ପୃଷ୍ଠା:Sarala Bhashatattwa.pdf/94

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଭାଷା ବୋଲି ସ୍ୱୀକାର କରାଯାଇ ନ ପାରେ, ପୁଣି ସଂସ୍କୃତ ବ୍ୟାକରଣଗତ ନିୟମଦ୍ୱାରା ଓଡ଼ିଆ ଭାଷାର ପ୍ରୟୋଗବିଧିକୁ ସର୍ବଦା ନିୟନ୍ତ୍ରିତ ମଧ୍ୟ କରାଯାଇ ନ ପାରେ । ଭାଷାର ବ୍ୟାକରଣଗତ କ୍ରମ ବିକାଶଦ୍ୱାରା ଉଭୟ ଭାଷା ମଧ୍ୟରେ ସମ୍ପର୍କ ସୂଚିତ କରିବାହିଁ ଯଥେଷ୍ଟ ।

ଭାଷାମାନଙ୍କର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଭାଷା ବ୍ୟବହାରର ବହୁ ପରବର୍ତ୍ତୀ କାଳରେ ବ୍ୟାକରଣଗତ ନିୟମମାନ ଭାଷାରେ ପ୍ରଯୁକ୍ତ ହୋଇଅଛି, ପ୍ରୟୋଗବିଧିର ନାନାସ୍ତର ମଧ୍ୟ ଆବିଷ୍କୃତ ହୋଇଅଛି । ଭାଷାର ପ୍ରଥମ ଅବସ୍ଥାରେ ନିଶ୍ଚୟ କେବଳ କେତେକ ଦୃଶ୍ୟମାନ ବାସ୍ତବ ପଦାର୍ଥ ବା ଶ୍ରୁତିଗୋଚର ସୁସ୍ପଷ୍ଟ ଧ୍ବନି ମାତ୍ରହିଁ ଭାଷାର ସମ୍ବଳ ଥିଲା ଓ ନାନା ଇଙ୍ଗିତ ବା ହସ୍ତପଦାଦିର ସଞ୍ଚାଳନ ଅଥବା ସଙ୍କେତ ଆଦିଦ୍ୱାରା ଭାବ ପ୍ରକାଶ କରିବାର ଚେଷ୍ଟା କରାଯାଉଥିଲା । ପରବର୍ତ୍ତୀ ଯୁଗରେ କେତେକ ଦୃଶ୍ୟମାନ କାର୍ଯ୍ୟ ସହିତ ଧ୍ୱନିର ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଇ କୃତ୍ରିମ ଶବ୍ଦ ଦ୍ବାରା ପଦାର୍ଥମାନଙ୍କର ଗତି, ସ୍ଥିତି ଓ ପରିଣତି ପ୍ରଭୃତିର ବିବରଣ ଦେବାର ପ୍ରୟାସ ହୋଇଥିବା ସମ୍ଭବ । ମାତ୍ର ବହୁଦିନ ପର୍ଯ୍ୟନ୍ତ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ବିଚ୍ଛିନ୍ନ ଅବିକୃତ ବ୍ୟବହାର ମାତ୍ରହିଁ ଭାଷାରେ ପ୍ରଚଳିତ ଥିଲା । ଅର୍ଥାତ୍ ମଣିଷ, ଗାଈ, ଶୋଇବା, ଖାଇବା, ମାଛ, ଘର ପ୍ରଭୃତି କେତେକ ଶବ୍ଦ ମାତ୍ର ଭାଷାର ଏକମାତ୍ର ସମ୍ବଳ ଥିଲା ଓ ଏହି ଶବ୍ଦମାନ କୃତ୍ରିମ ହେଲେହେଁ ଏମାନଙ୍କର ପ୍ରୟୋଜନ ଗତ କୌଣସି କୃତ୍ରିମ ନିୟମ ଆବିଷ୍କୃତ ବା ସ୍ୱୀକୃତ ହେଉ ନ ଥିଲା ।

ମଣିଷର ଭଲ ମନ୍ଦ ଗୁଣ, ଶୋଇବାର ଗାଢ଼ତ୍ୱ, ଖାଇବାର ଦ୍ରୁତତା ପ୍ରଭୃତି ନିର୍ଦ୍ଦେଶିତ କରିବାର କୌଣସି ଉପାୟ ତାତ୍କାଳୀନ ଭାଷାରେ ନ ଥିଲା । ଏହା ସମ୍ଭବ ଯେ, ପ୍ରଥମେ ଶବ୍ଦର ଅବସ୍ଥାନ‌ଦ୍ୱାରା ଲୋକେ ଅର୍ଥର ପରିବର୍ତ୍ତନ ବିଷୟରେ ସଚେତ ହେଲେ ଅର୍ଥାତ୍ 'ମାଛ ମଣିଷ ଖାଇଲା'ର ଅର୍ଥ ଯେ 'ମଣିଷ ମାଛ ଖାଇଲା' ବାକ୍ୟର ଅର୍ଥଠାରୁ ପୃଥକ୍, ଏହା ପ୍ରଥମେ ଜାଣି ପାରିଲେ । ବାକ୍ୟ ମଧ୍ୟରେ ପ୍ରଧାନ ବ୍ୟକ୍ତି ବା ପଦାର୍ଥକୁ ଏକ ବିଶେଷ ସ୍ଥାନ ଦେବାର ପଦ୍ଧତି କ୍ରମେ କ୍ରମେ ପ୍ରଚଳିତ ହେଲା । କ୍ରମଶଃ ସମ୍ବନ୍ଧ ସୂଚିତ କରିବା ନିମନ୍ତେ ଶବ୍ଦମାନଙ୍କର ସାନ୍ନିଧ୍ୟ ବା ପୂର୍ବାପର ଅବସ୍ଥିତି ମଧ୍ୟ ବ୍ୟବହାରରୀତି ମଧ୍ୟରେ ପରିଗଣିତ ହେଲା । ସମ୍ବନ୍ଧ ନିରୂପଣ କରିବା ନିମନ୍ତେ ପ୍ରଧାନ ଅପ୍ରଧାନ ବସ୍ତୁର ନିର୍ଦ୍ଦେଶ ଦେବା ରୀତି କ୍ରମଶଃ ପ୍ରଚଳିତ ହେଲା । ଅର୍ଥାତ୍ ଘର ଓ ଗାଈ ଏହି ଦୁଇ ପଦ ମଧ୍ୟରେ ନିକଟ ସମ୍ବନ୍ଧ ଥିଲେ ସେମାନଙ୍କର ଏକତ୍ର ବ୍ୟବ‌ହାର କରାଗଲା ଏବଂ 'ଗାଈ ଘର' ଓ 'ଘର ଗାଈ' ମଧ୍ୟରେ ପାର୍ଥକ୍ୟ ମଧ୍ୟ ସୂଚିତ ହେଲା ଅର୍ଥାତ୍ ଦୁଇଟି ପଦ ମଧ୍ୟରେ ଯେଉଁଟି ପ୍ରଧାନ ତାହା