ପୃଷ୍ଠା:Prachina Odia Kabita.pdf/୨୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରୁକ୍ମିଣୀ ସ୍ୱୟ‌ମ୍ବର
କାର୍ତ୍ତିକ ଦାସ

(ରାଗ-ବରାଡ଼ି, ଆଷାଢ଼-ଶୁକ୍ଳ ବାଣୀ)

ଏଥୁ ଅନ୍ତରେ ରାଜା ଜେମାଦେଈ
ଅତି ଦୁଃଖରେ ସଖି ଆଗେ କହି ।
ପ୍ରାଣର ପ୍ରିୟ ମୋ ବିମଳା ସଖୀ
ତୋର ବଦନ ଥାଇ କିନା ଦେଖି
ମୁଁ ମରିବି ସତ ।
ଶିଶୁପାଳ ମୋର ଧରିବ ହସ୍ତ ?
ପିତା ଥାଇ ମୋର କଲାକ ବର
ଏଥକୁ ଆଉ ନାହିଁନା ଉତ୍ତର ।
ନିଶ୍ଚୟେ ମୋର ମରଣ ହୋଇଲା
ଶିଶୁପାଳକୁ ସେ ବର ବରିଲା ।।୧୦।
ମୋ କୃଷ୍ଣରେ ମନ ।
କେ ଅବା ତାହା କରିବ ଘଟଣ ।
ଦୁଷ୍ଟ ପାମର ଅଟେ ମୋର ଭାଇ
କୃଷ୍ଣ ସଙ୍ଗରେ ବଇର ଭିଆଇ ।
ଶିଶୁପାଳକୁ କଲା ମୋତେ ବର
ନିଶ୍ଚୟେ ମରିବି ତାର ଉପର
ତାର ଶତ୍ରୁ ମୁହିଁ ।
ମୋର ମରଣ ସେ ଅଛି ଭିଆଇ ।
ସ୍ୱୟମ୍ବର ଦିନେ ଅଇଲେ ହରି
ଦେଖିଲଟିକି ତା ନୟନ ଭରି ।।୨୦।
ସ୍ତିରୀଙ୍କ ମନ ଚଞ୍ଚଳ ସ୍ୱଭାବ
ଦେଖି ଉଡ଼ିଲା ମୋ ଧଇର୍ଯ୍ୟ ଭାବ
ଲୋଚନେ'ଛି ଲାଗି ।
ବିଧାତା କଲା ମତେ ମନ୍ଦଭାଗୀ ।