ପୃଷ୍ଠା:Odishara Itihas.pdf/୮୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୪
ଓଡ଼ିଶାର ଇତିହାସ ।

ଦେବତା ଓ ରାଜାଙ୍କର ବ୍ୟବହାରୋପଯୋଗୀ ଛତ୍ର ଓ ଚାମର ପୂର୍ବେ ଓଡ଼ିଶାରେ ପ୍ରଚଳିତ ଥିଲା । ନାନାପ୍ରକାର ସୁନ୍ଦର ସୁନ୍ଦର ଖଟ, ପଲଙ୍କ, ମୋଡ଼ା, ଚୌକୀ ଓ ଟିପାଇ ମେଜ ପରି ଏକପ୍ରକାର କାଷ୍ଠାସନ ସଙ୍ଗତିଶୀଳ ଲୋକେ ପୂର୍ବେ ବ୍ୟବହାର କରୁଥିବାର ସ୍ପଷ୍ଟ ପ୍ରତୀୟମାନ ହୁଅଇ । ସେ ସମୟରେ ବରପାଲିଙ୍କୀ ଓ ଚୌଦୋଳର ସୁଦ୍ଧା ବ୍ୟବହାର ଥିଲା । କାଷ୍ଠପାଦୁକା ସାଧାରଣରେ ପ୍ରଚଳିତ ଥିଲା । ଚର୍ମପାଦୁକା ସୁଦ୍ଧା କେହି କେହି ପରିଧାନ କରୁଥିଲେ ବୋଲି କୌଣସି କୌଣସି ପୁରାତ‌ତ୍ତ୍ୱବିତ୍ ପଣ୍ତିତ ସ୍ଥିର କରିଅଛନ୍ତି । ଜଳପାତ୍ର ଓ ଅନ୍ୟାନ୍ୟ ପାତ୍ରମାନ, ପାନବଟା, ପିକଦାନୀ, ଦର୍ପଣ, ବ୍ୟଜନୀ ଓ ଅନ୍ୟାନ୍ୟ ଦୈନିକ ଆବଶ୍ୟକୀୟ ନାନା ପଦାର୍ଥର ବ୍ୟବହାର ଓଡ଼ିଶାବାସିଙ୍କ ମଧ୍ୟରେ ପୂର୍ବେ ଥିବା ବିଷୟରେ କୌଣସି ସନ୍ଦେହ ଜାତ ହୁଅଇ ନାହିଁ । ଦୂରରୁ ପ୍ରସ୍ତର ଓ ଦେଶ ମଧ୍ୟରୁ ସ୍ଥାନାନ୍ତରକୁ ଦ୍ରବ୍ୟମାନ ନେବା ଆଣିବା କରିବା ସକାଶେ କୌଣସି ପ୍ରକାର ଶକଟର ଅସ୍ତିତ୍ୱ ଅନୁମାନ କରିବା ଅସଙ୍ଗତ ବୋଲି ବୋଧ ହେଉ ନାହିଁ । ବର୍ତ୍ତମାନ ଗଡ଼ଜାତରେ ଯେଉଁ ଗୋଟିଆମାନ ଦେଖାଯାଏ, ବୋଧ ହୁଏ ଓଡ଼ିଶାର ସେମାନ ଆଦିମ ଶକଟ । ସ୍ଥୂଳରେ ଜୀବନର ଆବଶ୍ୟକୀୟ ସୁଖସ୍ୱଚ୍ଛନ୍ଦପ୍ରଦ ଅନେକ ପଦାର୍ଥ ସପ୍ତମ ଶତାବ୍ଦୀର ଓଡ଼ିଆଙ୍କର ହସ୍ତାଧୀନ ଥିଲା ।
ସଙ୍ଗୀତ ଓ ବାଦ୍ୟ ବିଦ୍ୟାର ଆଲୋଚନା ମଧ୍ୟ ପୂର୍ବେ ଓଡ଼ିଶାରେ ତ୍ୟକ୍ତ ହୋଇ ନ ଥିଲା । ବୀଣା, ଢୋଲକ, କରତାଳ, ମନ୍ଦିରା, ବଂଶୀ ପ୍ରଭୃତି ଗୋଟିକେତେ ଯନ୍ତ୍ର ଓଡ଼ିଶାବାସିମାନେ ପୂର୍ବେ ଆମୋଦପ୍ରମୋଦରେ ବ୍ୟବହାର କରୁଥିଲେ । ଘଣ୍ଟ ଓ ଘଣ୍ଟା ଦେବମନ୍ଦିରମାନଙ୍କରେ ସାଧାରଣତଃ ଧ୍ୱନିତ ହେଉ ଥିଲା । ନାଟ୍ୟମନ୍ଦିରର ଅସ୍ତିତ୍ୱ ଓ ନର୍ତ୍ତକ ବର୍ତ୍ତକୀଙ୍କର ପ୍ରତିମୁର୍ତ୍ତି, ପୂର୍ବେ ନାଟ୍ୟ ଓ ସଙ୍ଗୀତ ଗାୟନ ହେବାର ପରିଚୟ ଦେଉଅଛି ।
ସାଧାରଣ ଡାଲି ଭାତ ଛଡ଼ା ଜୀବନର କିଞ୍ଚିତ ଅଧିକତର ବିଳାସପ୍ରଦ ମିଷ୍ଟାନ୍ନ ଓ ନାନାପ୍ରକାର ମଣ୍ଡାପିଠା ପ୍ରଭୃତି ପ୍ରସ୍ତୁତ କରି ପୂର୍ବକାଳର ଓଡ଼ିଶାବାସିଏ ସେମାନ ଉପଭୋଗ କରୁଥିଲେ । କୌଣସି ପ୍ରକାର ମାଦକଦ୍ରବ୍ୟ ସେବନରେ, ବିଶେଷତଃ ମଦ୍ୟପାନରେ ପୂର୍ବ ଓଡ଼ିଆଏ ପ୍ରବୃତ୍ତ ଥିଲେ କି ନାହିଁ, ପ୍ରତିମୁର୍ତ୍ତିମାନ ଦେଖି ଏ ବିଷୟର କୌଣସି ବ୍ୟାପ୍ତିରେ ଆମ୍ଭେମାନେ ଉପସ୍ଥିତ ହୋଇ ନ ପାରୁଁ ; ମାତ୍ର ଅନୁମିତ ହୁଅଇ ନିତାନ୍ତପକ୍ଷେ ଭୋଳାନାଥଙ୍କ ଭାଙ୍ଗ ଗଞ୍ଜିକାର ଆଧିପତ୍ୟରୁ ତାଙ୍କ ସେବକ ଓ ଉପାସକେ ସମ୍ପୂର୍ଣ୍ଣରୂପେ ମୁକ୍ତ ନ ଥିଲେ ।
ଧନ, ତୀର, କଟାର, ତରବାରୀ, ବର୍ଚ୍ଛା, ଗଦା ପ୍ରଭୃତି ନାନାପ୍ରକାର ଯୁଦ୍ଧାସ୍ତ୍ରର ପ୍ରଚଳନ ପୂର୍ବେ ଓଡ଼ିଶାରେ ଥିଲା । ତୂରୀ ଭେରୀ ଅପେକ୍ଷା ଶଙ୍ଖ