ପୃଷ୍ଠା:Odishara Itihas.pdf/୬୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


 ମନୁଷ୍ୟର ପ୍ରତିମୂର୍ତ୍ତିକି ଭିନ୍ନ ଭିନ୍ନ ଆକାରରେ ଭିନ୍ନ ଭିନ୍ନ ଅବସ୍ଥାରେ, ମନୁଷ୍ୟ ଅବୟବର ଯାଥାର୍ଥ ଓ ସୁପରିମାଣ ରକ୍ଷା କରି ଗଠନ କରିବାରେ ଉକ୍ତ ଖୋଦକମାନ ଅତି ପ୍ରଶଂସନୀୟରୂପେ କୃତକାର୍ଯ୍ୟ ହୋଇଥିଲେ । ଫଳତଃ ପୂର୍ବତନ ଗ୍ରୀସ, ମିସର, ପାରସ୍ୟ ପ୍ରଭୃତିର ଭାସ୍କରମାନଙ୍କ ଅପେକ୍ଷା ଯେ ଏମାନେ ହୀନ ନ ଥିଲେ, ଏ କଥାର ଦ୍ୱିରୁକ୍ତି ଅନାବଶ୍ୟକ । କେତେକ ଇଉରୋପୀୟ ଗ୍ରନ୍ତକାରମାନେ କ‌ହିଅଛନ୍ତି ଯେ ଭାରତବର୍ଷର ଏହି ପୁରାକାଳର ଶିଳ୍ପକାର୍ଯ୍ୟମାନ ଭାରତବାସୀଏ ଗ୍ରୀକଙ୍କଠାରୁ ଶିକ୍ଷା କରିଥିଲେ । କିନ୍ତୁ ଏହା ଅସମ୍ଭବପର । ଐରରାଜାଙ୍କ ଆଜ୍ଞାକ୍ରମେ ଯେତେବେଳେ ଉଦୟଗିରିରେ ଗୁମ୍ଫା ଗଠିତ ହୋଇଥିଲା, ତେତେବେଳକୁ ଗ୍ରୀକମାନେ ଭାରତ ଆକ୍ରମଣ କରି ନ ଥିଲେ କି ସେମାନଙ୍କ ସ‌ହିତ ଭାରତବାସିଙ୍କର କୌଣସି ପ୍ରକାର ସୌହାର୍ଦ୍ର୍ୟ ଓ ଘନିଷ୍ଠତା ଜନ୍ମି ନଥିଲା; ବରଂ ପାଶ୍ଚାତ୍ୟବାସିମାନେ ଭାରତୀୟଙ୍କ ନିକଟରେ ବର୍ବର, ମ୍ଳେଚ୍ଛ ଓ ଅସଭ୍ୟ ଜାତି ବୋଲି ପରିଚିତ ଥିଲେ । ଏ ଅବସ୍ଥାରେ ଗ୍ରୀକଙ୍କଠାରୁ ସଭ୍ୟତାସମ୍ପାଦକ ଓ ଉନ୍ନତି-ବ୍ୟଞ୍ଜକ ପ୍ରସ୍ତରଶିଳ୍ପତତ୍ତ୍ବ ଶିକ୍ଷା କରିବା ବିଷୟରେ ଭାରତୀୟଙ୍କର ଯେତେଦୂର ସୁଯୋଗ ବା ସୁବିଧା ଥଲା ଅଥବା ଇଚ୍ଛା ଜନ୍ମିଥିବ ତାହା ସହଜେ ଅନୁମାନ କରାଯାଇ ପାରେ । ମଧ୍ୟ ଭାରତବର୍ଷରେ ଏଥି ପୂର୍ବରୁ ଅନେକ ଦିନରୁ ପ୍ରସ୍ତରଶିଳ୍ପର ବ୍ୟବହାର ବିଦ୍ୟମାନ ଥିବାର ବିସ୍ତର ସ୍ବାଧୀନ ପ୍ରମାଣ ପ୍ରଦର୍ଶିତ ବୋଇପାରେ । ସୁତରାଂ ଅଶୋକ ଓ ଉତ୍ପରବର୍ତ୍ତୀ ବୌଦ୍ଧକାକ ସମୟରୁ ପ୍ରସ୍ତରଶିଳ୍ପର ଯେଉଁ ଅଧିକ ଉନ୍ନତି * ସାଧିତ ହୋଇଥିଲା, ତାହା ଯେ କେବଳ ଭାରତବାସିଙ୍କ ଯତ୍ନରେ ଏବଂ ଗ୍ରୀକଙ୍କର ସେଥିରେ କିଛି ସାହାଯ୍ୟ ନ ଥିଲା ଏହା ଅବଶ୍ୟମ୍ଭାବୀ କଥା । ଅଶୋକଙ୍କ ରାଜତ୍ୱର କେତେକ ବର୍ଷ ପୂର୍ବରୁ ପୁର୍ବଭାରତବର୍ଷଯାଏ ଦୂତ ହୋଇ ରହିବା ଓ ବୁଲିବା ନିମନ୍ତେ ଗ୍ରୀକ୍ କେତେକ ଆସିଥିଲେ ଏବଂ କେତେକ ଭାରତବାସିଙ୍କ ସହିତ ପରିଚିତ ହୋଇଥିଲେ ସତ୍ୟ, କିନ୍ତୁ ତଥାପି ସେମାନଙ୍କର ପରସ୍ପର ଆଚାର ବ୍ୟବ‌ହାର ପ୍ରଭୃତିରେ ଏତେଦୂର ପ୍ରଭେଦ ଏବଂ ଗ୍ରୀକଙ୍କ ସଂଖ୍ୟା


  • ସେଥିପୂର୍ବ ଓ ସେ ସମୟ (ଖ୍ରୀ: ପୂ: ୩୫୦) ଲିଖିତ ସଂସ୍କୃତ ଗ୍ରନ୍ଥମାନଙ୍କରୁ ଏ କଥା ସପ୍ରମାଣ ହୁଅଇ ।
  • ଧଉଳିଗିରିର କାର୍ଯ୍ୟକଳାପରୁ ଏବଂ ନଳତି ଓ ଅଳତି ଗିରିର ଭଗ୍ନାବଶେଷରୁ ଯହିଁର କି କେତେକ ଅଂଶ ବର୍ତ୍ତମାନ ଚାଉଳିଆଗଞ୍ଜସ୍ଥ ମଥକର ଉଦ୍ୟାନରେ ରହିଅଛି, ଏହା ସମ୍ୟକ୍ ସପ୍ରମାଣ ହୁଅଇ ।