ପ୍ରାଚୀନ ଗ୍ରୀସ୍ର ଅନ୍ୟ ଜଣେ ଇତିହାସକାର ଡାୟୋଡୋରସ୍ ବି ଖୁବ୍ ସୁନ୍ଦର ବର୍ଣ୍ଣନା କରିଛନ୍ତି ମୋ ବିରାଟ ରୂପଶୋଭାର । ତାଙ୍କ ମତରେ ମୋତେ ନିର୍ମାଣ କରାଯାଇଥିଲା ୩୦ ମିଟର ଲମ୍ବାଚଉଡା ଏକ ବର୍ଗାକାର କ୍ଷେତ୍ର ଉପରେ ଥାକ ଥାକ ହୋଇ ସ୍ତମ୍ଭମାନଙ୍କ ଉପରେ ଠିଆ ହୋଇଥିବା ଛାତ ଓ ଏହା ଉପରେ ଥିବା ଗଛପତ୍ର ଯୋଗୁଁ ଲାଗୁଥିଲା ଯେପରି ଏକ ବିରାଟ ସବୁଜିମାଭରା ମୁକ୍ତାକାଶ ରଙ୍ଗମଞ୍ଚକୁ ପୃଥିବୀ ଓ ଆକାଶ ମଧ୍ୟରେ ଝୁଲାଇ ଦିଆ ଯାଇଛି ! ମୋର ଉଚ୍ଚତା ଥିଲା ୨୫ ମିଟରରୁ ଅଧିକ । ବେବିଲୋନ ସହରର ଚାରିପଟେ ଥିବା ପ୍ରାଚୀରର ଉଚ୍ଚତା ମଧ୍ୟ ଥିଲା ପ୍ରାୟ ଏତିକି । ଏଣୁ ଦୂରରୁ ଆସୁଥିବା ପଥିକମାନଙ୍କୁ ଲାଗୁଥିଲ ମୋ ସର୍ବୋଚ୍ଚ ଶିଖର ଉପରେ ଥିବା ଡାଳ ଓ ଅନ୍ୟ ବିରାଟ ଗଛଗୁଡିକ ଯେପରି ଆକାଶରେ ଭାସୁଛନ୍ତି । ମୋ ଛାତଗୁଡିକ ଉପରେ ମଧ୍ୟପ୍ରାଚ୍ୟ, ଏସିଆ ଓ ୟୁରୋପର ବିଭିନ୍ନ ଅଞ୍ଚଳରୁ ଅଣାଯାଇଥିବା ଗଛମାନ ଲଗାଯାଇଥିଲା । ଡାୟୋଡୋରସ୍ ବି ଲେଖିଛନ୍ତି ଯେ ମୋର ଉଚ୍ଚ ଛାତ ଉପରକୁ ପାଣି ପହଞ୍ଚାଉଥିବା କ୍ରୀତଦାସମାନଙ୍କୁ ଖୁବ୍ ସୁନ୍ଦର ଭାବରେ ଲୁଚା ଯାଇପାରିଥିଲା । ଲୋକେ କେବଳ ଦେଖୁଥିଲେ କିଭଳି ପୁଲିଦ୍ୱାରା ଉଚ୍ଚକୁ ପାଣି ଉଠାଯାଇ ପାରୁଛି । ତାହା ଥିଲା ସେତେବେଳର ସଂସାର ପାଇଁ ଏକ ବିରାଟ ଆଶ୍ଚର୍ଯ୍ୟ ।
ସପ୍ତାଶ୍ଚର୍ଯ୍ୟ ୨୯