ପୃଷ୍ଠା:Prachina Odia Kabita.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୭ଶ ଶତାବ୍ଦୀ
୯୭
 

ଗୋପୀନି ଦେଖିଣ ବିକଳ । ଦୟା ବସିଲା ଆଦିମୂଳ ।
ଆନନ୍ଦେ ବେନିଭୂଜ ତୋଳି । ଆସ ବୋଇଲେ ବନମାଳୀ ।
ତକ୍ଷଣେ ପାଇଲେ ଜୀବନ | ହରଷ ଗୋପୀଙ୍କର ମନ ।
କୃଷ୍ଣଙ୍କୁ ବେଢ଼ିଲେ ଯୁବତୀ । ଗଗନେ ଯେହ୍ନେ ଗ୍ରହପନ୍ତି ।
ଗୋପୀୟେ ତୋଷମନ ହୋଇ । ପୁଷ୍ପ ତୋଳନ୍ତି ବନେ ଯାଇ ।
ମାଳା ଗୁନ୍ଥିଲେ ଯତ୍ନ କରି । ବର ବରିଲେ ନରହରି ।
କାଳିନ୍ଦୀ ବାଲିକୁଦେ ଯାଇ । ଗୋପୀଙ୍କ ମଧ୍ୟେ ଭାବଗ୍ରାହୀ ।
ମାୟାର ଯୋଗବଳେ ହରି । ଷୋଳ ସହସ୍ର ରୂପ ଧରି । ୧୭୦।
ହୋଇଲେ ବେନି ବେନି ଜନ । ଗୋପୀ ରମିଲେ ଭଗବାନ ।
ରତି ପଣ୍ଡିତ ବଳବନ୍ତ । ତୋଷିଲେ ଗୋପୀଙ୍କର ଚିତ୍ତ ।
('ଭାଗବତ', ଦଶମସ୍କନ୍ଧ ୩୦ଶ ଅଧ୍ୟାୟରୁ ଗୃହୀତ )