ମିଶନ ପ୍ରେସରୁ ପ୍ରକାଶ କରିଥିଲେ । ଏଥିରେ ଖ୍ରୀଷ୍ଟିୟାନ ଧର୍ମର ଲେଶମାତ୍ର ସମ୍ପର୍କ ନ ଥିଲା । ଆଧୁନିକ ସାହିତ୍ୟ ପତ୍ରିକା ଯେପରି ହୋଇଥାଏ, ତାହା ସେହିପରି ରୂପ ଲାଭକରି ପ୍ରକାଶ ପାଇଥିଲା । ୧୮୫୬ ଓ ୧୮୫୭ ମସିହାର ପ୍ରତ୍ୟେକ ମାସରେ ଏହା ପ୍ରକାଶିତ ହୋଇଥିଲା । ୧୮୬୧ ମସିହାରେ 'ଅରୁଣୋଦୟ' ନାମକ ମାସିକ ପତ୍ରିକା ଖ୍ରୀଷ୍ଟିୟାନ୍ ଉର୍ଣ୍ଣାକୁଲାର ସୋସାଇଟି ଦ୍ୱାରା ପ୍ରକାଶ ପାଇ ତିନି ବର୍ଷ ଚଳିବା ପରେ ବନ୍ଦ ହୋଇସାରିଥିଲା ।
'ପ୍ରବୋଧ ଚନ୍ଦ୍ରିକା' ପ୍ରକାଶର ଦଶ ବର୍ଷ ପରେ ଓଡ଼ିଶାର ପ୍ରଥମ ସମ୍ବାଦ ପତ୍ର ଓ ସାହିତ୍ୟ ପତ୍ର 'ଉତ୍କଳ ଦୀପିକା' ୧୮୬୬ ମସିହାରେ ପ୍ରକାଶ ପାଇଲା । ଏହି ଦୀପିକାର ସୁଯୋଗ୍ୟ ସମ୍ପାଦକ ଥିଲେ କର୍ମଯୋଗୀ ଗୌରୀଶଙ୍କର ରାୟ (୧୮୩୯-୧୯୧୭) । ଏହି ପତ୍ରିକା ୪/୮/୧୮୬୬ରେ ଆରମ୍ଭ ହୋଇ ପ୍ରଥମେ ସାପ୍ତାହିକ ପରେ ଦୈନିକ ସମ୍ବାଦ ପତ୍ରିକା ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତାକୁ ପ୍ରାୟ ୬୬ ବର୍ଷ କାଳ ପ୍ରଭାବିତ କରିଥିଲା । କଟକ ଆଲାମଚାନ୍ଦ ବଜାରରୁ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହା ପ୍ରକାଶ ଲାଭ କରିଥିଲା ସେତେବେଳେ ଓଡ଼ିଆ ଟାଇପ୍ ଅଭାବରୁ ଉତ୍କଳ ଦୀପିକା ଆଧୁନିକ ଲିଥୋ ପରି ପଥର ଛାପାରେ ଛାପା ଯାଇଥିଲା । ବର୍ଷ ବର୍ଷ ଧରି ଓଡ଼ିଆ ଜଙ୍ଗଣଙ୍କର ଆଶା-ଆକାଂକ୍ଷା ଓ ଭାବଧାରାକୁ ରୂପାୟିତ କରି ଓଡ଼ିଆ ଜାତିକୁ ତଥା ତା'ର ଭାଷା ସାହିତ୍ୟକୁ ଏକ ବଳିଷ୍ଠ ଓ ସ୍ୱତନ୍ତ୍ର ଆସନ ପ୍ରଦାନରେ 'ଉତ୍କଳ ଦୀପିକା'ର ଦାନ ଅବିସ୍ମରଣୀୟ । 'ଉତ୍କଳ ହିତୈଷିଣୀ' (୧୮୬୮), ବାଲେଶ୍ୱର ସମ୍ବାଦ ବାହିକା (୧୮୬୮) ଉତ୍କଳ ଦୀପିକା ପରେ ପରେ ଆତ୍ମପ୍ରକାଶ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲେ ।
'ଉତ୍କଳ ଦର୍ପଣ' ଓଡ଼ିଶା ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଏକ ମୁଖ୍ୟ ପତ୍ରିକା । ଏହା ୧୮୭୩ ମସିହାରେ ବାଲେଶ୍ୱରରୁ ରାଜା ବୈକୁଣ୍ଠନାଥ ଦେ'ଙ୍କ ପୃଷ୍ଠପୋଷକତାରେ ଆତ୍ମପ୍ରକାଶ କରିଥିଲା । ବାଲେଶ୍ୱରର ଉତ୍କଳ ପ୍ରେସରୁ ଏହା ପ୍ରକାଶ ପାଉଥିଲା । ଏହି ପତ୍ରିକାର ଯଶସ୍ୱୀ ଲେଖକ ଥିଲେ ରାଧାନାଥ ରାୟ ଓ ଭକ୍ତକବି ମଧୁସୂଦନ ରାଓ । ରାଧାନାଥ ରାୟଙ୍କ 'ବିବେକୀ' ପ୍ରବନ୍ଧ ଏଥିରେ ଆତ୍ମପ୍ରକାଶ କରିଥିଲା । ଉତ୍କଳ ପୁତ୍ର ଏକ ପାକ୍ଷିକ ପତ୍ର ଭାବରେ ସେହି ବର୍ଷ ଅର୍ଥାତ ୧୮୭୩ ମସିହାରେ ପ୍ରକାଶ ପାଇଥିଲା । ଏହି ପତ୍ରିକାରେ ଉତ୍କଳର ପ୍ରାଚୀନ ସଂସ୍କୃତି ଓ ନାରୀଶିକ୍ଷା ପ୍ରତି ଶ୍ରଦ୍ଧା ପ୍ରକାଶ କରିଥିଲା ।