ପୃଷ୍ଠା:Odisha Itihasa.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାୟ ଗଜପତିଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ଏବଂ ଗଜପତି ସେନାଙ୍କ ତୀବ୍ର ପ୍ରତିରୋଧ ସତ୍ତ୍ୱେ ଉଦୟଗିରି ଜିଣି ନେଲେ । ଏହି ଯୁଦ୍ଧରେ ପ୍ରତାପରୁଦ୍ରଙ୍କ ସମ୍ପର୍କୀୟ ତିରୁମାଲା ରାଉତରାୟ ବିଜୟନଗର ସେନା ହାତରେ ବନ୍ଦୀ ହେଲେ । ଏହା ପରେ କୃଷ୍ଣଦେବ ରାୟ ଗୁଣ୍ଟୁର ନିକଟବର୍ତ୍ତୀ କୋଣ୍ଡାବିଡୁ ଦୁର୍ଗ ଅଧିକାର କରିବାଲାଗି ଗଜପତି ସେନାଙ୍କ ସହ ଯୁଦ୍ଧ କଲେ । ଦୁର୍ଗର ସମସ୍ତ ପ୍ରବେଶ ପଥକୁ ବିଜୟନଗର ସେନା ଅବରୁଦ୍ଧ କରିଦେବାରୁ ତହିଁରେ ଥିବା ଅଧିକାଂଶ ଗଜପତି ସେନାଙ୍କର ଅନାହାରରେ ମୃତ୍ୟୁ ହେଲା । ୧୫୧୫ ମସିହା ଜୁନ୍ ମାସ ବେଳକୁ କୋଣ୍ଡାବିଡୁରୁ ଗଜପତି ନିୟନ୍ତ୍ରଣର ଅନ୍ତ ହେଲା । କୋଣ୍ଡାବିଡୁ ଅଭିଯାନ ଚାଲିଥିବା ବେଳେ କୃଷ୍ଣଦେବ ଗଜପତି ଶାସନରେ ଥିବା ଅନ୍ୟାନ୍ୟ ଦୁର୍ଗ ଯଥା ଆଦାଙ୍କି, ବିନୁକୋଣ୍ଡା, ବେଲ୍ଲମକୋଣ୍ଡା, ନାଗାର୍ଜୁନକୋଣ୍ଡା, ଟାଙ୍ଗେଡା ଓ କୋଟଭରମ ଆଦି ଅଧିକାର କରିନେଲେ । ଯେହେତୁ ବଡ଼ ଦୁର୍ଗ କୋଣ୍ଡାବିଡୁର ସୁରକ୍ଷାପାଇଁ ଓଡ଼ିଶା ସେନା ଗୁରୁତ୍ୱ ଦେଉଥିଲେ, ଏହି ଦୁର୍ଗସବୁରେ ବିଜୟନଗର ସେନାକୁ ବିଶେଷ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ି ନଥିଲା ।

