇଜଲାସ ୧୩୫୩ରେ ଯାଜନଗର ଆକ୍ରମଣ କରି ଅନେକ ଧନରତ୍ନ ଓ କେତେକ ହାତୀ ନେଇଯିବାରେ ସକ୍ଷମ ହୋଇଥିଲେ । ଏହା ଗଙ୍ଗରାଜ୍ୟର ଦୁର୍ବଳତାକୁ ସୁସ୍ପଷ୍ଟ କଲା ।{{right|ଓଡ଼ିଶା ଇତିହାସ . ୭୭