ପୃଷ୍ଠା:Odishara Itihas.pdf/୧୨୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୯
ପଞ୍ଚମ ଅଧ୍ୟାୟ ।

ପ୍ରାଣ ବଧ କରି ଓ ମୁକୁନ୍ଦଙ୍କୁ କଟକରୁ ତଡ଼ି ଦେଇ ଗ୍ରହବିବାଦର ସୂତ୍ରପାତ କଲେ । ଗୋବିନ୍ଦ‌ଦେବ ସେ ସମସ୍ତ ଶ୍ରବଣ କରି ସ୍ୱଦେଶାଭିମୁଖୀ ହେଲେ । ବିଦ୍ରୋହିମାନଙ୍କୁ ପରାଭବ କରି ବୈତରଣୀନ‌ଦୀ ପର୍ଯ୍ୟନ୍ତ ସେମାନଙ୍କ ଅନୁଗମନ କଲେ । ଦୁର୍ଭାଗ୍ୟବଶତଃ ଗୋବିନ୍ଦ‌ଦେବଙ୍କର ସେହି ଯାତ୍ରା ଲାବନର ଶେଷ ଯାତ୍ରା ହୋଇଥିଲା; ଯେହେତୁ ସେଥର ତାଙ୍କୁ ସ୍ୱୀୟ ରାଜ୍ୟକୁ ଫେରି ଆସିବାକୁ ହୋଇ ନାହିଁ । ୧୫୪୧ ଖ୍ରୀଷ୍ଟାବ୍ଦରେ ବୈତରଣୀନ‌ଦୀ ଦଶାଶ୍ୱମେଧ ଘାଟରେ ତାଙ୍କର ପ୍ରାଣବିୟୋଗ ହେଲା । ଗୋବିନ୍ଦଦେବ ନାନା ଗୋଳମାଳ କରି ସାତବର୍ଷ କାଳ ମାତ୍ର ରାଜତ୍ୱ କରିଥିଲେ ।

ତଦନନ୍ତର ଦନେଇ ବିଦ୍ୟାଧର ପ୍ରତାପଚନ୍ଦ୍ର ଦେବଙ୍କୁ ସିଂହାସନାରୂଢ଼ କରାଇଲେ । ସେ ଦକ୍ଷିଣ ଦେଶକୁ ଗମନ କରିଥିଲେ ଓ କ୍ଷମତାହୀନ ଯଥେଛାଚାରୀ ରାଜା ଥିଲେ ସୁଦ୍ଧା, ବୁଦ୍ଧିଜୀବୀ ସଚିବଙ୍କ ସହାୟତାରେ ଆଠବର୍ଷକାଳ ରାଜତ୍ୱ କରିବାକୁ ସକ୍ଷମ ହୋଇଥିଲେ । ଦେବମନ୍ଦିର ମଧ୍ୟରେ ଅକସ୍ମାତ୍‌ ତାଙ୍କର ମୃତ୍ୟୁ ଘଟିଲା । ଅନ୍ୟ କେହି ଉତ୍ତରାଧିକାରୀ ନ ଥିବାରୁ ନରସିଂହ ଜେନା ନାମକ ଜଣେ ୧୫୪୯ ଖ୍ରୀଷ୍ଟାବ୍ଦରେ ସିଂହାସନାରୂଢ଼ ହେଲେ । ଦନେଇ ବିଦ୍ୟାଧରକୁ ଦକ୍ଷିଣରୁ ଅଣାଇ, ଭୟରେ ତାଙ୍କୁ କାରାରୁଦ୍ଧ କଲେ । ନରସିଂହ ବର୍ଷେ କାଳ ରାଜତ୍ୱ କଲା ଉତ୍ତାରୁ ରଘୁରାମ ଛୋଟରା ବୈତରଣୀ ଆଡ଼ୁ ନୂଆ ସୈନ୍ୟ ଘେନି ପ୍ରତ୍ୟାବର୍ତ୍ତିତ ହୋଇ ବର୍ଷେକାଳ ରାଜତ୍ୱ କରିଥିବାର କଥିତ ଅଛି । ଅନନ୍ତର ତେଲଙ୍ଗା ମୁକୁନ୍ଦ ହରିଚନ୍ଦନ କାର୍ଯ୍ୟଦକ୍ଷ ଓ କୌଶଳାକ୍ରାନ୍ତ ଲୋକ ଥିବାରୁ ଦେଶରେ କିଛି ପ୍ରାଧାନ୍ୟ ଲଭିଥିଲେ । କିୟତ୍‌କାଳ ସେ କଟକର ଶାସନକର୍ତ୍ତା ଥିଲେ । ଅବଶେଷରେ ୧୫୫୧ ଖ୍ରୀଷ୍ଟାବ୍ଦରେ ଓଡିଶାର ରାଜ୍ୟଭାର ତାଙ୍କ ହସ୍ତରେ ପତିତ ହେଲା ।

ଓଡ଼ିଶାର ଶେଷ ସ୍ୱାଧୀନରାଜା ମକୁନ୍ଦଦେବ (୧୫୫୧-୧୫୬୮)ମକୁନ୍ଦଦେବ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ଅଟନ୍ତି । ସେ ପୁଣି ତୈଲଙ୍ଗଦେଶବାସୀ ଥିଲେ । କଟକର ଶାସନକର୍ତ୍ତା ଓ ରାଜମନ୍ତ୍ରୀ ଥିବା ସମୟରେ ସେ ଯେପରି କାର୍ଯ୍ୟଦକ୍ଷତା ଦେଖାଇଥିଲେ ରାଜା ହୋଇ ସେହିପରି କୁଶଳତାର ସହିତ ରାଜ୍ୟଶାସନ ଆରମ୍ଭ କଲେ । ରାଜା ହେଲା ଉତ୍ତାରୁ ଅନେକ ଦେବମନ୍ଦିର ଓ ଅଟ୍ଟାଳିକା ତୋଳାଇଲେ, ଅନେକ ପୋଖରୀ ଖୋଳାଇଲେ ଓ ବହୁସଂଖକ ନଦୀ ଓ ପୁଷ୍ପରିଣୀର ଘାଟ ବନ୍ଧାଇଲେ । ହୁଗୁଳୀନ‌ଦୀ ତୀରସ୍ଥ ତ୍ରିବେଣୀ ତାଙ୍କ ରାଜ୍ୟର ଶେଷ ଉତ୍ତର ସୀମା ଥିଲା । ସେଠାରେ ଥିବା ସୁପ୍ରସିଦ୍ଧ ଘାଟ ( ତ୍ରିବେଣୀ ଘାଟ ) ଓ ମନ୍ଦିର ତାଙ୍କଦ୍ୱାରା ନିର୍ମିତ ହୋଇଥିଲା । କଟକସ୍ଥ ବାରବାଟୀ କିଲ୍ଲା ମଧ୍ୟରେ