ପୃଷ୍ଠା:Odishara Itihas.pdf/୧୬୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୨
ଓଡ଼ିଶାର ଇତିହାସ ।

ଅଧିକାରୀ ଥିବା ବିଷୟରେ ସନ୍ଦେହ ଜନ୍ମିବାରୁ, ସେ ରୋଡଙ୍ଗର ମୂଳ ଅଧିକାରୀ ଥିବାର ଦେବାନୀ ଅଦାଲତର ଚୂଡ଼ନ୍ତ ନିଷ୍ପତ୍ତି ଦାଖଲ କଲେ, ତାଙ୍କ ସଙ୍ଗେ ରୋଡ଼ଙ୍ଗ ସକାଶେ ଇଂରାଜଙ୍କର ବନ୍ଦୋବସ୍ତ ସ୍ଥିର ହେବ ବୋଲି ଜଗବନ୍ଧୁଙ୍କୁ ବୁଝାଇ ଦିଆଗଲା । ରୋଡ଼ଙ୍ଗର ଅଧିକାରରୁ ଏକପ୍ରକାର ଚ୍ୟୁତ ହୋଇ ଜଗବନ୍ଧୁ ନିତାନ୍ତ ଦୈନ୍ୟଦଶାକୁ ଲଭିଥିଲେ । ସୁତରାଂ ତାଙ୍କ ଦୈନ୍ୟଦଶା ଯୋଗୁଁ ଓ ଜଣେ ବଙ୍ଗାଳୀ ମାମଲତକାର ସଙ୍ଗେ ମାମଲା କରି ତାହା ଜିଣି ନ ପାରିବା ଶଙ୍କାରୁ ସେ ଅଦାଲତରେ ମକଦ୍ଦମା ଉପସ୍ଥିତ କଲେ ନାହିଁ । କୌଣସିମତେ ଖୋର୍ଦ୍ଧା ରାଜାଙ୍କୁ ପୁଣି ଖୋର୍ଦ୍ଧା ସିଂହାସନରେ ବସାଇ ପାରିଲେ ତାଙ୍କ ପୈତୃକ ରାଜ୍ୟ ସେ ଲଭି ପାରିବେ, ଏହି ଆଶାରେ ପାଇକଙ୍କ ବିଦ୍ରୋହର ନେତୃତ୍ୱ ଗ୍ରହଣ କଲେ ।

ପାଇକମାନେ ସେ ସମୟରୁ କ୍ଷୀଣବଳ ହୋଇଥିଲେ ସୁଦ୍ଧା ସମରପ୍ରିୟତା ସେମାନଙ୍କ ଚିତ୍ତରୁ ଏକାବେଳକେ ପଳାୟନ କରି ନ ଥିଲା । ଅଦ୍ୟାପି ସୁଦ୍ଧା ପାଇକମାନେ ଗଡ଼ଜାତମାନଙ୍କରେ ବହୁ ପରିମାଣରେ ଶିକାରପ୍ରିୟ ଓ ସାହସୀ ଥିବାର ପ୍ରତୀୟମାନ ହୁଅଇ । ୧୮୧୭ ଖ୍ରୀଷ୍ଟାବ୍ଦର ମାର୍ଚ୍ଚ ମାସରେ ଚାରିଶ କନ୍ଧ ଘୁମସରରୁ ଆସି ଖୋର୍ଦ୍ଧାରେ ଉପସ୍ଥିତ ହେଲେ । ସେହି ମାସରୁ ଖୋର୍ଦ୍ଧାରେ ପାଇକବିଦ୍ରୋହର ସୂତ୍ରପାତ ହେଲା । ପାଇକମାନେ ଖୋର୍ଦ୍ଧାର ଭିନ୍ନ ଭିନ୍ନ ସ୍ଥାନ ଆକ୍ରମଣ କରି ଖୋର୍ଦ୍ଧାର ଇଂରାଜଙ୍କ ରାଜକୋଷ ଲୁଣ୍ଠନ କଲେ । ବାଣପୁରର ସରକାରୀ ଘରମାନ ଓ ଥାନା ଆକ୍ରମଣ କରି ଶତାବଧି ଲୋକଙ୍କୁ ମାରି ୧୫ହଜାର ଟଙ୍କା ଘେନିଗଲେ । ସଲ୍‌ଟ ଏଜେଣ୍ଟ ବିଚର ସାହେବଙ୍କ ନୌକା ହ୍ରଦରେ ଧୃତ ହୋଇ ଲୁଣ୍ଠିତ ହେଲା, ମାତ୍ର ବିଚର ସାହେବଙ୍କ ପ୍ରାଣ ବଞ୍ଚିଥିଲା । ଆଉ ଏକ ଦଳ ପାଇକ ଲେମ୍ବାଇ ଆକ୍ରମଣ କରି ସେଠାରେ ଚରଣ ପଟ୍ଟନାୟକ ନାମକ ଜଣେ ସରକାରୀ କର୍ମଚାରିଙ୍କି ନିଧନ କଲେ । ତଦନନ୍ତର ଇଂରାଜମାନେ ବିଦ୍ରୋହର ସମସ୍ତ ବୃତ୍ତାନ୍ତ ଅବଗତ ହୋଇ ଦୁଇଦଳ ସୈନ୍ୟ ପ୍ରରୋ ଓ ଫେରିସ ସାହେବଦ୍ୱୟଙ୍କ ନାୟକତ୍ୱରେ ଖୋର୍ଦ୍ଧା ଓ ପିପିଲିଠାକୁ ପଠାଇଲେ । ସେ ସମୟର ମାଜିଷ୍ଟ୍ରେଟ ଇମ୍ପ ସାହେବ ମଧ୍ୟ ୬୦ ଜଣ ସିପାହୀ ଘେନି ଖୋର୍ଦ୍ଧାଦିଗକୁ ଗତି ବିସ୍ତାର କଲେ । ଖୋର୍ଦ୍ଧାର ଚତୁର୍ଦ୍ଦିଗରୁ ସେ ସମୟରେ କେବଳ ତୀର ନିକ୍ଷିପ୍ତ ହେଉଥିଲା । ପ୍ରାୟ ତିନିସ‌ହ‌ସ୍ର ସରିକି ପାଇକ ଏକତ୍ର ହୋଇଥିଲେ । କାହାର ସାଧ୍ୟ ଥିଲା ଯେ ସହଜରେ ଖୋର୍ଦ୍ଧା ମଧ୍ୟକୁ ସେ ସମୟରେ ଯାଇ ପୁଣି ପ୍ରାଣ ଘେନି ଫେରି ଅସେ । ଗଙ୍ଗପଡ଼ାଠାରେ ଫେରିସ ସାହେବ ନିହତ ହେଲେ । ଇମ୍ପି ସାହେବ ବ୍ୟତିବ୍ୟସ୍ତ ହୋଇ ପୁରୀଠାକୁ ଫେରିଗଲେ । ସେଠାରୁ ପୂର୍ବରାଜାଙ୍କୁ