ପୃଷ୍ଠା:Sarala Bhashatattwa.pdf/93

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସେମାନଙ୍କର ରୂପଗତ ବିକୃତିଦ୍ୱାରା ଅର୍ଥର ମଧ୍ୟ ସାମାନ୍ୟ ପରିବର୍ତ୍ତନ କରିବା ଓ କାଳ ବା ବଚନ ବିଷୟରେ ଇଙ୍ଗିତ ଦେବା ପ୍ରୟୋଜନ ହୋଇଥାଏ । ଆମ୍ଭେମାନେ କେବଳ 'ମନୁଷ୍ୟ' ଓ 'ଯା' ଦ୍ୱାରା ସମ୍ପୂର୍ଣ୍ଣ ଭାବ ପ୍ରକାଶ କରି ପାରୁ ନାହିଁ, ମାତ୍ର ମନୁଷ୍ୟର ସଂଖ୍ୟା ଓ ପ୍ରକାର, ଯିବାର କାଳ ଓ ଗନ୍ତବ୍ୟ ସ୍ଥାନ ପ୍ରଭୃତିର ଉଲ୍ଲେଖ କରିବାଦ୍ବାରା ପୂର୍ଣ୍ଣଭାବକୁ ପ୍ରକାଶ କରିଥାଉଁ । ଶବ୍ଦମାନଙ୍କର ପ୍ରୟୋଗଗତ ଓ ବ୍ୟବହାରଗତ ବିକୃତି ବା ବାକ୍ୟ ମଧ୍ୟରେ ଅବସ୍ଥାନ ପ୍ରଭୃତିର ନିୟମମାନ ଓ ସେମାନଙ୍କର କ୍ରମ ପ୍ରଭୃତି ମଧ୍ୟ ଭାଷାତତ୍ତ୍ବର ଆଲୋଚ୍ୟ ବିଷୟ । ଭାଷାର ପ୍ରଥମ ବ୍ୟବହାର ସମୟରେ ଅବଶ୍ୟ ଅର୍ଥର ନିୟାମକ ବ୍ୟାକରଣଗତ ପଦ୍ଧତିମାନ ପ୍ରଚଳିତ ନ ଥିଲା ଓ ସଙ୍କେତମାନ ମଧ୍ୟ ଆବିଷ୍କୃତ ହୋଇ ନ ଥିଲା । ମାତ୍ର କ୍ରମଶଃ ବ୍ୟବହାରଦ୍ବାରା ବର୍ତ୍ତମାନ ଭାଷାରେ ନାନା କୃତ୍ରିମ ପ୍ରକ୍ରିୟାଦ୍ୱାରା ଅର୍ଥର ନିୟନ୍ତ୍ରଣ ଓ ସମ୍ୟକ୍ ପ୍ରକାଶ କରିବା ସମ୍ଭବପର ହେଉଅଛି । ବ୍ୟାକରଣଗତ ନିୟମମାନ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ, ବାକ୍ୟ ମଧ୍ୟରେ ଶବ୍ଦର ସ୍ଥାନ ନିରୂପଣ, ଶବ୍ଦର ଦ୍ୱିରୁକ୍ତି, ଶବ୍ଦ ସହିତ ସାଙ୍କେତିକ ଧ୍ୱନି ବା ଅନ୍ୱୟୀ ଶବ୍ଦମାନଙ୍କର ସଂଯୋଗ ଓ ଶବ୍ଦମାନଙ୍କର ସାମାନ୍ୟ ବିକୃତିଦ୍ୱାରା ବକ୍ତାର ମନୋଭାବ ସମ୍ପୂର୍ଣ୍ଣରୂପେ ପ୍ରକାଶିତ ହୋଇଥାଏ । 'ଗାଡ଼ି କଲେଜ ଗଲା'ର ଅର୍ଥ ଯାହା,'କଲେଜଗାଡ଼ି ଗଲା'ର ଅର୍ଥ ତାହା ନୁହେଁ ଓ 'ସେ କାମ ଭଲ କଲା'ର ଅର୍ଥ ଯାହା,'ସେ ଭଲକାମ କଲା'ର ଅର୍ଥ ମଧ୍ୟ ତାହା ନୁହେଁ; ପୁଣି 'ସେ ଭଲ କାମ କଲା'ର ଅର୍ଥ ଯାହା 'ସେ ଭଲ ଭଲ କାମ କଲା' ବା 'ସେମାନେ ଭଲ କାମ କଲେ' ବା 'ସେ ଭଲ କାମ କରିବ'ର ଅର୍ଥ ମଧ୍ୟ ତାହା ନୁହେଁ । 'ସେ କଲେଜକୁ ଗଲା' ଓ 'ସେ କଲେଜରୁ ଗଲା' ଏହି ଦୁଇ ବାକ୍ୟରେ ଅତି ସାମାନ୍ୟ ସାଙ୍କେତିକ ବିଭିନ୍ନତାଦ୍ୱାରା ଅର୍ଥର ବିଶେଷ ପାର୍ଥକ୍ୟ ସାଧିତ ହେଉଅଛି । ବାକ୍ୟରେ ଶବ୍ଦମାନଙ୍କର ପ୍ରୟୋଗକୁ ନିୟନ୍ତ୍ରଣ କରିବା ବ୍ୟାକରଣର କାର୍ଯ୍ୟ ଓ ଏହି କାରଣରୁ ବ୍ୟାକରଣର ସମ୍ୟକ୍ ଆଲୋଚନା ଭାଷାତତ୍ତ୍ୱରେ ପ୍ରୟୋଜନ ହୋଇଥାଏ । ଅବଶ୍ୟ ପ୍ରାୟ ପ୍ରତ୍ୟେକ ଭାଷାର ବ୍ୟାକରଣଗତ ନିୟମ ଅନ୍ୟ ଭାଷାର ନିୟମଠାରୁ ପୃଥକ୍; ଏଣୁ କୌଣସି ଗୋଟିଏ ଭାଷାର ନିୟମ ଆଲୋଚନା କରିବା ଯଥେଷ୍ଟ ହୋଇ ପାରେ, ମାତ୍ର ଏକ ଗୋଷ୍ଠୀଭୁକ୍ତ ଭାଷାର ବ୍ୟାକରଣ ମଧ୍ୟରେ ସାମଞ୍ଜସ୍ୟ ଥିବାରୁ ଭାଷାମାନଙ୍କର ବ୍ୟାକରଣଗତ ନିୟମଗୁଡ଼ିକର ଆଲୋଚନାଦ୍ୱାରା ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ୱୀକୃତ ହୋଇ ପାରେ ଓ ବ୍ୟାକରଣଗତ ପାର୍ଥକ୍ୟର କାଳ ବା କାରଣ ମଧ୍ୟ ନିର୍ଦ୍ଦିଷ୍ଟ ହୋଇ ପାରେ । ଓଡ଼ିଆ ଭାଷାରେ ପ୍ରଚଳିତ ବ୍ୟାକରଣଗତ ନିୟମମାନ ସଂସ୍କୃତ ଭାଷାର ନିୟମଠାରୁ ଅନେକାଂଶରେ ପୃଥକ୍, ମାତ୍ର ଏହି କାରଣରୁ ଓଡ଼ିଆକୁ