ପୃଷ୍ଠା:Prachina Odia Kabita.pdf/୧୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୩୩
 

ବିଭାଣ୍ଡେକ ବୋଲନ୍ତି ସେ ନୋହନ୍ତିଟି ଯତି
ଯାହା ସେ କହିଲୁ ବାବୁ ରାକ୍ଷାସୁଣୀ ପ୍ରକୃତି ।
ବିବିଧ ରୂପ ସେ ହୁଅନ୍ତି ଦଇତୁଣୀ
ତପୀଙ୍କି ଭଣ୍ଡନ୍ତି ସେ ମାୟାରେ ପିଚାଶୁଣୀ ।
ତୁ ବାବୁ ତାହାଙ୍କୁ ବିଶ୍ୱାସ ନ ଯିବୁ
ଯେବେ ମୋହର ବୋଲ ପ୍ରତିପାଳିଥିବୁ ।
ପିତା ତିଆରିଲେ ପୁତ୍ର ତୋଷ ନାହିଁ
ରଏଣୀ ବଞ୍ଚିଲେ ସେ ବିବିଧ କଥା କହି ।
ପ୍ରଭାତେ ବିଭାଣ୍ଡେକ ତପସ୍ଥାନେ ଗଲେ
ସ୍ନାହାନ ତର୍ପଣ ସେ ଋଷିଶୃଙ୍ଗ କଲେ ।।୫୪୦।
ଅଗ୍ନିପୂଜା ସାରି ଦୁହିଂଲେକ ଗାଈ
କନ୍ୟାଙ୍କ ଆସିବାର ନିରେଖିଣ ଚାହିଁ ।
ଗହନ ବନେ ନେଇ ରୁହାଇଲା ଗାଈ
ଛନଛନ ମନ ବାଛୁରୀ ବାନ୍ଧଇ ।
କୃଷ୍ଣାଜିନ ଛାଲ ମାଡ଼ିଣ ବସଇ
ପୁଣିହିଂ ବେଲଗଛ ତଳେ ଉଭା ହୋଇ ।
ଜପ କରନ୍ତେଣ ନୋହିଲାକ ମନ୍ତ୍ର ସିଧ୍ୟ
ଚିତ୍ତ ବିଚଳିତ ପାଶୋରିଲା ବେଦ ।
କେଶ ଫେଡ଼ିଣ ସେ ଘେନିଲା ଗନ୍ଧବାସ
କାଖ ଆଉଂସିଣ ପାଇଲା ବଡ଼ ରସ ।।୫୫୦।
ଗତ ଦିବସର ଭୋଜନ ସୁମରି
ଚତୁରୀଙ୍କ କଲା ପ୍ରେମ ଅନୁସରି ।
ତଳେ ନ ବସଇ ଉଠି ଉଭା ହୋଇ
ଚକିତ ହୋଇଣ ସେ ଚଉକତି ଚାହିଂ ।
ମନେ ବଚାରିଲେ ତପୀ ତ ନଇଲେ
ତେଡ଼େ ମହାଋଷି ଭଣ୍ଡି ତ ମୋତେ ଗଲେ ।
ପୂର୍ବ ଭାଗ୍ୟ ଥିଲେ ଦେଖା ତ ପାଇବା
ମନେ ମନେ ଭାଳଇ କେମନ୍ତ କରିବା ।