ପୃଷ୍ଠା:Prachina Odia Kabita.pdf/୨୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୮୫
 

ସେଠାରେ ପ୍ରବେଶ ହେଲା ରୋଦମା ଗୋଦମା
ଊର୍ଦ୍ଧ୍ୱମୁଖ ହୋଇ ରଡ଼ି ଦେଲେ ଦୁଇ ବାମା ।
ତାହାଙ୍କ ପଛରେ ଅନେଶ୍ୱତ ପରିବାରୀ
ତାଙ୍କ ମୁଖ ଚାହିଁକରି କରନ୍ତି ବୋବାଳି ।
ଆହା ପ୍ରାଣନାଥ କେ ତୁମ୍ଭଙ୍କୁ କଲା ବାଇ
କାହାଠାରୁ ହୀନବୁଦ୍ଧି ଶିଖିଲ ଗୋସାଇଁ ।।୬୦।
ନବଲକ୍ଷ ବଙ୍ଗ ତୋର ଅନେଶ୍ୱତ ରାଣୀ
ଷୋଳଶତ ହସ୍ତୀ ମୂଳଦନ୍ତୀ ଶତ ତିନି ।
ଚାରିଶତ ସିନ୍ଧୁଜାତି ଶତେକ ଖଇର
ବେନି ଶତ ଟାଙ୍ଗଣ ଅଟଇ ନରେଶ୍ୱର ।
ଏହିମତେ ଷୋଳଶତ ତୋହର ବାରୁଶ
ହସ୍ତିର ଉପରେ ଦଣ୍ଡ ସିଂହାସନେ ବସ ।
ଏଡ଼େ ବଡପଣ ଛାଡ଼ିଯିବୁ ଦେଶାନ୍ତର
ବାହୁଡ଼ି ଗୋସାଇଁ ଆମ୍ଭ ବୋଲ ଶୀଘ୍ରେ କର ।
କର୍ଣ୍ଣରୁ ମୁଦୁରା କାଢି କନ୍ଥା ଦୂର କର
ବିନୟରେ କହୁଅଛୁ ବାରେ ରକ୍ଷାକର । ।୭୦।
ହୀନ ବିଡ଼ମ୍ବନ ରୂପ ହୋଇଲ କି ଅର୍ଥେ
କେ ତୁମ୍ଭଙ୍କୁ ବୁଦ୍ଧି ଦେଲା ନ କହ ଅଗ୍ରତେ ।
ରାଣୀଙ୍କି ନ ଚାହିଁ ରାଜା ଚାହିଁଲା ମେଦିନୀ
ଶୁଣସି ଗୋ ରୋଦମା ଗୋଦମା ବେନିରାଣୀ ।
ମାୟା ମୋହ ତେଜି ଆମ୍ଭେ ଦେଶାନ୍ତର ଯିବୁଁ ।
ମୃତ୍ତିକା ଶରୀର ଗୋଟି ଅକ୍ଷୟ କରିବୁଁ ।
କୋଟିଏ ପୁରୁଷ ମୋର ପାଇବେ କାରଣ
କାଳୀ ଲଗାଇବୁଁ ଆମ୍ଭେ ଯମର ମୁଖେଣ ।
ଦଣ୍ଡ ସିଂହାସନେ ମୋର ନରୁଚଇ ମନ
ମାଏ କହିଛନ୍ତି ମୋତେ ଏହି ମହାଜ୍ଞାନ । ।୮୦।
ହାଡ଼ପା ବୋଇଲେ ଗୁରୁ ଦୀକ୍ଷା ଦେଲେ ମୋତେ
ଏ ପାପ ଶରୀର ମୁକ୍ତ ହୋଇବ ଯେମନ୍ତେ |