ଓ ମୂଲ୍ୟବାନ ପାଣିର ଅପଚୟ ମଧ୍ୟ ହେବ, ଏକା ଅନୁମାନ କରିଥିଲେ ମୋତେ ତିଆରି କରିଥିବା ସ୍ଥପତିମାନେ । ପାଣି ଏବଂ ଇଟାର ସମ୍ପର୍କକୁ ପଥରର ବଡ଼ ବଡ଼ ଟାଇଲ ଦ୍ୱାରା ଛିନ୍ନ କରାଯାଇଥିଲା ।
ଛାତ ଉପରେ ବଗିଚା ତିଆରି କରିବା ଆଜି ହୁଏତ ଖୁବ୍ ସାଧାରଣ ଲାଗିପାରେ । ହେଲେ ୨୫୦୦ ବର୍ଷ ପୂର୍ବେ ଏହା ଥିଲା ଅସମ୍ଭବକୁ ସମ୍ଭବ କରିବା । ପଥରର ଟାଇଲ ବେବିଲୋନ୍ର ଆଖପାଖରେ ମିଳୁନଥିଲା । ଏହାକୁ ଅଣାଯାଇଥିଲା ପ୍ରାୟ ୭୦୦ କିଲୋମିଟର ଦୂରରୁ ।
ଦୁଇଜଣ ଗ୍ରୀକ୍ ଇତିହାସକାର ମୋତେ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ସେମାନେ ହେଲେ ଷ୍ଟ୍ରାବୋ ଓ ଡାଇଓଡୋରସ୍ । ଷ୍ଟ୍ରାବୋ ଲେଖିଛନ୍ତି, ମୁଁ ଚତୁଷ୍କୋଣ ଆକାରର ଥିଲି । ବିରାଟ ବିରାଟ ସ୍ତମ୍ଭ ଉପରେ ଥିଲା ଅର୍ଦ୍ଧଗୋଲାକାର ଖିଲାଣ । ଏହା ଉପରେ ଥିଲା ଛାତ । ଛାତ ଉପରେ ପୁଣି ସ୍ତମ୍ଭ, ଖିଲାଣ ଓ ଛାତ । ଏହି ସ୍ତମ୍ଭ ଓ ଛାତର ସମଷ୍ଟି ତିଆରି କରିଥିଲା ଏକ ବିରାଟ ଘନକ୍ଷେତ୍ର । ସବୁ ଛାତକୁ ପାହାଚ ଥିଲା । ପାହାଚ କଡ଼ରେ ଚାଲୁଥିଲା କ୍ରୀତଦାସମାନଙ୍କ ଦ୍ୱାରା ଚଳାଯାଉଥିବା ପାଣିଉଠା ଯନ୍ତ୍ର । ସବୁ ଛାତରେ ଲଗାଯାଇଥିଲା ବିଭିନ୍ନ ପ୍ରକାରର ଗଛପତ୍ର । ଛାତଗୁଡ଼ିକରେ ଏତେ ମାଟି ଥିଲା ଯେ ବଡ଼ ବଡ଼ ଗଛର ଚେର ସେଥିରେ ସ୍ଥାନପାଇ ପାରୁଥିଲେ । ମୋର ସର୍ବୋଚ୍ଚ ଛାତ ଉପରେ ଶୋଭା ପାଉଥିଲେ ବିରାଟ ତାଳଗଛ ସମୂହ । ପାହାଚମାନଙ୍କର କଡ଼ରେ ବି ବିରାଟ ବୃକ୍ଷରାଜି ଓ ଘାସର ପ୍ରାନ୍ତର ଥିଲା ।