ପାନ ଖିଆ ଅଭ୍ୟାସ ସତ୍ତ୍ୱେ ତାଙ୍କ ଦନ୍ତପଂକ୍ତି ସଦାବେଳେ ଶୁଭ୍ରତାରେ ଝଲମଲ କରୁଥାଏ । ସେ ଅନ୍ୟାନ୍ୟ ଶିକ୍ଷକ ଓ ଆମେ ଛାତ୍ରାବାସର ଅନ୍ୟୂନ ୧୦/୧୫ ଜଣ ଅନ୍ତେବାସୀ ଅକତ୍ର ବସି ମଧ୍ୟାହ୍ନ ଓ ରାତ୍ରଭୋଜନ କରୁ । ବିଶ୍ୱକବି ରବୀନ୍ଦ୍ରନାଥ ଯେଉଁଠି ତାଙ୍କର ସିପ୍ରସିଦ୍ଧ 'ଚିତ୍ରାଙ୍ଗଦା' ଗୀତିନାଟ୍ୟ ରଚନା କରିଥିଲେ, ତିର୍ତ୍ତୋଲଥାନା ଅନ୍ତର୍ଗତ ସେହି ପଣ୍ଡୁଆ ସେତେବେଳେକୁ ତଥାପି ଥିଲା ଅନଗ୍ରସର ଓ ନିଘଞ୍ଚ ମଫସଲ । ଛାତ୍ରାବାସର ଖାଦ୍ୟପେୟ ଆଜିର ମାନଦଣ୍ଡରେ ନିକୃଷ୍ଟତର ଥିଲା । ଅଧିକାଂଶ ଦିନ ପେଜମିଶା ଡାଲି ସାଙ୍ଗକୁ କଖାରୁ ସାରୁ ଘାଣ୍ଟ ଥିଲା ପ୍ରମୁଖ ବ୍ୟଂଜନ । ପାଣି ପଶା ଚାଉଳର ଭାତ କ୍ରମଶଃ ଆମ୍ଭମାନଙ୍କର ଦେହ ସହା ହେଇଯାଇଥିଲା । ତାଙ୍କ ତତ୍ତ୍ବାବଧାନରେ ସ୍କୁଲ ହତାରେ ଆମ ଦ୍ୱାର କନ୍ଦମୂଳ, ବିଲାତି ବାଇଗଣ ଇତ୍ୟାଦି ଚାଷ କରାଇ ବ୍ୟଂଜନ କଷ୍ଟ କିଛି ପରିମାଣରେ ସେ ଦୂର କରିଥିଲେ । ବିଷ୍ଣୁବାବୁଙ୍କର ଶିକ୍ଷାଦାନ ପ୍ରଣାଳୀ ସାଙ୍ଗକୁ ଶୃଙ୍ଖଳା ରକ୍ଷାରେ ନିଷ୍ଠା ଓ ତତ୍ପରତା କେବଳ ଛାତ୍ର ଓ ଶିକ୍ଷକମାନଙ୍କୁ ନୁହେଁ, ଅଭିଭାବକମାନଙ୍କୁ ପ୍ରଭାବିତ କରିବାକୁ ଆରମ୍ଭକଲା । ତାଙ୍କ ବ୍ୟକ୍ତିତ୍ୱରେ ଗଭୀର ଆସ୍ଥା ପୋଷଣ କଲେ ସେମାନ । ଅଧିକାଂଶ ଛାତ୍ରଙ୍କର ସମସ୍ତ ଦାୟିତ୍ୱ ସେ ବୁଝିଲେ । ସ୍କୁଲ ଦରମା ମେସ୍ ଖର୍ଚ୍ଚ ଇତ୍ୟାଦି ଅଭିଭାବକମାନେ ଆସି ତାଙ୍କୁ ବାଧ୍ୟ କରି ଦେଇଯାଉଥିଲେ । ତାଙ୍କର ଇଂରେଜୀ ଶିକ୍ଷାଦାନ ପ୍ରଣାଳୀ ମୋତେ ଇଂରେଜୀ ପ୍ରତି ଆଗ୍ରହୀ କରିବା ଯୋଗୁଁ ମୁଁ ସେଥିରେ ଭଲ ଫଳ ଦେଖାଇଥିଲି । ଇଂରାଜୀ ଭାଷାଶିକ୍ଷାର ମୌଳିକ ବ୍ୟାକରଣଗତ ସାଧାରଣ ତତ୍ତ୍ୱ ଓ ନିୟମକୁ ସେ ଅତି ପ୍ରାଞ୍ଜଳ ଭାବେ ବୁଝାଇ ଦେବାରୁ ଇଂରେଜୀ ପ୍ରତି ଭୟ କ୍ରମଶଃ ମୋଠାରୁ ଦୂରେଇ ଗଲା । ଫଳରେ ମୁଁ ସାଧାରଣ ମିଳିତ ଏମ୍.ଇ. ପରୀକ୍ଷାରେ ଇଂରେଜୀରେ ପ୍ରଥମ ହେଲି,ଆମ ସ୍କୁଲ ମଧ୍ୟ ଭଲ ଫଳ ହାସଲ କରିଥିଲା ।
ଇଂରାଜୀ ଓ ଅଙ୍କ ସେ ଆମକୁ ପଢାଉଥିଲେ । ଛାତ୍ରମାନେ କିପରି ଅଧିକରୁ ଅଧିକ ଲେଖିବେ,ସେଥିପ୍ରତି ତାଙ୍କର କଡ଼ାନଜର ଥିଲା । ସମସ୍ତ ଶ୍ରେଣୀର ଛାତ୍ର ହୋଇଥିଲେ ହେଁ ପ୍ରତିଦିନ ସେ ଆମକୁ ହସ୍ତାକ୍ଷର ଲେଖାଉଥିଲେ । ଅନୁବାଦ ଓ ପ୍ରବନ୍ଧ ନିୟମିତ ସଂଶୋଧନ କରୁଥିଲେ । ଅଶୁଦ୍ଧ ପ୍ରୟୋଗ, ବନାନ ଭୁଲ, ବାକ୍ୟଗଠନଗତ ତ୍ରୁଟିକୁ ସେ ସୁନ୍ଦର ଅକ୍ଷରରେ ଉଜ୍ଜ୍ୱଳ ନାଲି କାଳିରେ ସୂଚାଇ ଦେଉଥିଲେ । ଶୁଦ୍ଧ ରୂପକୁ ସେହି ଖାତାରେ ଦଶଥର ଲେଖାଏଁ ଆମ ହାତରେ ଲେଖାଉଥିଲେ ।ଶିକ୍ଷାଦାନ କାର୍ଯ୍ୟ ଅତ୍ୟନ୍ତ ନିୟମିତ ହୋଇଯାଇଥିବାରୁ କେହି ଛାତ୍ର ବା ଶିକ୍ଷକ ଫାଙ୍କି ଦେବାର ପ୍ରଶ୍ନ ହିଁ ନଥିଲା । ଫାଙ୍କି ପାଇଁ ଛାତ୍ରମାନଙ୍କୁ ବେତ୍ରାଘାତ ଓ ସହକାରୀ ଶିକ୍ଷାକମାନଙ୍କୁ ବାଚନିକ ତାଡ଼ନା ଦେବାରେ ତାଙ୍କର କେତେବେଳେ ବି ମନୋଭାବେ କୋହଳ ଥିବାର ଆମେ ଜାଣୁନଥିଲୁ । ଫଳରେ ତାଙ୍କ ପୁର୍ବରୁ ସ୍କୁଲ୍ ପରିସରରେ