ପୃଷ୍ଠା:Sarala Bhashatattwa.pdf/36

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୩
ସରଳ ଭାଷାତତ୍ତ୍ୱ

ଅନୁଶୀଳନ କରାଯାଇପାରେ । ଏପରି ଇତିହାସର ଆଲୋଚନା ଭାଷାତତ୍ତ୍ୱରେ ଗୋଟିଏ ପ୍ରଧାନ କଥା ।

ଶବ୍ଦର ଉତ୍ପତ୍ତି ଓ ଇତିହାସ :- ଶବ୍ଦର ଉତ୍ପତ୍ତି ବିଷୟରେ ଗୋଟିଏ ଭ୍ରମାତ୍ମକ ଧାରଣାର ଏଠାରେ ନିରାକରଣ କରିବା ପ୍ରୟୋଜନ । ସଂସ୍କୃତରେ ଯେତେ ଶବ୍ଦର ପ୍ରୟୋଗ ଥିଲା, ସେମାନଙ୍କର ଉତ୍ପତ୍ତି କେତେକ ଧାତୁ ସହ କେତେକ ପ୍ରତ୍ୟୟର ସଂଯୋଗରେ ଘଟିଅଛି ବୋଲି ବୈୟାକରଣମାନେ ସ୍ଥିର କରିଅଛନ୍ତି, ଅର୍ଥାତ୍ ସଂସ୍କୃତ ଭାଷାର ପ୍ରତ୍ୟେକ ଶବ୍ଦ ଧାତୁ ଓ ପ୍ରତ୍ୟୟର ସମନ୍ୱୟରେ ନିଷ୍ପନ୍ନ ବୋଲି କଳ୍ପିତ । ସଂସ୍କୃତରେ ପ୍ରତ୍ୟେକ ଶବ୍ଦର ମୂଳରେ ଗୋଟିଏ ଧାତୁ ଓ ସେହି ଧାତୁରୁ ଶବ୍ଦଟି ଜାତ ବୋଲି ମନେ କରାଯାଉଥିବାରୁ ଶବ୍ଦର ଇତିହାସ ବିଷୟରେ ସଂସ୍କୃତରେ ଆଉ ଅଧିକ ଚର୍ଚ୍ଚା ନାହିଁ । କିନ୍ତୁ ବାସ୍ତବରେ ଧାତୁ ପ୍ରତ୍ୟୟ ବା ପ୍ରକୃତି ପ୍ରତ୍ୟୟ (ଅର୍ଥାତ Derivation) ଶବ୍ଦର ଉତ୍ପତ୍ତି ଓ ଇତିହାସ (Etymology)ରୁ ସମ୍ପୂର୍ଣ୍ଣ ରୂପେ ପୃଥକ୍ । ପ୍ରଥମତଃ ମନେ ରଖିବାକୁ ହେବ ଯେ, ଶବ୍ଦର ପଚଳନ ଭାଷାରେ ମୂଳରୁ ହୋଇଅଛି । ଶବ୍ଦର ଧାତୁ ବା ପ୍ରତ୍ୟୟ ନିରୂପଣ କରିବା ଗୋଟିଏ ବ୍ୟବହାରରୀତିର ବ୍ୟାପାର ଓ ବୈୟାକରଣମାନଙ୍କର କଳ୍ପିତ ପଦ୍ଧତି ମାତ୍ର । ସଂସ୍କୃତରେ ଧାତୁର ଅର୍ଥ ମୂଳ ବୀଜ ଧ୍ୱନି । ଏହି ଶବ୍ଦ ସହିତ ନାନାପ୍ରକାର ପ୍ରତ୍ୟୟ ଯୁକ୍ତ ହୋଇ ନାନା ଶବ୍ଦ ଗଠିତ ହୋଇଥିବାର ଅନୁମାନ କରାଯାଏ । ଅର୍ଥାତ୍ ଗତି, ଗମ୍ୟ, ଦୁର୍ଗମ, ଗନ୍ତା, ଗମନ ପ୍ରଭୃତି ଶବ୍ଦମାନଙ୍କୁ ବିଶ୍ଳେଷଣ କରି ବୈୟାକରଣମାନେ 'ଗମ୍' ଧାତୁ ନିରୂପଣ କରିଅଛନ୍ତି ଓ 'ଗମ୍' ଧାତୁ ସହିତ ନାନାପ୍ରକାର ପ୍ରତ୍ୟୟ ଓ ଉପସର୍ଗ ଯୁକ୍ତ ହୋଇ ନାନା ନୂତନ ପଦ ସୃଷ୍ଟ ହୋଇଅଛି । ଏହି ରୀତିର ଅନୁକରଣରେ ମତି, ମନନ, ସୁମନ, ମତ ପ୍ରଭୃତି ଶବ୍ଦମାନଙ୍କର ମଧ୍ୟ 'ମନ୍' ଧାତୁରୁ ଉତ୍ପତ୍ତି ନିର୍ଦ୍ଦେଶିତ ହୋଇଅଛି । କିନ୍ତୁ ବାସ୍ତବରେ ସଂସ୍କୃତ ଶବ୍ଦ ଦୁଇ ପ୍ରକାର । କେତେଗୁଡ଼ିଏ ଶବ୍ଦ ବୈଦିକ ଭାଷା ବା ଆନୁସଙ୍ଗିକ ଅନ୍ୟ ଭାଷାରୁ ସଂସ୍କୃତରେ ବ୍ୟବହୃତ, କେତେଗୁଡ଼ିଏ ଶବ୍ଦ ପୁଣି ବୈଦିକ ଭାଷାର ବହୁ ପରେ ସଂସ୍କୃତରେ ପ୍ରଚଳିତ । ଏହି ଦ୍ୱିତୀୟ ପ୍ରକାର ଶବ୍ଦମାନଙ୍କ ମଧ୍ୟରୁ କେତେକଶବ୍ଦ ଦ୍ରାବିଡ଼, ଆରବୀ ଓ ଅନ୍ୟାନ୍ୟ ବୈଦେଶିକ ଭାଷାରୁ ଗୃହୀତ, ଅନ୍ୟ କେତେଗୁଡିଏ ଶବ୍ଦ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରଚଳିତ ଅଥବା ସୁଧୀ ଲେଖକବୃନ୍ଦଙ୍କ ଦ୍ୱାରା ବିଶେଷ ଅର୍ଥରେ ବ୍ୟବହୃତ । ବୈଦିକ ଭାଷାରେ ଯେଉଁ ଶବ୍ଦମାନଙ୍କର ବ୍ୟବହାର ଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂସ୍କୃତରେ ପ୍ରଚଳିତ ହେଲେହେଁ କେତେକ ଶବ୍ଦ ଅପ୍ରଚଳିତ ଓ ଅନ୍ୟ କେତେକ ବିକୃତଭାବରେ ବ୍ୟବହୃତ । ସଂସ୍କୃତ ବ୍ୟାକରଣକାରମାନେ