ପୃଷ୍ଠା:Odishara Itihas.pdf/୧୬୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୩
ଅଷ୍ଟମ ଅଧ୍ୟାୟ ।

କଟକ ଘେନି ଆସିବାର ପ୍ରସ୍ତାବ କଲେ । କ୍ୟାପ୍‌ଟେନ ଓଆଲିଂଣ୍ଟନ ନାମକ ଆଉ ଜଣେ ଇଂରାଜ ସୈନିକକର୍ମଚାରୀ ପୁରୀଠାକୁ ପ୍ରେରିତ ହେଲେ । ତାଙ୍କ ପ୍ରସ୍ତାବାନୁସାରେ ଲିଫିଭର ସାହେବ ୫୫୦ ଜଣ ସେନା ଗୋଟିକେତେ ତୋପ ଘେନି ଖୋର୍ଦ୍ଧାକୁ ପ୍ରେରିତ ହେଲେ । ବିଦ୍ରୋହିମାନେ ଇତିମଧ୍ୟରେ ପୁରୀ ଆକ୍ରମଣ କରି ସେ ନଗର ହସ୍ତଗତ କଲେ । ପୁରୀର ସମସ୍ତ ସାହେବମାନେ ଏପ୍ରେଲ ମାସ ୧୮ ତାରିଖ ଦିନ ଭୟରେ ପଲାଇ ଆସି କଟକରେ ପ‌ହଞ୍ଚିଲେ । ଲିଫିଭର ସାହେବ ଖୋର୍ଦ୍ଧାରେ ପହଞ୍ଚି ପାଇକଗ୍ରାମମାନଙ୍କରେ ଅଗ୍ନି ଲଗାଇଦେଲେ ଓ ତାଙ୍କ ସଙ୍ଗେ ଥିବା ସୈନ୍ୟଙ୍କୁ ଏପରି ସଜାଇଲେ ଯେ, ତାହା ଶତ୍ରୁପକ୍ଷଙ୍କ ମନରେ ଶଙ୍କା ଜନ୍ମାଇଥିଲା । ଅବଶେଷରେ ସେ ପୁରୀକି ଯାଇ ପୁରୀରାଜାଙ୍କୁ ଧୃତ କଲେ । ସାରଙ୍ଗଗଡ଼ ପାଇକମାନଙ୍କର ଯୁଦ୍ଧର ଅସ୍ତ୍ରାଦି ଓ ଖାଦ୍ୟସାମଗ୍ରୀ ସଞ୍ଚୟ କରି ରଖିବାର ପ୍ରଧାନ ସ୍ଥଳୀ ହୋଇଥିଲା; ଅଦ୍ୟାପି ସାରଙ୍ଗ‌ଗଡ଼ର ଭୂମି ଖୋଳିଲେ ଖତ ହୋଇ ଯାଇଥିବା ଅପର୍ଯ୍ୟାପ୍ତ ପୁରୁଣା ଚାଉଳ ଚିତ୍ତର ଔତ୍ସୁକ୍ୟ ଓ ଅନୁସନ୍ଧିସ୍ଥା ବର୍ଦ୍ଧନ କରଇ । ହ୍ୟାମିଲ୍‌ଟନ ସାହେବ ସାରଙ୍ଗଗଡ଼ ଆକ୍ରମଣ କରି ସେ ଦୁର୍ଗକୁ ଅଧିକାର କରିଥିଲେ । ସେଠାରୁ ସେ ପୁରୀ ଗମନ କଲେ ଓ ଲିଫିଭର ସାହେବ ପୁରୀର ପୁରୀରାଜାଙ୍କୁ ସତର୍କତାର ସ‌ହିତ କଟକ ଆନୟନ କଲେ । କଟକରେ ବାରବାଟୀ କିଲ୍ଲା ମଧ୍ୟରେ ରାଜା ବନ୍ଦୀ ହୋଇ ରହିଲେ ।

ଖୋର୍ଦ୍ଧାଠାରେ ସର ମିଟ୍ରିଣ୍ତଲ ସାହେବ ମିଲିଟରୀ କମିଶନର ନିଯୁକ୍ତ ହୋଇ ଇଉର ସାହେବଙ୍କୁ ସଙ୍ଗେ ଘେନି ଯୁଦ୍ଧ କଏଦିଙ୍କ ବିଚାରାର୍ଥ ୧୮୧୭ ମସିହାର ମେ ମାସରେ ଉପସ୍ଥିତ ହେଲେ । ଦେଶର ଅନ୍ୟାନ୍ୟ ଭାଗରେ ମଧ୍ୟ ପାଇକଙ୍କର ଉତ୍ପାତ ଘଟିଥିଲା । ପାଇକମାନେ ଅସୁରେଶ୍ୱର, ତିରଣ, ହରିହରପୁର, ଓ ଗୋପ ଥାନାମାନ ପୋଡିଦେଇ ଦେଶର ଅନ୍ୟାନ୍ୟ ବ‌ହୁ ଅନିଷ୍ଟ ଉତ୍ପାଦନ କଲେ । କୁଜଙ୍ଗ ଓ କନିକା ରାଜାମାନେ ଗୁପ୍ତଭାବରେ ସେମାନଙ୍କୁ ଉତ୍ତେଜିତ କରୁଥିଲେ । ସେ ୧୮୧୭ଖ୍ରୀଷ୍ଟାବ୍ଦର ସେପ୍ଟେମ୍ବର ମାସରେ କ୍ୟାପ୍ଟେନ କେନେଟ୍ ସାହେବ କେତେକ ସୈନ୍ୟ ଘେନି କୁଜଙ୍ଗ ବିରୁଦ୍ଧରେ ଯାତ୍ରା କଲେ । ପାରାଦ୍ୱୀପ ଅନାୟାସରେ ତାଙ୍କର ହସ୍ତଗତ ହେଲା । ପାରାଦ୍ୱୀପରୁ ନୂଆଗଡ଼ ଗ୍ରାମକୁ କେନେଟ୍ ସାହେବ ଯାତ୍ରା କଲେ । ସେଠାରେ ଦୁଇହଜାର ପାଇକଙ୍କ ସଙ୍ଗେ ଯୁଦ୍ଧ ହେଲା, ପାଇକମାନେ ପରାସ୍ତ ହେଲେ । ଦୁଇ ହସ୍ତୀ ଓ ଆଠ ଅଶ୍ୱ କେନେଟ୍ ସାହେବ ଯୁଦ୍ଧରେ ଲାଭ କଲେ । ନାରାୟଣ ପରମଗୁରୁ ଓ ବାମଦେବ ପାଟ‌ଯୋଷୀ ପାଇକଙ୍କର ଦୁଇ ନେତାଏ ମଧ୍ୟ ଧୃତ ହେଲେ । କୁଜଙ୍ଗରାଜା ଆତ୍ମସମର୍ପଣ କଲେ । ବାରବାଟୀ କିଲ୍ଲାରେ କୁଜଙ୍ଗରାଜା ବର୍ଷେ କାଳ କାରାରୁଦ୍ଧ ହୋଇ ରହିଲେ ।