ପୃଷ୍ଠା:Odishara Itihas.pdf/୬୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


________________

୪୫

ଦ୍ୱିତୀୟ ଅଧାୟ ।

ଏଣୁକରି ଆମ୍ଭମାନଙ୍କର ମତରେ ଯବନ ଶବ୍ଦ‌ଦ୍ୱାରା ମାଦଳାପାଞ୍ଜିରେ ବିଧର୍ମୀ ସାଧାରଣ ବୌଦ୍ଧମାନେ ଉଲ୍ଲିଖିତ ହୋଇଅଛନ୍ତି । ମାଦଳାପାଞ୍ଜି ତ୍ରୟୋଦଣ ଖ୍ରୀଷ୍ଟ ଶତାବ୍ଦୀରେ ଲିଖିତ ହେବାର ଆରମ୍ଭ ହୁଅଇ । ସେ ସମସ୍ତ ସରିକି ମୁସଲମାନମାନେ ସୁଦ୍ଧା ଭାରତବର୍ଷର ଉତ୍ତର ପଶ୍ଚିମାଞ୍ଚଳକୁ ଚଢ଼ାଉ କରିଥିଲେ । ତେତେବେଳକୁ ଗ୍ରୀକ୍ କି ଅନ୍ୟ ପାଶ୍ଚାତ୍ୟବାସୀ ଛଡ଼ା ସାଧାରଣ ମ୍ଳେଚ୍ଛ ବିଜାତୀୟ ଓ ବିଧର୍ମୀମାନଙ୍କ ପ୍ରତି ସୁଦ୍ଧା ଯବନ ଶବ୍ଦ ପ୍ରୟୋଗ କରିବାର ରୀତି ପ୍ରଚଳିତ ହୋଇ ଥିଲା । ସୁତରାଂ ହିନ୍ଦୁଙ୍କ ଚକ୍ଷୁରେ ଜାତ୍ୟାଭିମାନ ତ୍ୟାଗ କରି ଏକପ୍ରକାର ମ୍ଳେଚ୍ଛତ୍ୱକୁ ଲଭିଥିବା ବିଧର୍ମୀ ବୌଦ୍ଧମାନେ ଯବନ ଶବ୍ଦ‌ଦ୍ୱାରା ମାଦଳାପାଞ୍ଜିରେ ବୈଷ୍ଣବ ପଞ୍ଜିକାଲେଖକଙ୍କ କର୍ତ୍ତୃକ ଉକ୍ତ ହୋଇଥିବାର ସମ୍ପୂର୍ଣ୍ଣରୂପେ ସମ୍ଭବଯୋଗ୍ୟ । ପୁଣି ଯବନମାନେ ଖ୍ରୀଷ୍ଟପୂର୍ବ ସାର୍ଦ୍ଧ ପଞ୍ଚଶତବର୍ଷରୁ ଏ ଦେଶକୁ କ୍ରମେ କ୍ରମେ ସମୟ ସମୟରେ ଆସିଥିବାର ମାଦଳାରେ ଲିଖିତ ଅଛି । ବୌଦ୍ଧମାନେ ମଧ୍ୟ ସେହି ସମୟରୁ ଆସିଥିବା ଆରମ୍ଭ କରିଥିଲେ । ସୁତରାଂ ଯବନ ଶବ୍ଦ‌ଦ୍ୱାରା ବୌଦ୍ଧମାନେ ଉଲ୍ଲିଖିତ ହୋଇଥିବାର ଅମ୍ଭେମାନେ ଯେଉଁ ବ୍ୟାପ୍ତି ସ୍ଥିର କରିଅଛୁ, ସେଥିର ପୋଷକତା ହ୍ରାସ ନ ହୋଇ ବରଂ ପରିବର୍ଦ୍ଧିତ ହେଉଅଛି ।

ପୁରାକାଳୀନ ଓଡିଶା ରାଜାଙ୍କର ବଙ୍ଗଦେଶରେ ସାମୟିକ ଅଧିକାର-ତାରାନାଥକୃତ* ମଗଧ ରାଜାଙ୍କ ନିର୍ଘଣ୍ଟରୁ ଜଣାଯାଏ ଯେ ଚନ୍ଦ୍ରବଂଶୀୟ ରାଜାମାନେ ବଙ୍ଗଦେଶରେ ରାଜତ୍ୱ କରିବା ସମୟରେ ଓଡ଼ିଶାର କୌଣସି କୌଣସି ରାଜା ବଙ୍ଗଦେଶରେ ସାମୟିକ ଅଧିକାର ପ୍ରାପ୍ତ ହୋଇଥିଲେ । ସମ୍ଭବତଃ ଖ୍ରୀଷ୍ଟୀୟ ଚତୁର୍ଥ ଓ ପଞ୍ଚମ ଶତାବ୍ଦୀରେ ଚନ୍ଦ୍ରବଂଶୀୟ ରାଜାମାନେ ବଙ୍ଗଳାରେ ରାଜତ୍ୱ କରୁଥିଲେ । ଲିଖିତ ଅଛି ଭୃକ୍ଷଚନ୍ଦ୍ର ନାମକ ଜନୈକ ରାଜା ବଙ୍ଗଦେଶରେ ହୀବବଳ ହୋଇ ଉଠିଲାରୁ କାଲେରୁହ ନାମଳ ଓଡ଼ିଶାର ଜଣେ ରାଜା ତାଙ୍କ ରାଜ୍ୟର ପୂର୍ବ ଭାଗରୁ ଅଧୁକାଂଶ ସ୍ୱାଧିକାରଭୁକ୍ତ କରିଥିଲେ ! କର୍ମଚନ୍ଦ୍ର ନାମକ ଅନ୍ୟ ଏକ ବଙ୍ଗୀୟ ରାଜା ନାଗେଶ ନାମଧେୟ ଓଡ଼ିଶାର ଅନ୍ୟ ଏକ ନୃପତିଙ୍କର ଅଧିନସ୍ଥ ହୋଇ ଥିଲେ । ନାଗେଶ ଯମରୁତ ରାଜାଙ୍କର ପୁତ୍ର ଥିଲେ ଓ ନାଗକେଶ ବୋଲି ଜଣେ ବ୍ୟକ୍ତି ତାଙ୍କର ମନ୍ତ୍ରୀ ଥିବାର ସୁଦ୍ଧା କଥିତ ହୋଇଅଛି । ଚନ୍ଦ୍ରବଂଶୀୟ କୌଣସି କୌଣସି ରାଜାଏ ବୌଦ୍ଧଧର୍ମାବଲମ୍ବୀ ଥିବାର ଲିଖିତ ହୋଇଅଛି; ମାତ୍ର ଓଡ଼ିଶାର


* ତାରାନାଥ ଜଣେ ଚୀନପର୍ଯ୍ୟଟକଙ୍କର ଅନୁବାଦିତ ସଂସ୍କୃତ ନାମ ଅଟଇ । ସେ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଭାରତକୁ ଆସି ସଂସ୍କତ ଶିକ୍ଷା କରି ମଗଧରାଜନିର୍ଘଣ୍ଟ ନାମକ ଏକ ଗ୍ରନ୍ଥ ସଂସ୍କୃତରେ ଲେଖିଥିଲେ ।