ପୃଷ୍ଠା:Odisha Itihasa.pdf/୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୋଇ ବଂଶ

୧୫୩୮ରେ ପ୍ରତାପରୁଦ୍ରଙ୍କ ମୃତ୍ୟୁ ପରେ ଏକ ରାଜନୈତିକ ଅସ୍ଥିରତା ମଧ୍ୟରେ ଓଡ଼ିଶାରେ ଗଜପତି ଶାସନ ଗତି କଲା । ପ୍ରତାପରୁଦ୍ରଙ୍କ ଉତ୍ତରାଧିକାରୀ ପୁତ୍ରମାନେ ଦୁର୍ବଳ ଥିବାରୁ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ୧୫୪୦ରେ ପ୍ରତ୍ୟକ୍ଷ ଭାବେ ଶାସନ ଭାର ଗ୍ରହଣ କଲେ । ଏଥିପାଇଁ ସେ ରାଜପୁତ୍ରମାନଙ୍କୁ ହତ୍ୟା ମଧ୍ୟ କରିଥିଲେ । ୧୫୪୦-୪୯ ମଧ୍ୟରେ ସେ ଶାସନ କଲେ ଏବଂ ଏହା ସହିତ ଓଡ଼ିଶାରେ ଭୋଇବଂଶର ପ୍ରତିଷ୍ଠା ହେଲା । ଗୋବିନ୍ଦ କ୍ଷତ୍ରିୟ ବଂଶଜ ନଥିଲେ । ସମ୍ଭବତଃ ସେ ଗଉଡ ଜାତିର ଥିଲେ । ଏଥିପାଇଁ ତାଙ୍କୁ ଓଡ଼ିଶାର ଗଜପତି ଭାବରେ ସାମନ୍ତମାନେ ଆରମ୍ଭରୁ ଗ୍ରହଣ କରୁନଥିଲେ । ଦ୍ୱିତୀୟତଃ, ସେ ଗଜପତି ଶାସକମାନଙ୍କୁ ହତ୍ୟା କରି ରାଜସିଂହାସନ ଲାଭ କରିଥିଲେ । ଏହି ବିରୋଧର ପ୍ରଶମନଲାଗି ଗୋବିନ୍ଦବିଦ୍ୟାଧର ଜଗନ୍ନାଥ ମନ୍ଦିରର ଜଗମୋହନରେ ଏକ ଶିଳାଲିପିରେ ତାଙ୍କ ଶାସନ ଜଗନ୍ନାଥସ୍ୱୀକୃତ ଏବଂ ତାକୁ ବିରୋଧ କରିବା ଅର୍ଥ ଜଗନ୍ନାଥଙ୍କ ବିରୋଧକରିବା ବୋଲି ଉଲ୍ଲେଖ କରିଥିଲେ । ବିରୋଧୀମାନଙ୍କୁ କଠୋର ଦଣ୍ଡ ଦିଆଯିବା କଥା ମଧ୍ୟ ଏଥିରେ କୁହାଯାଇଛି ।

ଗୋବିନ୍ଦ ବିଦ୍ୟାଧର ସିଂହାସନ ଆରୋହଣ କଲା ପରେ ଗୋଲକୁଣ୍ଡାର ସୁଲତାନ ଓଡ଼ିଶାର ଦକ୍ଷିଣ କ୍ଷେତ୍ର ଉପରେ ଆକ୍ରମଣ କଲେ । ପ୍ରତିରକ୍ଷାପାଇଁ ଗୋବିନ୍ଦ ପ୍ରାୟ ଆଠ ମାସ କାଳ ଦକ୍ଷିଣରେ ଅବସ୍ଥାନ କଲେ । ରାଜଧାନୀରେ ତାଙ୍କ ଅନୁପସ୍ଥିତିର ଫାଇଦା ନେଇ ରଘୁଭଞ୍ଜ ଛୋଟରାୟ ବିଦ୍ରୋହ କଲେ । ବିଦ୍ରୋହ ଖବର ପାଇ ଗୋବିନ୍ଦ ଗୋଲକୁଣ୍ଡା ସହିତ ସନ୍ଧି ସ୍ଥାପନ କରି କଟକ ଫେରି ଆସିଲେ ଏବଂ ବିଦ୍ରୋହ ଦମନ କଲେ । ରଘୁଭଞ୍ଜ ଥିଲେ ପ୍ରତାପରୁଦ୍ରଙ୍କ ଭଣଜା ଏବଂ ପ୍ରତାପରୁଦ୍ରଙ୍କ ପୁତ୍ରମାନେ ନିହତ ହେବା ପରେ ଗଜପତି ପଦବୀ ଉପରେ ତାଙ୍କର ଦାବି ନ୍ୟାଯ୍ୟ ବୋଲି ସେ ମନେ କରୁଥିଲେ । ସେ କ୍ଷତ୍ରିୟ ଥିବାରୁ ତାଙ୍କୁ ଯଥେଷ୍ଟ ସମର୍ଥନ ମଧ୍ୟ ମିଳିଥିଲା । ମାତ୍ର ଏହି ବିଦ୍ରୋହ ବିଫଳ ହେବାଯୋଗୁଁ ଗଜପତି ଶାସନ ପୁନର୍ପ୍ରତିଷ୍ଠାର ସମସ୍ତ ସମ୍ଭାବନା ଲୋପ ପାଇଲା ।୯୮ . ଓଡ଼ିଶା ଇତିହାସ