ପୃଷ୍ଠା:Prachina Odia Kabita.pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୯୩
 

କେ ବସି ଲିପୁଥିଲ ଘର । ମୁରଲୀ ଶୁଣିଲା ସୁସ୍ୱର ।
ବୋଲଇ ଆସ ବୃନ୍ଦାବନେ | ହରିଙ୍କି ରମ ଘୋର ବନେ ।
ଶୁଣି ବ୍ୟାପାର ଉପେଖିଲା । ବେଗେ ସେ ବୃନ୍ଦାବନ ଗଲା ।
କେ ବସିଥିଲା ନିଜ ଘରେ । ଅଞ୍ଜନ ପାତ୍ର ଘେନି କରେ ।
ୟେକ ଲୋଚନେ ରଞ୍ଜିଥିଲା । ତା ନାମେ ମୁରଲୀ ଡ଼ାକିଲା ।
ଧାମଇଁ ରସଭର ହୋଇ ।କଜ୍ଜ୍ୱଳ ପାତ୍ର କରେ ଲଇ ।
କେ ଗୋପୀ ବସ୍ତ୍ର ତଳେ ଥୋଇ । କୁଙ୍କୁମ ଶରୀରେ ଲେପଇ ।
କର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଉଠିଲା କରେ ବସ୍ତ୍ର ଘେନି । ୬୦ ।
ଜ୍ଞାନ ହାରିଲା କାମଭୋଳେ । ପିନ୍ଧଲା କନ୍ଧର ଅଞ୍ଚଳେ ।
ୟେମନ୍ତେ କହିବଇଁ କେତେ । ଷୋଳ ସହସ୍ର ଯେଝା ମତେ ।
କାହାର ସ୍ୱାମୀ ବଳବନ୍ତ । ଆଗରେ ଓଗାଳିଲେ ପଥ ।
କାହାର ପୁତ୍ର ଗୋଡ଼ାଇଲା । ଶଶୁର ଖୁଡ଼ୁତା ମଉଳା ।
ଭାଇ ଭଣଜା ଇଷ୍ଟ ମିତ୍ର । ଆଗରେ ଓଗାଳିଲେ ପଥ ।
ବୋଲନ୍ତି ଗୋପୀଙ୍କି ଅନାଇ । ୟେ କଥା ଉଚିତ ନୁହଇ ।
ରଜନୀ କାଳେ ଯାଅ ବନ । ଲଜ୍ଜା କି ଛାଡ଼ିଲ ବଦନ ।
ଶୁଣି ବୋଲନ୍ତି ଗୋପବାଳୀ । ବନେ ବିଜୟେ ବନମାଳୀ ।
ଦେଖ ତ ଶୁଭୂଅଛି ନାଦ । ମୁରଲୀ ବଡାଇ ଆନନ୍ଦ ।
କ୍ଷଣେ ମୁରଲୀ ନାଦ ଶୁଣି । ଆମ୍ଭେ ଆସିବୁ ୟେହିକ୍ଷଣି । ୭୦ ।
ଦସବଛଳ ଭଗବାନ । ମୋହିଲେ ଗୋପାଳଙ୍କ ମନ ।
ତୁଣ୍ଡରୁ ନଇଲା ଉତ୍ତର । ବାହୁଡ଼ିଗଲେ ଯେଝା ଘର ।
ୟେକ ଗୋପୀୟେ କ୍ଷୀଣ ହୋଇ । ବେଗେ ସେ ନ ପାରିଲା ଯାଇ ।
ତାହାର ସ୍ୱାମୀ କର ଧରି । ଘରେ ଆଣିଲା ନିଜ ନାରୀ ।
ଗମ୍ଭୀରି ଭିତରେ ବାନ୍ଧିଲା । ଅନେକ ମାଡ଼ ହିଁ ମାଇଲା ।
ଦ୍ୱାରେ କବାଟ ଗଲା କିଳି । ବିକଳେ କାନ୍ଦଇ ଗୁଆଳୀ ।
ମୁରଲୀ ତା'ର ନାମ ଧରି । ଡାକଇ ଆସ ବେଗ କରି ।
ସେ ଗୋପୀ ବନ୍ଧନରେ ପଡ଼ି । କାନ୍ଦଇ ସ୍ତମ୍ଭେ ମୁଣ୍ଡ କୋଡ଼ି ।
କୃଷ୍ଣର ଦେହେ ଦେଇ ମନ । କ୍ଷଣ କ୍ଷଣକେ ଅଚେତନ ।
ସହି ନ ପାରି ତାପ ଭରେ । ବେନି ଲୋଚନ କଲା ସ୍ଥିରେ । ୮୦ ।