ପୃଷ୍ଠା:Prachina Odia Kabita.pdf/୧୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬୪
ପ୍ରାଚୀନ ଓଡ଼ିଆ କବିତା
 

ଜୀବ ପରମରେ ସନ୍ଦେହ ହେଲା
ମାଈ କେ ଅଣ୍ଡିରା ଜଣା ନଗଲା ।
ଜୀବ ପରମ ତ ଅଟନ୍ତି ଦୁଇ
ପୁଣ ବୋଳନ୍ତି ଏକ ରୂପ ସେହି । ।୩୦।
ଶ୍ରୀହରି ବୋଲନ୍ତି ଶୁଣ ବିବତ୍ସି
ଗୁପତ ହୋଇଁ ଏ କଥା ରହିଛି ।
ଜୀବଟି ମାଈ ପରମ ଅଣ୍ଡିର
ଜୀବରେ ପରମ କରେ ବିହାର ।
ଅନଳ ଧୂମ ଯେସନ ପ୍ରକାର
ଜୀବ ପରମ ଏକଇଁ ଶରୀର ।
ଶୁଣ ସେ ଜ୍ଞାନ ପୁଛିଲୁ ଅର୍ଜ୍ଜୁନ
ଜୀବ ପରମଙ୍କ କଳା ବିଧାନ |
କେତେ କେତେ କଳା ରାତ୍ର ଦିବସ
କେତେ କଳା ଘେନି ରାଉଛି ହଂସ । ।୪୦।
କେତେ ଦୁଆରେ କେତେ ବା କବାଟ
କେଉଁଠାରେ ସର୍ପ ଜଗିଛି ଘାଟ ।
କେଉଁ ଦ୍ୱାର ସେହି ନିରୋଧ ହୋଇଁ
କେଉଁ ଦ୍ୱାର କବାଟ ଲାଗିଛଇଁ ।
ଅନନ୍ତ ରହିଛି କେଉଁ ପ୍ରକାରେ
କେଉଁ ଦୀପ ଜଳେ କେଉଁ ଠାବରେ ।
କହନ୍ତି ହରି ଶୁଣ ପଣ୍ଡୁବଳା
ଜୀବ ପରମଙ୍କ ବତ୍ରିଶ କଳା ।
ଚବିଶ କଳାରେ ରାତ୍ର ଦିବସ
ଅଷ୍ଟକଳା ଘେନି ନିତ୍ୟ ଯେ ରସ । ।୫୦।
ଆହାର ନିଦ୍ରା ମଇଥୁନ ବାଈ
ଚନ୍ଦ୍ରର ଏ ଚାରି କଳା ଅଟଇ ।
ଉର୍ମ ଧୂର୍ମ ଜ୍ୟୋତି ଜ୍ୱାଳା ଏ ଚାରି
ସୂର୍ଯ୍ୟକଳା ଚାରି ହାରେ ପାହାରୀ ।