ଆଧୁନିକ ରାଜାମାନେ ତମଲୁକସ୍ଥ ମୟୁରବଂଶୀୟ ରାଜାଙ୍କଠାରୁ ଉତ୍ପନ୍ନ ହୋଇ ଥିବାର ପ୍ରତୀୟମାନ ହୁଅଇ । ପୁଣି ବର୍ଣ୍ଣିତ ଅଛି ଯେ ମୟୁରଭଞ୍ଜରୁ ମୟୁରବଂଶୀୟ ଚାରିଜଣ ରାଜା ଯାଇ ତମଲୁକ ସିଂହାସନରେ ଅଧିରୁଢ଼ ହୋଇଥିଲେ । ତମଲୁକର ମୟୁରବଂଶୀୟ ରାଜାଙ୍କ ଉତ୍ତାରୁ ଓଡ଼ିଶାର ଧୀବରମାନେ ସେଠାରେ ରାଜତ୍ୱ କରିଥିଲେ । ମଧ୍ୟ ଲିଖିତ ଅଛି ଯେ ଧୀବରମାନେ ପୋତାରୋହଣରେ ଯାଇ ତମଲୁକଠାରେ ପହୁଞ୍ଚି ଥିଲେ । ଏହି ସବୁରୁ ସ୍ପଷ୍ଟ ଜଣାଯାଏ ଯେ କେଶରୀବଂଶୀୟ ରାଜାଙ୍କ ରାଜତ୍ୱ ସମୟରେ ସମୁଦ୍ରଯାତ୍ରା ଓ ପୋତାରୋହଣ ପ୍ରଥାମାନ ଓଡ଼ିଶାରେ ପ୍ରଚଳିତ ଥିଲା; ମଧ୍ୟ ବାଣିଜ୍ୟ ସୁଗମ ଓ ସୁବିଧାରେ ଚଳୁଥିଲା । ବିଶେଷତଃ ତମଲୁକ ସେ ସମୟରେ ବାଣିଜ୍ୟର ଯେପରି କେନ୍ଦ୍ରସ୍ଥଳୀ ଥିଲା ଓ ଓଡ଼ିଶାବାସିଏ ସେଠାକୁ ଯେମନ୍ତ ଯାତାୟତ କରୁଥଲେ, ସେଥିରେ ଓଡ଼ିଶାଦେଶରେ ତେତେବେଳେ ଯେ ବାଣିଜ୍ୟର ପ୍ରାଦୁର୍ଭାବ ଥିଲା ଏହା ଅକ୍ଳେଶରେ ଅନୁମିତ ହୋଇପାରେ ।
ଶାରୀରିକ ଶକ୍ତି-ଭୁବନେଶ୍ୱରସ୍ଥ ଦେଉଳମାନଙ୍କରେ ଯେପରି ଦୀର୍ଘ ଦୀର୍ଘ ପ୍ରସ୍ତରମାନ ଓ ବୃହତ୍ ଲୌହଧାରଣାମାନ ସ୍ଥାନ ସ୍ଥାନରେ ବ୍ୟବହୃତ ହୋଇଅଛି, ସେ ସବୁରୁ ସେ ସମୟରେ ପ୍ରସ୍ତରାଦି ଉଠାଇବା ସକାଶେ କପି କି ଅନ୍ୟ କୌଣସି ପ୍ରକାର ଯନ୍ତ୍ରର ଅସ୍ତିତ୍ୱ ପୂର୍ବକାଳରେ ଥିବାର ଅନୁମିତ ହେଲେ ସୁଦ୍ଧା ଲୋକଙ୍କର ଶାରୀରିକ ଶକ୍ତି ଯଥେଷ୍ଟ ଥିବାର ମଧ୍ୟ କେତେକ ପରିମାଣରେ ସପ୍ରମାଣ ହେଉଅଛି । ମଧ୍ୟ ଖୋଦିତ ପ୍ରତିମୂର୍ତ୍ତିଚୟର ଆକାରରୁ ଓ କୌଣସି କୌଣସି ପୂର୍ବକାଳ ବ୍ୟବହୃତ ଖୋଦିତ ଅସ୍ତ୍ରଶସ୍ତ୍ରାଦିରୁ ପୂର୍ବ ଓଡ଼ିୟାଙ୍କର ଉତ୍ତମ ଶକ୍ତି ଥିବାର ପରିଚୟ ମିଳୁଅଛି ।
ଆଚାରବ୍ୟବହାର - ଖୋଦିତ ଭୁବନେଶ୍ୱରର ପ୍ରତିମୂର୍ତ୍ତିମାନ ପରୀକ୍ଷା କରି ପୂର୍ବ ଓଡିୟାଙ୍କର ଆଚାରବ୍ୟବହାରର କେତେକ ପରିଚୟ ଆମ୍ଭେମାନେ ପାଇଅଛୁଁ । ଆଜିକାଲି ପରି ପୂର୍ବକାଳର ପୁରୁଷମାନେ ଯେ ଗୁଚ୍ଛବାଳ ରଖୁଥଲେ ଏଥିରେ କୌଣସି ସନ୍ଦେହ ନାହିଁ । ଧାତୁନିର୍ମିତ ହେଉ କି କାଷ୍ଠର ହେଉ ଅଥବା ମୃତ୍ତିକା ଗଠିତ ହେଉ କି ପୋହୋଳାର ହେଉ ମାଳା ପୂର୍ବ ଲୋକେ ବ୍ୟବହାର କରୁଥିଲେ । ପୂର୍ବକାଳୀୟ ସ୍ତ୍ରୀଲୋକେ ନାନା ରଙ୍ଗରେ ଜୂଡ଼ା ବାନ୍ଧୁଥିଲେ । ପୂର୍ବକାଳୀୟ ସ୍ତ୍ରୀଲୋକଙ୍କର କୌଣସି ଜୂଡ଼ା ଆଧୁନିକ ଇଉରୋପୀୟ ଶୁଭ୍ରାଙ୍ଗିନୀଙ୍କର ବାଳ ବାନ୍ଧିବା ପ୍ରାୟ ସୁନ୍ଦର ବୋଧ ହୁଅଇ । ବର୍ତ୍ତମାନ ଯେପରି ପାଲିଙ୍କୀରେ ଚଢ଼ି ଓ ବାଦ୍ୟ ବଜାଇ ଲୋକେ ଶୁଭବିବାହକ୍ରିୟା ସମ୍ପନ୍ନ କରୁଅଛନ୍ତି, ସେହିପରି ପାଲିଙ୍କୀରେ ଓ ସେହି ରୀତିରେ ଏ କାର୍ଯ୍ୟ ପୂର୍ବେ ସମ୍ପାଦିତ ହେଉ ଥିବାର ଭୁବନେଶ୍ୱରସ୍ଥ ଭଗବତୀ ଦେଉଳର ଏକ ଚିତ୍ରରୁ ପ୍ରତିପନ୍ନ ହୁଅଇ ।
ପୃଷ୍ଠା:Odishara Itihas.pdf/୯୦
Jump to navigation
Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୮
ଓଡ଼ିଶାର ଇତିହାସ ।
