ପୃଷ୍ଠା:Prachina Odia Kabita.pdf/୧୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲକ୍ଷ୍ମୀ ପୁରାଣ

ବଳରାମ ଦାସ


ଶୁଣ ହେ ନାରଦ ଏଣେ ହରି ବଳରାମ
ମୃଗୟା ବିନୋଦେ ଯାଇଥିଲେ ଘୋରବନ ।
ଯୋଗବଳେ ବଳରାମ ଏ କଥା ଜାଣିଲେ
ଡାକି କରି ଶ୍ରୀହରିଙ୍କୁ ଏମନ୍ତ କହିଲେ ।
ଦେଖ ଦେଖ କ‌ହ୍ନାଇ ତୋର ଭରିଯା ଆଚାର
ଉଭା ହୋଇ ଅଛଇ ଯେ ଚଣ୍ଡାଳୁଣୀ ଘର ।
ହାଡ଼ିଘରେ ଥିବ ଲକ୍ଷ୍ମୀ ପାଣଘରେ ଥିବ
ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ ।
ଏହିରୂପେ ସବୁଦିନେ ଦେଉଳେ ପଶୁଛି
ଦୁଇଗୋଟି ଭାଇଙ୍କୁ ବିଟାଳ କରାଉଛି ।
ଦାରିଦ୍ର୍ୟ ଭଞ୍ଜନୀ ନାମ ଯେଣୁ ଅଛି ବହି
ଦରିଦ୍ରମାନଙ୍କ କଷ୍ଟ ନ ପାରଇ ସହି ।
ସୁଦଶା ନାମରେ ଏକ ବ୍ରତ ଯେ ତାହାର
ଏହି ବ୍ରତେ ଚଣ୍ଡାଳୁଣୀ ପୂଜଇ ପୟର ।
ଭାରିଯାରେ କାର୍ଯ୍ୟ ଯେବେ ଅଛିରେ କ‌ହ୍ନାଇ
ଚାଣ୍ଡାଳ ସାହୀରେ ଘର କର ବେଗେ ଯାଇ ।
ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡ଼ାଇ ।
ଏପରି ଘରଣୀ ଥିଲେ ଭଲ ଗତି ନାହିଁ ।
ଗୋବିନ୍ଦ ବୋଇଲେ ଭାଇ ଘଉଡାଇ ଦେବା
ଲକ୍ଷ୍ମୀ ପରା ଭାରିଯାକୁ ଆଉ ନ ପାଇବା । ।୨୦।
ସେ ଯେବେ ଦୋଷ କରିଛି ଏମନ୍ତ କରିବା
ସ୍ୱର୍ଗପୁର ଲୋକଙ୍କୁ ହକାରି ଅଣାଇବା ।
ପାଞ୍ଚଲକ୍ଷ ଟଙ୍କା ଦେଇ ଜାତି କରାଇବା
ଆଉ ବେଳେ ଯଦି ତାର ଅନୀତି ଦେଖିବା ।
ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ
ଏକଥା ପ୍ରମାଣ ତୁମ୍ଭେ ଶୁଣ ଜ୍ୟେଷ୍ଠ ଭାଇ ।