ପୃଷ୍ଠା:Prachina Odia Kabita.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସୀତାଙ୍କ ବନ‌ଗମନ
ସାରଳା ଦାସ

ଆଗେଣ ଲକ୍ଷଣ କୋଦଣ୍ତ କରେ ଧରି
ପଛେଣ ଗମଇ ସେ ଜନେକ କୁମାରୀ ।
ନ‌ଗ୍ର ନରନାରୀ ସୀତାକୁ ଦେଖିଲେ
ଯେ ଯାହାର ରତି ଛାଡ଼ି ବାହାର ହୋଇଲେ ।
ଏକର ଆଗରେ କ‌ହନ୍ତି ସଧୀର
କେବଣ ବିପରୀତ ଗୋ ହୋଇଲା ଏ ପୁର ।
ଅତି ଅଗୋଚର ତ ଅସମ୍ଭବ କଥା
ଏକସ୍ୟରେ ଗମଇ ଜନ‌କ ଦୋହିତା ।
ସୂର୍ଯ୍ୟ କୀରଣ ତ ନ ଲାଗଇ ଯାହାର କାୟେ
ଇତର ଜନ‌ଙ୍କର ମତେ ଗମଇଁ ଏକଲାୟେ । ୧୦
ଏସନେକ ବୋଲି ଅନେକ ଯୁବତୀ
ସୀତୟାର ପଛେ ଯେ ବିମନେ ଗୋଡ଼ାବନ୍ତି ।
ମୁଖ ଶବ୍ଦ ଶୁଣି ଲକ୍ଷ୍ମଣ ଲେଉଟି ଚାହିଁଲା
ପୁରଜନ ଯୁବତୀକି କୋପେଣ ଡାକଦେଲା ।
ରାଜପତ୍ନୀ ପଛେ ଯେ ଗୋଡ଼ାଅ କାହିଁପାଇଁ
ଜୀବନ‌କୁ ଆଶ କି ତୁମ୍ଭର ଅଙ୍ଗେ ନାହିଁ ।
ଯେ ଯାହାର ମନ୍ଦିରକୁ ତୁମ୍ଭେ ଚଳିଯାଅ
ଶରୀର ଗଞ୍ଜାଇ ଅପମାନ ନ ପାଅ ।
ଲକ୍ଷ୍ମଣ କଠୋର କଥା ଯ‌ହୁଂ ପୁରଜନେ ଶୁଣିଲେ ।। ୨୦ ।
ସମସ୍ତ କାମେନୀ ସେଠାରେ ରହିଲେ ।
କେହି କାହାରି ଗୃହରେ ନ ପଶନ୍ତି
ଦଶବିଂଶ ଠାବେ ଠାବେ ରହିଣ ଭାଳନ୍ତି ।
କେବଣ ବିପରୀତ ହୋଇଲା ନ ଜାଣିଲୁ ଏହା
କେ ଅବା ଏ ସୟଳେ ହୁଅ ସାହା ।
ଏସନେକ ମନେ ବିରସ ସର୍ବ ନାରୀ
ବଇକୁଲ୍ୟ ଚିତ୍ତେ ନୟନୁ ଲୁହ ଝରି ।