ପୃଷ୍ଠା:Prachina Odia Kabita.pdf/୩୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୩୧୧
 

କ୍ଷୀରସମୁଦ୍ରେ ଯାହା କହି । ଅକାର ଅକ୍ଷର ଅଷଇ ।
ବନ୍ଦୁ ହ୍ରଦଟି ଅଟେ ସେହି । ଆଦି ଯେ ଶକ୍ତି ବେଢ଼ିଛଇଁ ।
ତହିଁରୁ ଚନ୍ଦ୍ରମା ଉତ୍ପତ୍ତି । ଈଶ୍ୱର ଶିରେ କଲା ସ୍ଥିତି ।
ଯେଣୁ ଈଶ୍ୱର ଶିରେ ରହି । ଚନ୍ଦ୍ରମଉଳି ତେଣୁ ହୋଇ ।
ଯେଣୁ ଶଶାଙ୍କ ଶୃଙ୍ଗ ହୋଇ । ବନ୍ଧ୍ୟା ଯେ ଶରୀର ଅଟଇ ।
ବନ୍ଧ୍ୟାର ତହୁଁ ସୁତ ଜାତ । ନାମ ପରମ ରୂପେ ଖ୍ୟାତ ।
ବ୍ରାହ୍ମଣ କ୍ଷେତ୍ରୀ ଅଂଶୁ ତୁହି । ଜନ୍ମିଲୁ କୃତସେନ ହୋଇ ।
ଏବେ ହୋଇଲୁ ଅବଧୂତ । ତୋ ପୂର୍ବ ପାପ ହେଲା ମୁକ୍ତ ।
ଏବେ ହେ ଅବଧୂତ ଦୀକ୍ଷା । ପାଇଲୁ କର ମନବାଞ୍ଛା । ୧୨୦ ।
ଆହୁରି କହିବା ବୁଝାଇ । ହେତୁ ମତିରେ ରଖ ତୁହି ।
ତିନି ଯେ ଶୂନ୍ୟ ଯାହା କହି । ତୋହର ନୟନ ଅଟଇ ।
ଧବଳ କ୍ଷୀରଟି ଅଟଇ । ଲବଣ ତାପରେ ଅଛଇ ।
ତା'ପରେ ଘୃତ ଯେ ବୋଲାଇ । ତିନି ସମୁଦ୍ର ଏକାଠେଇଁ ।
କ୍ଷୀରରୁ ସାମ ହେଲା ଜାତ । ଶଶୀ ଚନ୍ଦ୍ରମା ନାମେ ଖ୍ୟାତ ।
ଈଶ୍ୱର ନିରଞ୍ଜନ ଯେହି । ମାୟାକୁ ନାନାରୂପ ହୋଇ ।
ଏଣୁ ତୁ ଏକ ମନ କର । ସଙ୍କଟ ଫିଟିବ ତୋହର ।
ଏମନ୍ତ କହିଣ ଗୋରେଖ । ଚଳିଲେ ଆତ୍ମା ମନ ସୁଖ ।
ଏମନ୍ତେ ତହିଁ ଅବଧୂତ । ବସି ସାଧିଲେ ମନସୂତ୍ର ।
('ହେତୁ ଉଦୟ ଭାଗବତ', ଚତୁର୍ଥ ଅଧ୍ୟାୟରୁ ଗୃହୀତ )