ପୃଷ୍ଠା:Odisha Itihasa.pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମୟର ସୃଷ୍ଟି । ମଧ୍ୟକାଳୀନ ଓଡ଼ିଶାର ସମାଜ ଓ ସାହିତ୍ୟରେ ଯେଉଁ ଭକ୍ତି ଯୁଗର ପ୍ରବର୍ତ୍ତନ ହେଲା ତଥା ସଂସ୍କୃତ ଭାଷା ବଦଳରେ ଓଡ଼ିଆ ଭାଷାର ବିକାଶ ହେଲା, ତାହାର ଭିତ୍ତି କପିଳେନ୍ଦ୍ରଦେବଙ୍କ ସମୟରେ ପଡିଥିଲା ବୋଲି କହିଲେ ବୋଧହୁଏ ଭୁଲ ହେବନାହିଁ ।

ପୁରୁଷୋତ୍ତମ ଦେବ (୧୪୬୭-୧୪୯୭) କପିଳେନ୍ଦ୍ରଦେବଙ୍କ ପରେ ସିଂହାସନ ଆରୋହଣ କରିଥିବା ପୁରୁଷାତ୍ତମଦେବ ସମ୍ଭବତଃ ଜ୍ୟେଷ୍ଠ ରାଜକୁମାର ନ ଥିଲେ । ଜ୍ୟେଷ୍ଠପୁତ୍ର ତଥା ଦକ୍ଷିଣ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ହମ୍ଭିରଦେବଙ୍କ ଦାବିକୁ ଅବହେଳା କରି ସମ୍ଭବତଃ କପିଳେନ୍ଦ୍ରଦେବ ଅନ୍ୟ ପୁତ୍ର ପୁରୁଷୋତ୍ତମଦେବଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କରିଥିଲେ । ହମ୍ଭିରଦେବ ଏଥିରେ କ୍ଷୁବ୍ଧ ହୋଇ ବିଦ୍ରୋହ କରିଥିଲେ । ବାମଣ୍ଡା ରାଜ୍ୟରୁ ପ୍ରାପ୍ତ 'ରାଜବଂଶାବଳୀ' ଅନୁଯାୟୀ ପୁରୁଷୋତ୍ତମ ଥିଲେ କପିଳେନ୍ଦ୍ରଦେବଙ୍କ ଜଣେ ରକ୍ଷିତାଙ୍କ ପୁତ୍ର । ପୁରୁଷୋତ୍ତମଦେବଙ୍କ ମାତାଙ୍କ ପ୍ରରୋଚନାରେ କପିଳେନ୍ଦ୍ରଦେବ ରୀତି ଭାଙ୍ଗି ଜ୍ୟେଷ୍ଠ ପୁତ୍ର ହମ୍ଭିରଦେବଙ୍କ ସ୍ଥାନରେ ପୁରୁଷୋତ୍ତମଦେବଙ୍କୁ ଉତ୍ତରାଧିକାରୀ ମନୋନୀତ କରିଥିଲେ । ଏକ କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥ କପିଳେନ୍ଦ୍ରଦେବଙ୍କୁ ସ୍ୱପ୍ନାଦେଶ ଦେଇ ପୁରୁଷୋତ୍ତମଦେବଙ୍କୁ ଉତ୍ତରାଧିକାରୀ ଘୋଷଣା କରିବାକୁ କହିଥିଲେ । ଜ୍ୟେଷ୍ଠପୁତ୍ର ହମ୍ଭିରଦେବଙ୍କ ସ୍ଥାନରେ ପୁରୁଷୋତ୍ତମଦେବଙ୍କ ରାଜପଦ ପ୍ରାପ୍ତିକୁ 'ନ୍ୟାୟ ସଙ୍ଗତ' ବୋଲି ଧାରଣା ଦେବାକୁ କିମ୍ବଦନ୍ତୀର ସୃଷ୍ଟି ହୋଇଥିବା କୁହାଯାଏ । ରାଜପଦ ଲାଭ କରିବା ପରେ ପୁରୁଷୋତ୍ତମଦେବ ବ୍ରାହ୍ମଣମାନଙ୍କ ଉପରୁ ଚୌକିଦାରୀ କର ଛାଡ କରିଥିଲେ ଏବଂ ପୂର୍ବରୁ ପ୍ରଚଳିତ ଭୂମିଦାନ ବ୍ୟବସ୍ଥାକୁ ବଳବତ୍ତର କରିଥିଲେ । ଏହା ଫଳରେ ତାଙ୍କୁ ବିଶେଷ ଅନ୍ତରୀଣ କଳହର ସମ୍ମୁଖୀନ ହେବାକୁ ପଡ଼ିନଥିଲା । ଏହା ତାଙ୍କୁ ରାଜ୍ୟ ଜୟପାଇଁ ସୁଯୋଗ ପ୍ରଦାନ କରିଥିଲା ।

ସିଂହାସନ ଆରୋହଣ କଲା ପରେ ପୁରୁଷୋତ୍ତମଦେବଙ୍କ ପାଇଁ ସବୁଠାରୁ ଅଧିକ କାଳ ହେଲା ହମ୍ଭିରଦେବଙ୍କ ବିଦ୍ରୋହ । ପ୍ରଥମେ ହମ୍ଭିରଦେବ ଦୀର୍ଘ ଦୁଇ ବର୍ଷ କାଳ ପିତା କପିଳେନ୍ଦ୍ରଦେବଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ମାତ୍ର ଏଥିରେ ତାଙ୍କୁ ବିଶେଷ ସଫଳତା ମିଳି ନଥିଲା । ଜଗନ୍ନାଥଙ୍କ ସ୍ୱୀକୃତି ନାଁରେ ପୁରୁଷୋତ୍ତମଦେବ ମଧ୍ୟ ବ୍ରାହ୍ମଣମାନଙ୍କଠାରୁ ନିରନ୍ତର ସହଯୋଗ ଲାଭ କଲେ । ପୁଣି ଗଜପତିମାନଙ୍କ ବିଶାଳ ସେନା ତାଙ୍କ ନିୟନ୍ତ୍ରଣରେ ରହିଥିଲା । ହମ୍ଭିରଦେବ ଶେଷରେ ବାହାମନୀ ସୁଲତାନଙ୍କ ସହଯୋଗ ନେଇ ପୁରୁଷୋତ୍ତମଦେବଙ୍କୁ ପରାସ୍ତ କଲେ । ଫଳରେ ୧୪୭୨ରେ ହମ୍ଭିରଦେବ ରାଜା ହେଲେ । ସୁଲତାନଙ୍କ ସହଯୋଗର ପ୍ରତିଦାନରେ ହମ୍ଭିରଦେବ ବାହାମନୀର ସାମନ୍ତ ପଦବୀ ଗ୍ରହଣ କଲେ ଏବଂ ରାଜମହେନ୍ଦ୍ରୀ ଓ କୋଣ୍ଡାପଲ୍ଲୀ କ୍ଷେତ୍ରକୁ ସୁଲତାନଙ୍କ ହାତରେ ସମର୍ପଣ କଲେ । ସେତେବେଳେ ମାଲିକ ହୁସେନ ଥିଲେ ବାହାମନୀର ସେନାନାୟକ, ଯିଏ ହମ୍ଭିରଙ୍କୁ ଗଜପତି ଆସନରେ ବସାଇବା ଲାଗି ପୁରୁଷୋତ୍ତମଦେବଙ୍କୁ ପରାଜିତ କରିଥିଲେ । ଏହି ଘଟଣାର୯୨ . ଓଡ଼ିଶା ଇତିହାସ