ପୃଷ୍ଠା:Prachina Odia Kabita.pdf/୧୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬୦
ପ୍ରାଚୀନ ଓଡ଼ିଆ କବିତା
 

ଦଇବର କୃତ୍ୟ ହାଦେ କେ କରିବ ଆନ
ଭୃତ୍ୟେ ନିରେଖି ଚାହିଂଲେ ଶୁଣିଣ ରୋଦନ ।
କୃଷ୍ଣପକ୍ଷେ ଚନ୍ଦ୍ରମା କି ଉଦେ ଆକାଶରେ
ଦେଖିଲେ ଦୁହିତା ଗୋଟି ପଦ୍ମପତ୍ର ପରେ ।
ରୂପକୁ କୋଟୀୟେ ରତି ଯେହ୍ନେ ସମସରି
ପଟାନ୍ତର ଦେବାକୁ ନାହିଂନା ତିନିପୁରି ।
କୁଙ୍କୁମ ଲେପିଲା ପରି ଦିଶୁଅଛି କାୟେ
ନିଧୂମ୍ବ୍ର ଅଗ୍ନି ପରାୟେ ଦେହ ଶୋଭା ପାୟେ ।
ଦେଖିକରି ଭୃତ୍ୟଜନେ ଅଇଲେ ବହନ
ଜଣାଇଲେ ଯାଇଂଣ ରାଜାର ସନ୍ନିଧାନ । ।୬୦।
ଅବଧାନ ହୋଇଂ ତୁମ୍ଭେ ଶୁଣିମା ଗୋସାଇଂ
ଅପୂର୍ବ କଥା ଦେଖିଲୁ ଭୂମଣ୍ଡଳେ ନାହିଂ ।
ପଦ୍ମପତ୍ର ଉପରେ ଦିଶୁଛି ଶୋଭାବନ
ଦୁହିତା ଗୋଟିଏ ତହିଂ କରିବି ଶୟନ ।
ଚନ୍ଦ୍ରମା କିରଣ ପରି ଦେହ ବିରାଜଇ
ନିଧୂମ୍ବ୍ର ଅଗ୍ନି ପରାୟେ ଶରୀର ଦିଶଇ ।
ସ୍ୱୟେଂ କମଳିଣୀ କିବା ହୋଇଛି ସମ୍ଭୂତ
ରତି ଠାରୁ ଶତେ ଗୁଣେ ଦିଶେ ଶୋଭାବନ୍ତ ।
ଭୟେ ତା ପାଶକୁ ଆମ୍ଭେ ନ ପାରିଲୁ ଯାଇଁ
ଦେବତା ବୋଲିଣ ତାକୁ ଭୟେ କଲୁ ଚାହିଂ | ।୭୦।
ବିଚାରିଲୁ ଫୁଲବନେ ଦେବା ଦେବୀ ଥାନ୍ତି
ୟେମନ୍ତ ଭାଳିଣ ଆମ୍ଭେ ମନେ କଲୁ ଭ୍ରାନ୍ତିଂ ।
ତୁମ୍ଭର ଛାମୁରେ ଆମ୍ଭେ କହିଲୁ ଗୋସାଇଂ
ୟେଥକୁ କି ଆଗ୍ୟା ହେବ ହେଉ ନରସାଇଂ ।
ଭୃତ୍ୟଙ୍କ ମୁଖରୁ ଯେ ୟେମନ୍ତ ବାକ୍ୟ ଶୁଣି
ଜଳଭିତରେ ଯାଇଂଣ ପଶିଲେ ନୃପମଣି ।