ବେବିଲୋନ୍ରେ ଖୁବ୍ କମ୍ ବର୍ଷା ହେଉଥିଲା । ତେଣୁ ମୋର ବୃକ୍ଷରାଜିକୁ ବଞ୍ଚାଇ ରଖିବାକୁ
ଇଉଫ୍ରେଟସ୍ ନଦୀରୁ ପ୍ରଚୁର ପରିମାଣର ପାଣି ଉଠାଇବାକୁ ପଡୁଥିଲା । ସେତେବେଳେ ଆଜିକାଲିକା
ପରି ପାଣି ପମ୍ପ ନଥିଲା । କ୍ରୀତଦାସମାନେ ଥିଲେ ଏହି ପାଣିଉଠା କାର୍ଯ୍ୟର ଶକ୍ତିଉତ୍ସ । ଏକ ଅନ୍ଧାରୁଆ
ଭୂଗର୍ଭ କୋଠରି ମଧ୍ୟରେ ଏହି କ୍ରୀତଦାସମାନେ ଦିନସାରା ଓଜନିଆ 'ପୁଲି'ଗୁଡିକୁ ବୁଲାଇ ବୁଲାଇ
ଇଉଫ୍ରେଟସ୍ ନଦୀର ପାଣିକୁ ଉଠାଉଥିଲେ ମୋର ଉଚ୍ଚତମ ଶିଖରକୁ । ସମସ୍ତେ ଦେଖୁଥିଲେ ଓ
ପ୍ରଶଂସା କରୁଥିଲେ ମୋ ସୁନ୍ଦରତାକୁ । ହେଲେ କାହାରି ନଜର ପଡୁ ନଥିଲା ମୋ ସୁନ୍ଦରତା ପଛରେ
ଥିବା ଝାଳ ଓ ଲୁହର ବନ୍ୟାକୁ । ସ୍ଥପତିମାନେ ଖୁବ୍ ସୁନ୍ଦର ଭାବରେ ଲୁଚାଇ ଦେଇଥିଲେ
ଅତ୍ୟାଚାରିତ କ୍ରୀତଦାସମାନଙ୍କୁ ଭୂଗର୍ଭ ଗୃହରେ ।
ମୋତେ ତିଆରି କରିଥିବା ସ୍ଥପତିମାନେ ପାଣିର ମହତ୍ତ୍ୱ ବୁଝୁଥିଲେ । ସେମାନେ ଥିଲେ
ବର୍ଷାହୀନ ମରୁପ୍ରାନ୍ତରର ବାସିନ୍ଦା । ସେମାନେ ଚାହୁଁନଥିଲେ ଇଉଫ୍ରେଟସ୍ର ଜଳ କୌଣସି କାରଣରୁ
ନଷ୍ଟ ହେଉ । ବହୁ କଷ୍ଟରେ ମୋ ଉପରକୁ ଉଠାଯାଉଥିବା ପାଣି ଛାତକୁ ଭିଜାଇ ତଳେ ପଡୁ,
ଏହା ସେମାନେ ଚାହୁଁ ନଥିଲେ । ବେବିଲୋନ୍ର ସବୁ ନିର୍ମାଣ ହୋଇଥିଲା ମାଟିର ଇଟା ଦ୍ୱାରା ।
ମୋତେ ବି ନିର୍ମାଣ କରାଯାଇଥିଲା ପୋଡ଼ା ମାଟିର ଇଟାରେ । ପାଣି ଖାଇଲେ ଇଟା ନଷ୍ଟ ହୋଇଯିବ
ପୃଷ୍ଠା:Saptascharya.pdf/୨୭
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତାଶ୍ଚର୍ଯ୍ୟ ୨୭