ପୃଷ୍ଠା:Prachina Odia Kabita.pdf/୧୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୧୭
 

ନଉକା ଉପରେ ବିବିଧ ଗଛ ରୂପି
ଫଳିଲା ଫୁଟିଲା ବୃକ୍ଷନ୍ତ ନେଇ ଥାପି ।
ଆମ୍ବ ପଣସ ଯେ କଦଳୀ ନଟୀକାଳ
ଟଭା ନାରଙ୍ଗ ଯେ ମାତଙ୍ଗ ଫଳ ଫୁଲ ।
ବେଲ କଇଥ ଯେ ଅଏଂଲା ଖଜୁର
ଚମ୍ପା ନାଗେଶ୍ୱର ବକୁଳ ଡ଼ଗର ।
ତରାଟ ମନ୍ଦାର ଅଶୋକ ମଲ୍ଲୀ ଜାଇ
କଚଣ କଣିଆର ଯେ କେତକୀ ଅଛଇ । ।୯୦।
ଲବଙ୍ଗ ଗୁଳୁଚି ପିପଳି ପାନ ଲତା
ପ୍ରତକ୍ଷେ ବନ କି ସେ ରଞ୍ଚିଲା ବିଧାତା ।
ଋଷିର ମଢ଼ିଆ ପ୍ରାୟେକ ପର୍ଣ୍ଣକୁଟୀ
ନାବ ମଧ୍ୟେ ରଞ୍ଚିଲେ ଅପୂର୍ବ ପୁର ଗୋଟି ।
ବାହିବାକୁ ପାଞ୍ଚନାବ ହାବେଳି ୟେକ ଗାର
କଇବ୍ରତ ଅସଭାବ ଅଛି ପାଞ୍ଚ ଡଙ୍ଗାର ।
ୟେସନେକ କୋଡ଼ିୟେ ନାବ ସଜ କଲେ
ଲତାଙ୍କ ଭିତରେ ସେ ପଲଙ୍କ ପାରିଲେ ।
ଉପରେ ଚନ୍ଦ୍ରାତପ ଟାଣିଲେ ଗୋପ୍ୟ କରି
ବାହାରକୁ ନ ଦିଶଇ ଭିତରକୁ ଉହାଡ଼ି । । ୧୦୦ ।
ସେ ତ ଚାମର ମୁକୁତା ମଣିଝରା
ଚଉପାଶେ ଟାଣିଲେ ଅପୂର୍ବ ପାଟ ଟେରା ।
ପଲଙ୍କ ଉପରେ ଅଛଇ ପାଟ ଶେଯ
ତଥିରେ ଶେଜାଇଲା ଅଛି ବସ୍ତ୍ରରାଜ ।
କୁସୁମ ପାଖୁଡ଼ା ଯେ କର୍ପୂର ଧୂଳି
ସୁବର୍ଣ୍ଣରେ ଜଡ଼ିତ ସିନ୍ଧୁଆ ମୁଚୁଳି ।
ଅଗର ଧୂପ ବାସ କରଇ ଚଉକତି
ନାବ ଚଉପାଶେ ମାଣିକର ବତୀ ।
ସୁବାସ ଫଳମାନ ଥୋଇଲା ତହିଁ ନେଇ
ଦୁଧ ଘୃତ ଶାକର ଯେ ଅମୃତ ଭିଆଇ । ।୧୧୦।