ପୃଷ୍ଠା:Odishara Itihas.pdf/୫୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୩
ଦ୍ୱିତୀୟ ଅଧ୍ୟାୟ ।


ପର୍ବତୋତ୍କୀର୍ଣ୍ଣ ଦ୍ୱିତଳ ଗୃହାବଳୀ ଓ ନାନାପ୍ରକାର ପ୍ରତିମୂର୍ତ୍ତି ଦର୍ଶନଲବ୍ଧ ହୁଅଇ; ଏହି ଗୃହାବଳୀ ମଧ୍ୟରେ ରାଣୀନହର * ପ୍ରଧାନ ଅଟଇ । କେହି କେହି ଏ ସବୁକୁ ଅଶୋକ ଓ ତ‌ତ୍ପରବର୍ତ୍ତୀ ରାଜାଙ୍କ ସମୟରେ ଗଠିତ ହୋଇଥିବାର କହନ୍ତି, ମାତ୍ର ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଐରରାଜାଙ୍କ ଆଜ୍ଞାନୁକ୍ରମେ ଏ ସବୁର ଗଠନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଐରରାଜାଙ୍କ ସମ୍ବନ୍ଧରେ ଓ ସେହି ସମୟର ଯେଉଁ ଖୋଦିତ ଲିପି ହାତୀଗୁମ୍ଫାରେ ବିଦ୍ୟମାନ ଅଛି, ସେଥିରେ ଏହି ଗୁମ୍ଫା ଓ ପ୍ରକୋଷ୍ଠମାନ ନିର୍ମାଣ କରିବାର ଆଜ୍ଞା ଥିବାର ଜଣାଯାଏ । ତାଙ୍କ ପରବର୍ତ୍ତୀ ଅଶୋକଙ୍କ ଶାସନାବଳୀରେ ଏପରି କାର୍ଯ୍ୟପାଇଁ କୌଣସି ଉପଦେଶ ଥିବାର ଦୃଷ୍ଟିଗୋଚର ହୁଅଇ ନାହିଁ । ଐରରାଜାଙ୍କ ସମୟ ସରିକି ବୌଦ୍ଧଧର୍ମ ସାମାଜିକତା ଭାବକୁ ଧାରଣ କରିଥିଲା ଏବଂ ନାନାପ୍ରକାର ଆଚାରବ୍ୟବହାର ଓ ଉତ୍ସବ ମଧ୍ୟ ଏଥି ମଧ୍ୟରେ ପ୍ରବିଷ୍ଟ ହୋଇଥିଲା; ସାଧାରଣ ବୌଦ୍ଧଭ୍ରାତାମାନେ ସାଧନ, ଭଜନ ଓ ସଦାଳାପ କରିବା ସକାଶେ ଏକତ୍ରିତ ହେଉଥିଲେ । ଏଥିପୂର୍ବ ବର୍ଣ୍ଣିତ ଐରରାଜାଙ୍କ ଜୀବନଚରିତରୁ ପ୍ରକାଶ ପାଉଅଛି ଯେ ତାଙ୍କ ସମୟ ସରିକି କୌଣସି କୌଣସି ବୌଦ୍ଧରାଜାମାନଙ୍କ ମଧ୍ୟରେ କେତେକ ପରିମାଣରେ ବିଳାସପ୍ରିୟତା ମଧ୍ୟ ବାହୁ ପ୍ରସାରଣ କରିଥିଲା । ଲୋକଙ୍କର ଶିଳ୍ପ ଚାତୁର୍ଯ୍ୟରେ ମଧ୍ୟ ପାରଦର୍ଶିତା ଜନ୍ମି ଥିଲା ।


ସୁତରାଂ ଚିନ୍ତାସ୍ଥାନ ଗହ୍ୱରକୁ ଏ ପ୍ରକାର କରିଥିଲେ ଯେ ମନରେ କୁପ୍ରବୃତ୍ତିର ଉଦୟ ହେଲାକ୍ଷଣି ସେ ଗହ୍ୱର ଉପରିସ୍ଥିତ ଭୀଷଣ ଆକାରମାନ ଦେଖି ପ୍ରବୃତ୍ତିର ବେଗ ନିବାରଣ କରିବାପାଇଁ ସାହାଯ୍ୟ ଲଭୁଥିଲେ । ଆଧୁନିକ ବ୍ରାହ୍ମ କେହି କେହି ଏହିରୂପେ କୁପ୍ରବୃତ୍ତି ନିବାରଣ ଓ ଧର୍ମରେ ମତି ବଳାଇବାପାଇଁ “ମୃତ୍ୟୁ" ଏହି ଶବ୍ଦକୁ ଏକ କାଗଜରେ ଲେଖି ସମ୍ମୁଖରେ ଟାଙ୍ଗି ରଖନ୍ତି । ମୋକ୍ଷ ମୁଲର (Chips Vol. I. P. 272.) ପେଶୋଆରରେ ଗୋଟିଏ ସର୍ପଗହ୍ୱର ଉକ୍ତ ଅଭିପ୍ରାୟ ସାଧନାର୍ଥ ଥିବାର ହାଓଂଶାଂ ଦେଖିଥିଲେ ବୋଲି ଲେଖିଅଛନ୍ତି ।

  • ରାଣୀନହର=ରାଣୀନଅର (ପ୍ରାକୃତ) । ଏଥିର ଅନ୍ୟ ନାମ ରାଣୀହଂସପୁର= ରାଣୀଅନ୍ତସପୁର=ରାଣୀଅନ୍ତଃପୁର (ସଂସ୍କୃତ) । ଓଡ଼ିୟାମାନେ ସଂସ୍କୃତ ଓ ପ୍ରାକୃତ କେତେକ ଶବ୍ଦର ଅ ସ୍ଥାନରେ "ହ" ବ୍ୟବହାର କରି ଉଚ୍ଚାରଣ କରନ୍ତି । ଏହୁଟି ଆଧୁନିକ ନାମ । ରାଜା ଲ‌ଲାଟେନ୍ଦ୍ର କେଶରୀ ଏଠାରେ କେତେ କେତେ ବେଳେ ସମବାସ କରୁଥିଲେ । ଅନ୍ୟ କୌଣସି କୌଣସି ହିନ୍ଦୁରାଜା ମଧ୍ୟ ସମୟ ସମୟରେ ଏହିପରି ଏଠାରେ ବାସ କରିଥିବେ । ଏହି ଘଟନାକୁ ଅବଲମ୍ବନ କରି ଲୋକେ ଏହି ନାମରେ ଏ ସ୍ଥାନ‌କୁ ଅଭିହିତ କରିଅଛନ୍ତି ।