ପୃଷ୍ଠା:Sarala Bhashatattwa.pdf/80

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅର୍ଥ ବାଲୁକା ଥିବାରୁ ବାଲିନାମକ ସ୍ଥାନରେ ପ୍ରସ୍ତୁତ କାଗଜକୁ ଆମ୍ଭେମାନେ ବାଲୁକାକଣା ପରି ଅକୋମଳ ଓ କର୍କଶ କାଗଜର ନାମ ବୋଲି ଭ୍ରମ କରିଥାଉଁ । ଇଂରାଜୀ barley ଶବ୍ଦରୁ ଉତ୍ପନ୍ନ ବାଲି ଶବ୍ଦକୁ କ୍ଷୁଦ୍ର ବାଲୁକାକଣାର ଆକୃତି ସହିତ ସମ୍ପୃକ୍ତ କରିଥାଉଁ । ଅର୍ଥଗତ ଭ୍ରମ ଓ ବିଶୃଙ୍ଖଳା ଏତେ ସାଧାରଣ ଯେ, ଏ ବିଷୟରେ ଉଦାହରଣ ପ୍ରାୟ ପ୍ରତ୍ୟେକ ଲେଖାରେ ଆମ୍ଭେମାନେ ପାଉଁ । ଓଡ଼ିଆରେ ବ୍ୟବହୃତ 'ଟମଟମ' ଶବ୍ଦ ଇଂରାଜୀ tandem ରୁ ଉତ୍ପନ୍ନ, ଏହାର ମୂଳ ଅର୍ଥ ଯେଉଁ ଗାଡ଼ିରେ ଗୋଟିକ ପରେ ଗୋଟିଏ ଏହିପରି ଦୁଇ ବା ତତୋଧିକ ଘୋଡ଼ା ଲାଗେ, ଏହିପରି ଗାଡ଼ିଗୁଡ଼ାକ ଦ୍ୱିଚକ୍ର ଯୁକ୍ତ ଥିବାରୁ ଟମଟମ ଗାଡ଼ିଗୁଡ଼ିକୁ ଦ୍ୱିଚକ୍ର ଯୁକ୍ତ ଗାଡ଼ି ବୋଲି ଭ୍ରମ କରାଯାଇଥାଏ । ଦ୍ୱିଚକ୍ର ଗାଡ଼ିଗୁଡ଼ିକ ସହଜରେ ଭାରକେନ୍ଦ୍ର ଠିକ୍ ରଖି ପାରୁନଥିବାରୁ ସମଧ୍ୱନିଯୁକ୍ତ 'ଟମଟମ' ବା 'ତମତମ' ଶବ୍ଦ ମଧ୍ୟ 'ବିଚଳିତ ହେବା' ଅର୍ଥରେ ବ୍ୟବହୃତ ହୋଇଥାଏ; ଅର୍ଥାତ୍ ଏହି ପଦମାନଙ୍କର ମୂଳ ଅର୍ଥରେ ବିଚଳିତ ହେବାର ଦ୍ୟୋତନା ନ ଥିଲେ ମଧ୍ୟ ବର୍ତ୍ତମାନ ଏହି ଅର୍ଥ ସହିତ ସମ୍ପର୍କ ଘଟିଅଛି ।

ଶବ୍ଦର ଅର୍ଥଗତ ପରିବର୍ତ୍ତନ ଏତେ ସ୍ୱାଭାବିକ ଯେ, ଆମ୍ଭେମାନେ ସ୍ୱରୂପ ଅର୍ଥ ପ୍ରତି ଅବହିତ ନ ଥାଇ ଶବ୍ଦଗୁଡ଼ିକୁ ନାନାଭାବରେ ବ୍ୟବହାର କରିଥାଉଁ । 'ସନ୍ଦେଶ'ର ମୂଳ ଅର୍ଥ 'ସଂବାଦ' । ମାତ୍ର ଏହି ଅର୍ଥ ବର୍ତ୍ତମାନ ପ୍ରାୟ ଅପ୍ରଚଳିତ । ଓଡ଼ିଆରେ 'ସନ୍ଦେଶ'ର ଅର୍ଥ ଏକପ୍ରକାର ମିଷ୍ଟାନ୍ନ । ଖୁବ୍ ସମ୍ଭବ ପୂର୍ବେ କୌଣସି ବ୍ୟକ୍ତିର ସମ୍ବାଦ ନେବାକୁ ହେଲେ ତାହା ନିକଟକୁ ମିଷ୍ଟାନ୍ନ ସହ ଲୋକ ପଠାଇବାର ବିଧି ପ୍ରଚଳିତ ଥିଲା । ସେହି ଉଦ୍ଦେଶ୍ୟରେ ବର୍ତ୍ତମାନର ସନ୍ଦେଶ ଭଳି ମିଷ୍ଟାନ୍ନ ସାଧାରଣତଃ ପଠାଯାଉଥିବା ଅନୁମାନ କରାଯାଏ, ତେଣୁ ଏହି ଶବ୍ଦ ବର୍ତ୍ତମାନ ମିଷ୍ଟାନ୍ନ ଅର୍ଥରେ ବ୍ୟବହୃତ ହୋଇଅଛି । ଏହାର ଅର୍ଥବିକୃତିର ଅନ୍ତରାଳରେ ଏକ ସାମାଜିକ ପ୍ରଥାର ଇଙ୍ଗିତ ସୁସ୍ପଷ୍ଟଭାବରେ ରହିଅଛି । ଏହିପରି 'ଅହିଅ' ଶବ୍ଦର ମୂଳ ଅର୍ଥ ଆୟୂଷ୍ମତୀ ଅର୍ଥାତ୍ 'ଦୀର୍ଘଜୀବୀ' । ଏହି ଶବ୍ଦଟିର ବର୍ତ୍ତମାନ ଅର୍ଥ 'ସଧବା ନାରୀ' । ଏହି ଶବ୍ଦର ଅର୍ଥବିକୃତି ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ସହମରଣପ୍ରଥା ପ୍ରବର୍ତ୍ତିତ ହେବା ପରେ କେବଳ ସଧବା ସ୍ତ୍ରୀଲୋକମାନଙ୍କର ଦୀର୍ଘଜୀବନର ସମ୍ଭାବନା ଥିବାରୁ ଆଶୀର୍ବାଦ ରୂପରେ ଏହି ଶବ୍ଦଟିର ବ୍ୟବହାର ହେଉଥିଲା । ସେହି ବ୍ୟବହାରରୁ କ୍ରମଶଃ ଏହା 'ସଧବା' ଅର୍ଥରେ ବ୍ୟବହୃତ ହେଉଅଛି । ଏଠାରେ ମଧ୍ୟ ଗୋଟିଏ ସାମାଜିକ ପ୍ରଥାର ସ୍ପଷ୍ଟ ଇଙ୍ଗିତ ଆମ୍ଭେମାନେ ପାଇଥାଉଁ । ଆମ୍ଭେମାନେ ଯେଉଁ 'ଲେଡିକେନି' ଶବ୍ଦ ମିଷ୍ଟାନ୍ନ ଅର୍ଥରେ ବ୍ୟବହାର କରୁଁ, ତାହାର ଅର୍ଥ ପଛରେ ମଧ୍ୟ ଗୋଟିଏ