ପୃଷ୍ଠା:Odisha Itihasa.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୂର୍ଯ୍ୟବଂଶୀ ଗଜପତି ଶାସନ

ପଞ୍ଚଦଶ ଶତାବ୍ଦୀର ଆଦ୍ୟ ଭାଗରେ ଗଙ୍ଗ ରାଜବଂଶର ପତନ ହେଲା । ଦୀର୍ଘ ତିିନି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି (୧୧୧୦-୧୪୩୫ ଖ୍ରୀ.) ଗଙ୍ଗମାନେ ଓଡ଼ିଶାର ରାଜନୈତିକ ଏକତ୍ରୀକରଣ କରି ଓଡ଼ିଶା ସାମ୍ରାଜ୍ୟକୁ ଉତ୍ତରରେ ବଙ୍ଗ ଓ ଦକ୍ଷିଣରେ ରେଡ୍ଡି ଏବଂ ବିଜୟଗର ଆଦି ବହିଃଶତ୍ରୁ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିଥିଲେ । ଏଥିପାଇଁ ସେମାନେ ସେନା ସଂଗଠନ ପ୍ରତି ଗୁରୁତ୍ୱ ଦେଇ ବହିଃଶତ୍ରୁ ବିରୁଦ୍ଧରେ ଆକ୍ରମଣାତ୍ମକ ନୀତି ମଧ୍ୟ ଅବଲମ୍ବ କରିଥିଲେ । ଯଦିଓ ଗଙ୍ଗମାନେ ଆନ୍ଧ୍ର ଅଞ୍ଚଳରୁ ଆସିଥିଲେ; କଳା, ସ୍ଥାପତ୍ୟ ତଥା ଧର୍ମ ଆଧାରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସେମାନଙ୍କ ପୃଷ୍ଠପୋଷକତାରେ ଓଡ଼ିଶାର ଧର୍ମ, ସଂସ୍କୃତି, କଳା, ସ୍ଥାପତ୍ୟ ଏବଂ ସର୍ବୋପରି ରାଜନୀତିର ଏକ ପ୍ରତୀକ ଭାବରେ ଜଗନ୍ନାଥଙ୍କର ଉତ୍‍ଥାନ ହେଲା । ଏକ ସ୍ଥାନୀୟ ସ୍ତରରୁ ରାଜ୍ୟ(ଓଡ଼ିଶା) ସ୍ତରକୁ ଜଗନ୍ନାଥଙ୍କୁ ଉନ୍ନୀତ କରି ଗଙ୍ଗମାନେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କଲେ । ସେମାନଙ୍କ ପତନ ପରେ ସୁଦ୍ଧା ଜଗନ୍ନାଥଙ୍କର ପ୍ରତିଷ୍ଠା ଆଉ ଊଣା ହେଲା ନାହିଁ ।

ଗଙ୍ଗବଂଶର ପତନ ପରେ ଓଡ଼ିଶାରେ ସୂର୍ଯ୍ୟବଂଶୀ ଗଜପତି ନାମରେ ଅନ୍ୟ ଏକ ଗୌରବମୟ ରାଜବଂଶର ଶାସନ ଆରମ୍ଭ ହେଲା । ଗଙ୍ଗ ସାମ୍ରାଜ୍ୟର ଭିତ୍ତି ଉପରେ ପ୍ରତିଷ୍ଠିତ ସୂର୍ଯ୍ୟବଂଶୀ ଶାସନକୁ ଇତିହାସରେ 'ଗଜପତି' ଶାସନ ବୋଲି ମଧ୍ୟ ଉଲ୍ଲେଖ କରାଯାଏ । ପ୍ରଥମେ ଗଙ୍ଗରାଜା ଚୋଡଗଙ୍ଗ ଦେବ 'ଗଜପତି' ଉପାଧି ଗ୍ରହଣ କରିଥିଲେ । ଗଙ୍ଗସେନାରେ ରହିଥିବା ବିଶାଳ ଗଜବାହିନୀକୁ ପରିପୁଷ୍ଟ କରିବା ସକାଶେ ଏହି ଉପାଧି ସହାୟକ ହେଲା । ଯୁଦ୍ଧରେ ବାରୁଦ ଓ କମାଣର ବ୍ୟବହାର ଆରମ୍ଭ ହେବା ପୂର୍ବରୁ ହସ୍ତୀର ବ୍ୟବହାର, ସେନାର ଶକ୍ତି ଓ ପରାକ୍ରମକୁ ପ୍ରଦର୍ଶନ କରୁଥିଲା । ଓଡ଼ିଶାରେ ହସ୍ତୀର ଉପଲବ୍ଧତାଯୋଗୁଁ, ସାମାଜିକ ପ୍ରତିଷ୍ଠାପାଇଁ ରାଜାମାନେ ସେନାରେ ଗଜବାହିନୀ ରଖୁଥିଲେ । ଗଙ୍ଗମାନେ 'ଗଜପତି' ଉପାଧି ଗ୍ରହଣ କରି ନିଜର ଶକ୍ତି ଓ ପ୍ରତିଷ୍ଠାକୁ ପ୍ରଦର୍ଶନ କଲେ । ସେହି ସମୟଠାରୁ ଆରମ୍ଭ ହୋଇଥିବା୮୬ . ଓଡ଼ିଶା ଇତିହାସ