ପୃଷ୍ଠା:Odishara Itihas.pdf/୫୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱିତୀୟ ଅଧ୍ୟାୟ । ୩୫
ଉକ୍ତ ମନ୍ଦିର ମଧ୍ୟରେ ଓ ଖଣ୍ଡଗିରିର ଅନ୍ୟାନ୍ୟ ସ୍ଥାନରେ ପ୍ରତିଷ୍ଠିତ ହୋଇଥିବାର ଦେଖାଯାଏ * ।
ନୀଳଗିରି ଓ ଧଉଳିଗିରି — ନୀଳଗିରି ଖଣ୍ଡଗିରିକୁ ଲାଗି ଭୁବନେଶ୍ୱରର ଦକ୍ଷିଣପଶ୍ଚିମ‌ବର୍ତ୍ତି ଏକ ଅନୁଚ୍ଚ ପାହାଡ଼ ଅଟଇ । ଏଥିରେ କୌଣସି ବୌଦ୍ଧକୀର୍ତ୍ତି ଦେଖାଯାଏ ନାହିଁ ।
ଧଉଳିଗିରି ଭୁବନେଶ୍ୱରର କିଞ୍ଚିତ ଦୂରବର୍ତ୍ତୀ ଦୟାନଦୀର ଦକ୍ଷିଣତୀରରେ ଅବସ୍ଥିତ । ଏଥିର ସର୍ବୋଚ୍ଚ ଚୂଡ଼ା ୧୬୦ ହାତ ସରିକି ହେବ । ଏଥିରେ ବୌଦ୍ଧଙ୍କଦ୍ୱାରା ପାହାଡ଼ ଦେହରୁ ଗଠିତ କେତେଗୁଡ଼ିଏ କ୍ଷୁଦ୍ର ଗୁମ୍ଫା ମଧ୍ୟ ନେତ୍ର ଗୋଚର ହୁଅଇ । ଏମାନ ସମ୍ଭବତଃ ଐରରାଜା ବା ତ‌ତ୍‌ପୂର୍ବବର୍ତ୍ତୀ କୌଣସି ସମୟରେ ଗଠିତ ଥିବା ପ୍ରାୟ ବୋଧ ହୁଅଇ । ଏହି ପାହାଡ଼ ତିନି ଭାଗରେ ବିଭକ୍ତ । ସେଥି ମଧ୍ୟରୁ ଅଶ୍ୱ‌ତ୍ଥାମା ø ନାମକ ପାହାଡ଼ରେ ଅଶୋକଙ୍କର ଏକାଦଶ ଆଜ୍ଞା ଓ ଅନ୍ୟ ଦୁଇ ସ୍ଥାନୀୟ ଶାସନ ଅଙ୍କିତ ଥାଇ ଅଦ୍ୟାପି ଏକେଶ୍ୱରବାଦ ଓଡ଼ିଶାରେ ପ୍ରଚାର କରୁଅଛି । ଆଉ ଏକ ଅଙ୍କିତ ଶାସନ (ସମ୍ଭବତଃ ଅଶୋକଙ୍କ ପୂର୍ବକାଳର) ଧଉଳିଗିରିର ଅନ୍ୟତ୍ର ବିଦ୍ୟମାନ ଅଛି । ମାତ୍ର ତାହା ଏକ ପ୍ରକାର ଅବ୍ୟକ୍ତ

* ଜୈନଙ୍କର ଧର୍ମମତ ଅପୂର୍ବ ପ୍ରକାରର ଅଟଇ । - ସେମାନେ ଜଗତର ସ୍ରଷ୍ଟା, ପାତା (ପାଳକ) ଓ ସଂହାରକର୍ତ୍ତା ସ୍ୱୀକାର କରନ୍ତି ନାହିଁ । ବୁଦ୍ଧଙ୍କୁ ଓ ବୌଦ୍ଧଙ୍କର ଅହିଂସାବାଦ ଓ ନିଃସ୍ୱାର୍ଥପରତାର ସମସ୍ତ ମତ ଗ୍ରାହ୍ୟ କରନ୍ତି । ହିନ୍ଦୁଙ୍କର ସୂର୍ଯ୍ୟ ଲକ୍ଷ୍ମୀ ପ୍ରଭୃତି କେତେକ ଦେବଦେବୀଙ୍କୁ ମାନନ୍ତି ଓ ସେମାନଙ୍କୁ ହିନ୍ଦୁଙ୍କ ଅପେକ୍ଷା ଭିନ୍ନ ଧ୍ୟାନର ମନ୍ତ୍ରରେ ଆରାଧନା କରନ୍ତି । କେତେକ ଆଦି ଜୈନଧର୍ମାବଲମ୍ବିଙ୍କୁ ମହାପୁରୁଷ ଓ ଅବତାର ସ୍ୱରୂପେ ପୂଜା କରନ୍ତି । ସର୍ବପ୍ରକାର ସୁଖକୁ ସ୍ୱର୍ଗ ବୋଲି ମାନନ୍ତି । ମୃତ୍ୟୁରେ ଲୟ ସ୍ୱୀକାର କରନ୍ତି । ଜୈନଧର୍ମର ଉତ୍ଥାନ ସମ୍ଭବତଃ ବୌଦ୍ଧଧର୍ମର ହ୍ରାସର ସମକାଳୀନ ଅଟଇ । ଓଡିଶାର ପରିବାରମାନେ ଏହି ଧର୍ମାବଲମ୍ୱୀ । କଟକରେ ମଧ୍ୟ ଏକ ଜୈନମନ୍ଦିର ଅଛି ।
ø ଏହି ପାହାଡ଼ର ନାମ ଶାସନରେ ମହାମତ ସ୍ୱ‌ସତମ୍ ( ମହାମାତ୍ୟମାନଙ୍କର ଚିନ୍ତାସ୍ଥାନ) ବୋଲି ନିର୍ଦ୍ଦିଷ୍ଟ ଅଛି । ହିନ୍ଦୁଏ ବର୍ତ୍ତମାନ ତାକୁ ଗୌରବବର୍ଦ୍ଧନ ଆଶାରେ ହେଉ ଅଥବା କ୍ରମୈକ ଉଚ୍ଚାରଣ ଦୋଷରୁ ହେଉ, "ଅଶ୍ୱତ୍ଥାମା" ନାମ ଦେଇଅଛନ୍ତି । ହିନ୍ଦୁଙ୍କଦ୍ୱାରା ବୌଦ୍ଧ ନାମ ଲୋପ କରିବା ଉଦ୍ଦେଶ୍ୟରେ ଧଉଳିଗିରିରେ ମହାଦେବ, ଗଣେଶ ପ୍ରଭୃତିଙ୍କର ମନ୍ଦିରମାନ ସୁଦ୍ଧା ନିର୍ମିତ ହୋଇଅଛି । ସେମାନ ଅଦ୍ୟପି ଦୃଷ୍ଟିଗୋଚର ହୁଅଇ ।