ପୃଷ୍ଠା:Odisha Itihasa.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜା ନିଜପାଇଁ ପ୍ରତିଷ୍ଠା ଅର୍ଜନ କରୁଥିଲେ । ଅନ୍ୟ ରାଜାମାନେ ମନ୍ଦିର ନିର୍ମାତା ରାଜାଙ୍କ ପ୍ରତି ଭୟ ଓ ସମୟ ବିଶେଷରେ ସମ୍ମାନ କରୁଥିଲେ । ଗଙ୍ଗରାଜାମାନଙ୍କପାଇଁ ଏହି ଧରଣର ସାମାଜିକ ଓ ରାଜନୈତିକ କର୍ତ୍ତୃତ୍ୱର ଅଧିକ ଆବଶ୍ୟକତା ରହିଥିଲା, କାରଣ ମୁଖଲିଙ୍ଗମ୍‍ (ଆନ୍ଧ୍ରର ଅଞ୍ଚଳ)ରୁ ସେମାନେ କଟକକୁ ରାଜଧାନୀ ପରିବର୍ତ୍ତନ କରି ଓଡ଼ିଶାରେ ବ୍ୟାପକ ସ୍ୱୀକୃତିପାଇଁ ଆଗ୍ରହୀ ଥିଲେ । ଜଗନ୍ନାଥଙ୍କ 'ରାଉତ' ଭାବରେ ନିଜକୁ ବର୍ଣ୍ଣନା କରି ସେମାନେ ପ୍ରକାରାନ୍ତରେ ରାଜନୈତିକ ଉଦ୍ଦେଶ୍ୟ ପୂରଣପାଇଁ ଉଦ୍ୟମ କରୁଥିଲେ । ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ଭାବରେ ସ୍ଥାପନ କରି ଏବଂ ନିଜକୁ ଜଗନ୍ନାଥଙ୍କ ପ୍ରତିିନିଧି ଘୋଷଣା କରି ସେମାନେ ଓଡ଼ିଶାର ଅନ୍ୟ ରାଜାମାନଙ୍କଠାରୁ ସୁରକ୍ଷିତ ରହିପାରିଥିଲେ । ଅନ୍ୟ ରାଜାମାନଙ୍କ ସହ କଳହ ବେଳେ ମଧ୍ୟ ଜଗନ୍ନାଥ ଏକ ଆଞ୍ଚଳିକ ପରିଚିତି ସୃଷ୍ଟି କରିବାରେ ସାହାଯ୍ୟ କଲେ, ଯାହାର ସୁଫଳ ପ୍ରଥମେ ଗଙ୍ଗରାଜାମାନେ ଓ ତାଙ୍କ ପରେ ସୂର୍ଯ୍ୟବଂଶୀ ରାଜାମାନେ ଲାଭ କଲେ । ତୃତୀୟତଃ, ଏହି ସମୟରେ ମନ୍ଦିର ନିର୍ମାଣକଳା ବିକାଶ ଲାଭ କଲା । ଏକାଦଶ/ଦ୍ୱାଦଶ ଶତାବ୍ଦୀର ବହୁ ପୂର୍ବରୁ ହୁଏତ ମନ୍ଦିର ନିର୍ମାଣ ଚାଲିଥିଲା । ମାତ୍ର ନିର୍ମାଣଶୈଳୀରେ ତ୍ରୁଟି ରହିଥିବାରୁ ମନ୍ଦିରର ଉପର ଅଂଶ (ଗମ୍ବୁଜ ଅଂଶ) ଦୀର୍ଘସ୍ଥାୟୀ ହୋଇ ପାରୁନଥଲା । ଗଙ୍ଗ ସମୟରେ କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ନିର୍ମାଣ ତ୍ରୁଟି ଆଉ ରହିଲା ନାହିଁ । ଫଳରେ ମନ୍ଦିରଗୁଡ଼ିକ (ଏକାଦଶ ଶତାବ୍ଦୀ ପରଠାରୁ) ଦୀର୍ଘସ୍ଥାୟୀ ହେଲେ । ଏକଥା ମଧ୍ୟ ସତ୍ୟ ଯେ, ମନ୍ଦିରକଳା ଓ ସ୍ଥାପତ୍ୟକୁ ତ୍ରୁଟିଶୂନ୍ୟ କରିବାରେ ସାଧାରଣ ଶିଳ୍ପୀମାନଙ୍କର ହିଁ ଯଥେଷ୍ଟ ଯୋଗଦାନ ରହିଥିଲା । ପୈତୃକ ବୃତ୍ତି ଭାବରେ ସେମାନେ ପିଢ଼ି ପିଢ଼ି ଧରି ନିର୍ମାଣଶୈଳୀ ଓ କଳାକୁ କେବଳ ବଞ୍ଚାଇ ନଥିଲେ, ତହିଁରେ ଉତ୍ତରୋତ୍ତର ଅଭିବୃଦ୍ଧି କରିବାକୁ ମଧ୍ୟ ଉଦ୍ୟମ କରୁଥିଲେ । ଭାରତକୁ ତୁର୍କ ଆଗମନ ପରେ ସ୍ଥାନୀୟ ଓ ବିଦେଶୀ ଶିଳ୍ପୀମାନଙ୍କ ସ୍ତରରେ ଭାବ ବିନିମୟ ହେଲା, ଯାହା ନିର୍ମାଣକଳା ଓ କୌଶଳକୁ ଋଦ୍ଧିମନ୍ତ କଲା । ଗଙ୍ଗରାଜାମାନେ ସମୃଦ୍ଧି ଲାଭ କରିବା ପରେ ମନ୍ଦିର ନିର୍ମାଣ କାମ ହାତକୁ ନେଇ ଏହି ଶିଳ୍ପୀମାନଙ୍କୁ ରୋଜଗାର ଦେଇଥିଲେ । ଶିଳ୍ପୀମାନଙ୍କର ତାଲିମ ଓ ପ୍ରଶିକ୍ଷଣରେ ବା ମନ୍ଦିର ନିର୍ମାଣପାଇଁ ଓଡ଼ିଶା ବାହାରୁ ଅଭିଜ୍ଞ ଶିଳ୍ପୀ ଆଣିବାରେ ରାଜାମାନେ ଉଦ୍ୟମ କରିଥିବାର କୌଣସି ଉଲ୍ଲେଖ ମିଳେ ନାହିଁ । ଅର୍ଥାତ୍‍ ଗଙ୍ଗରାଜାମାନେ କେବଳ ମନ୍ଦିର ନିର୍ମାଣ କାର୍ଯ୍ୟ ହାତକୁ ନେଇ ମନ୍ଦିରକଳା ଓ ସ୍ଥାପତ୍ୟକୁ ପ୍ରୋତ୍ସାହନ ଦେଇଥିଲେ ବୋଲି ବୁଝିବାକୁ ହେବ । ଓଡ଼ିଶାରେ ପଞ୍ଚମ ଶତାବ୍ଦୀଠାରୁ ମନ୍ଦିରକଳା ଓ ସ୍ଥାପତ୍ୟର ଉଲ୍ଲେଖ ମିଳିଥାଏ । ଈଶ୍ୱରଙ୍କୁ ଦେବମାନବ ରୂପେ କଳ୍ପନା କରି ତାଙ୍କପାଇଁ ବାସଗୃହ ବା ମନ୍ଦିର ନିର୍ମାଣ କରାଗଲା । ଯେଉଁ ଦେବତାଙ୍କ ଯେତେ ଅଧିକ ପ୍ରସିଦ୍ଧି, ତାଙ୍କରି ନାଁରେ ସେତେ ଅଧିକ ମନ୍ଦିର ନିର୍ମାଣ ହେଲା । ଏଥିରୁ ବୌଦ୍ଧ ମୂର୍ତ୍ତିି ଓ ବୌଦ୍ଧ ମନ୍ଦିର ମଧ୍ୟ ବାଦ ପଡ଼ିଲା ନାହିଁ, ଯଦିଓ ଆରମ୍ଭରେ ବୌଦ୍ଧଧର୍ମରେ ମୂର୍ତ୍ତିପୂଜାର କୌଣସି ସ୍ଥାନ ନଥିଲା । ପ୍ରାୟ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ନିର୍ମାଣଶୈଳୀ ଉନ୍ନତ ନଥିଲା ବୋଲି ମନ୍ଦିରଗୁଡ଼ିକ ଦୀର୍ଘସ୍ଥାୟୀ ହୋଇପାରୁ ନଥିଲା । ଦୃଷ୍ଟାନ୍ତ ସ୍ୱରୂପ, କଳାହାଣ୍ଡି ଜିଲ୍ଲାର{{right|ଓଡ଼ିଶା ଇତିହାସ . ୮୧