ପୃଷ୍ଠା:Odishara Itihas.pdf/୨୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଓଡ଼ିଶାର ଇତିହାସ ।

ବିଭାଗ - ସ୍ୱଭାବତଃ ଓଡ଼ିଶା ତିନି ଭାଗରେ ବିଭକ୍ତ ହୋଇଅଛି । ଏକ ଭାଗ ଶୈଳସମାକୀର୍ଣ୍ଣ ଅରଣ୍ୟମୟ ଉଚ୍ଚଭୂମି, ଦ୍ୱିତୀୟ ସମତଳଭୂମି ଏବଂ ତୃତୀୟ ଅରଣ୍ୟ ଓ କର୍ଦ୍ଦମମୟ ନିମ୍ନଭୂମି; କିନ୍ତୁ ଶାସନର ସୁବିଧାର୍ଥ ଏହା ଦୁଇ ଭାଗରେ ବିଭକ୍ତ ହୋଇ, ପ୍ରଥମୋକ୍ତ ଉଚ୍ଚଭୂମି ଗଡ଼ଜାତ ଓ ସମତଳ ଏବଂ ନିମ୍ନଭୂମି ମୋଗଲବନ୍ଦୀ ନାମରେ ଆଖ୍ୟାତ ହୋଇଅଛି ।
ଗଡ଼ଜାତ ୧୯ ଭାଗରେ ବିଭକ୍ତ । ପ୍ରତ୍ୟେକ ଭାଗ ଏକ ଏକ କରଦରାଜାଙ୍କଦ୍ୱାରା ଶାସିତ; କିନ୍ତୁ ଏଥି ମଧ୍ୟରୁ ଦୁଇ ଗଡ଼ ଖାସ ହୋଇ ବର୍ତ୍ତମାନ ଇଂରାଜଙ୍କ ଶାସନାଧୀନରେ ଅଛି ।
ମୋଗଲବନ୍ଦୀ ତିନି ଜିଲାରେ ବିଭକ୍ତ, ଯଥା:-କଟକ, ପୁରୀ ଓ ବାଲେଶ୍ୱର । ପୁଣି ଏ ଜିଲାତ୍ରୟ ମଧ୍ୟରୁ କଟକ ୭୨, ପୁରୀ ୩୬, ବାଲେଶ୍ୱର ୫୮ ପରଗନ୍ନାରେ ବିଭକ୍ତ ହୋଇଅଛି । ଏହି ତିନିଜିଲା ଇଂରାଜଙ୍କର ସାକ୍ଷାତ୍‌ଶାସନ ଭୋଗ କରଇ ।
ପ୍ରଧାନ ନ‌ଗର ଓ ଗ୍ରାମ - ଗଡ଼ଜାତମାନଙ୍କରେ ପ୍ରକୃତ ସ‌ହର ଥିବାର କୌଣସିଠାରେ ଦୃଷ୍ଟିଗୋଚର ହୁଅଇ ନାହିଁ । ଢ଼େଙ୍କାନାଳ ଗଡ଼ ସେଠା ଭୂତପୂର୍ବ ମହାରାଜାଙ୍କ ଯତ୍ନରେ ଅନ୍ୟାନ୍ୟ ଗଡ଼ମାନଙ୍କ ଅପେକ୍ଷା ଅଧିକ ଶୋଭନୀୟ ଓ କିଞ୍ଚିତ ନ‌ଗର ପରି ଦୃଶ୍ୟମାନ ହୁଅଇ । ଓଡ଼ିଶା ମୋଗଲବନ୍ଦୀ ମଧ୍ୟରେ ତିନି ଗୋଟି ପ୍ରଧାନ ନ‌ଗର ଅଛି, ଯଥା:-କଟକ, ପୁରୀ ଓ ବାଲେଶ୍ୱର । ପ୍ରଧାନ ପ୍ରଧାନ ଗ୍ରାମ ମଧ୍ୟ ଅଧିକ ନାହିଁ ।
କଟକ ଦଶମ ଶତାବ୍ଦୀରେ ନୃପକେଶରୀ ନାମକ ଏକ ରାଜାଙ୍କଦ୍ୱାରା ନିର୍ମିତ ହୋଇଥିଲା, ସେହି ସମୟରୁ ଆଜିପର୍ଯ୍ୟନ୍ତ ଏହା ଓଡ଼ିଶାର ରାଜଧାନୀ ହୋଇ ଆସୁଅଛି । ଅନଙ୍ଗଭୀମଦେବଙ୍କ ସମୟ ନିର୍ମିତ ବାରବାଟୀ ଦୁର୍ଗର ଭଗ୍ନାବଶେଷ ଏଠାରେ ଅଦ୍ୟାପି ଦୃଷ୍ଟିଗୋଚର ହୁଅଇ । ଅରଙ୍ଗଜୀବଙ୍କ ସମୟରେ ଗଠିତ ହୋଇଥବା ଏକ ମସଜିଦ୍ ଆଜିପର୍ଯ୍ୟନ୍ତ ଏହି ନ‌ଗରର ମଧ୍ୟଭାଗର ଶୋଭା ବର୍ଦ୍ଧନ କରୁଅଛି । ଏଠା ମୁସଲମାନମାନଙ୍କ ସମୟ ନିର୍ମିତ ଅନ୍ୟତର ଧର୍ମାଳୟ କଦମରସୁଲ ଅଟଇ । ଏଠାରେ ଜୈନଙ୍କର ଏକ ଭଜନାଳୟ ସୁଦ୍ଧା ଏପର୍ଯ୍ୟନ୍ତ ବିଦ୍ୟମାନ ଅଛି । ରଘୁନାଥଜୀଉଙ୍କ ମନ୍ଦିର ଏସ୍ଥାନୀୟ ସମସ୍ତ କ୍ଷୁଦ୍ର ଦେବାଳୟ ମଧ୍ୟରେ ପ୍ରଧାନ । ସ୍ୱାଧୀନ ଓଡ଼ିଶା ହିନ୍ଦୁରାଜାଙ୍କ ସମୟରେ ବାରବାଟୀ


  • (୧) ମୟୂରଭଞ୍ଜ,(୨) ନୀଳଗିରି, (୩) କେନ୍ଦୁଝର, (୪) ପାଳ‌ଲହଡ଼ା, (୫) ଢ଼େଙ୍କାନାଳ, (୬) ଆଠମଲ୍ଲିକ, (୭) ଅନୁଗୁଳ, (୮) ଦଶପଲା, (୯) ନରସିଂହପୁର, (୧୦) ତିଗିରିଆ, (୧୧) ବୌଦ, (୧୨) ନୂଆଗଡ଼, (୧୩) ରଣପୁର, (୧୪) ବାଙ୍କୀ, (୧୫) ତାଳଚେର, (୧୬) ହିନ୍ଦୋଳ, (୧୭) ଖଣ୍ତପଡ଼ା, (୧୮) ବଡ଼ମ୍ୱା, (୧୯) ଆଠଗଡ଼ । ବାଙ୍କୀ ଓ ଅନୁଗୁଳ ।