କୋଣ୍ଡାବିଡ଼ୁ ଓ ଅନ୍ୟାନ୍ୟ କ୍ଷୁଦ୍ର ଦୁର୍ଗଗୁଡ଼ିକୁ ଗଜପତି ସେନା ହରାଇବା ପରେ ଅନେକ ଉଚ୍ଚ ଅଧିକାରୀ ଓ ରାଜବଂଶଜ ମଧ୍ୟ ବିଜୟନଗର ସେନା ହାତରେ ବନ୍ଦୀ ହେଲେ । ସମକାଳୀନ ପର୍ତ୍ତୁଗୀଜ ଲେଖକ ନ୍ୟୁନିଜଙ୍କ(Nuniz) ବିବରଣୀ ଅନୁଯାୟୀ, ପ୍ରତାପରୁଦ୍ରଙ୍କ ପୁତ୍ର ବୀରଭଦ୍ର, ହମ୍ଭିର ଦେବଙ୍କ ପୁତ୍ର ନରହରି ପାତ୍ର ଏବଂ ଅନ୍ୟ କେତେକ ଉଚ୍ଚ ଅଧିକାରୀ, ଯଥା ମଲ୍ଲୁ ଖାନ୍‍, ଉଗାଣ୍ଡା ଖାନ୍‍ ଓ ବାଳଚନ୍ଦ୍ର ମହାପାତ୍ର ଆଦି ବିଜୟନଗର ହାତରେ ଯୁଦ୍ଧବନ୍ଦୀ ହେଲେ । ମଲ୍ଲୁ ଖାନ୍‍ ଓ ଉଗାଣ୍ଡା ଖାନ୍‍ଙ୍କ ଭଳି ମୁସଲିମ୍‍ ମଧ୍ୟ ଗଜପତିଙ୍କ ସେନାରେ କାର୍ଯ୍ୟ କରୁଥିଲେ ବୋଲି ଏଥିରୁ ପ୍ରମାଣ ମିଳେ । ସେତେବେଳେ ବିଜୟନଗର ସେନାରେ ମଧ୍ୟ ମୁସଲିମ୍‍ ସେନାପତିମାନେ କାର୍ଯ୍ୟ କରୁଥିଲେ । ତୁର୍କମାନଙ୍କର ଦିଲ୍ଲୀ ଅଧିକାର ପରେ ମୁସଲମାନ ସୈନ୍ୟଙ୍କୁ ସେମାନଙ୍କ ସାହସ ଓ ଦକ୍ଷତାଲାଗି ବିଭିନ୍ନ ରାଜା ନିଯୁକ୍ତି ଦେଉଥିଲେ । ଏହାର ଅର୍ଥ ହେବ ଯେ, ମଧ୍ୟକାଳରେ ସେନା ଧାର୍ମିକ ଆଧାରରେ ବିଭକ୍ତ ନଥିଲା । ମୁସଲମାନ ସୈନ୍ୟ ନିଜ ଅନ୍ନଦାତା ରାଜାଙ୍କ ପ୍ରତି ସର୍ବଦା ପ୍ରତିବଦ୍ଧ ରହୁଥିଲେ । ସେମାନଙ୍କର ଏହି ଅନୁରକ୍ତି ପ୍ରତିପକ୍ଷର ଶାସକ ମୁସଲମାନ ହେଲେ ମଧ୍ୟ ଊଣା ହେବାର କୌଣସି କାରଣ ନଥିଲା ।

କୋଣ୍ଡାବିଡୁ ଦୁର୍ଗ ଅଧିକାର କଲା ପରେ କୃଷ୍ଣଦେବଙ୍କ ସେନା କୃଷ୍ଣାନଦୀ ପାରହୋଇ ବିଜୟଓ୍ୱାଡା ନିକଟବର୍ତ୍ତୀ କୋଣ୍ଡାପଲ୍ଲୀ ଓ ଆଖପାଖର ଅନ୍ୟ କେତୋଟି ଦୁର୍ଗ ଯଥା- ଅନନ୍ତଗିରି, ନଲଗୋଣ୍ଡା, କମ୍ବୁମେଣ୍ଟୁ, କନକଗିରି ଆଦି ଅଧିକାର କରିନେଲେ । ଏହା ସହିତ କପିଳେନ୍ଦ୍ରଙ୍କଦ୍ୱାରା ଅଧିକୃତ ଅଧିକାଂଶ ତେଲେଙ୍ଗାନା ଅଞ୍ଚଳ ଗଜପତି ନିୟନ୍ତ୍ରଣରୁ ବାହାରି ଗଲା ।

କୃଷ୍ଣଦେବ ରାୟ ଉତ୍ତରକୁ ସୈନ୍ୟ ଚାଳନା କରି ବିଶାଖାପାଟଣା ନିକଟସ୍ଥ ସୀମାଞ୍ଚଳଠାରେ ପହଞ୍ଚିଲେ । ଗଜପତିଙ୍କ ଅଧିକାରୀମାନଙ୍କୁ ନିଜ ପକ୍ଷକୁ ନେଇ ଅତି ସହଜରେ ସେ ସୀମାଞ୍ଚଳମ୍‍ ଅଧିକାର କଲେ ଏବଂ ବିଜୟର ସ୍ମାରକୀ ସଦୃଶ ସେଠାରେ ଏକ ବିଜୟ ସ୍ତମ୍ଭ ନିର୍ମାଣ କଲେ । ଏହି ସମୟରେ ବିଜୟନଗର ରାଜ୍ୟ ନିକଟସ୍ଥ ଲକ୍ଷ୍ମୀନୃସିଂହ ମନ୍ଦିରକୁ ମଧ୍ୟ ଅନେକ ଦାନ{{right|ଓଡ଼ିଶା ଇତିହାସ . ୯୫