୯୪
ସରଳ ଭାଷାତତ୍ତ୍ୱ
ଥିଲା । ପ୍ରତ୍ୟେକ ଶବ୍ଦ ସହିତ ସଙ୍କେତ ଯୋଗ କରିବାଦ୍ୱାରା ଶବ୍ଦମାନଙ୍କର ଅବସ୍ଥାନ ଅର୍ଥସୂଚକ ହେଲା ନାହିଁ । ସଙ୍କେତର ବ୍ୟବହାରଦ୍ୱାରା ଭାଷା ସଦାସର୍ବଦା କଣ୍ଟିକିତ ହେଲା ଓ ବ୍ୟବହାରରେ ଭ୍ରମ ମଧ୍ୟ ସ୍ୱାଭାବିକ ହେଲା । ସାଧାରଣତଃ ଯେଉଁମାନେ ଭାଷା ବ୍ୟବହାର କରନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ ଶିକ୍ଷିତ ନୁହନ୍ତି । ନିତାନ୍ତ ମୂର୍ଖକୁ ମଧ୍ୟ ଭାଷା ବ୍ୟବହାର କରିବାକୁ ପଡେ ଓ ଏମାନଙ୍କ ଭୁଲ ବ୍ୟବହାରଦ୍ୱାରା ଭାଷାର ସାଙ୍କେତିକ ଚିହ୍ନମାନଙ୍କର ନାନାପ୍ରକାର ପରିବର୍ତ୍ତନ ହୋଇଥାଏ ଓ ଭାଷାରେ ଅଶୁଦ୍ଧିର ବାହୁଲ୍ୟ ଯୋଗୁଁ ଅନେକଗୁଡ଼ିଏ ସଙ୍କେତ ନିରର୍ଥକ ହୋଇଥାଏ । ପୁଣି କେତେଗୁଡ଼ିଏ ଶବ୍ଦ ଭାଷାରେ ବିଶେଷଭାବରେ ପ୍ରଯୁକ୍ତ ହୋଇଥାଏ । ଏପରି ପ୍ରୟୋଗଦ୍ୱାରା ମଧ୍ୟ ଭାଷା ବିକୃତ ହୋଇ ସେଥିରେ ନାନା ପ୍ରକାର ନୂତନ ବ୍ୟବହାର ପ୍ରବର୍ତ୍ତିତ ହୋଇଥାଏ ଏବଂ କେତେକଗୁଡ଼ିଏ ଶବ୍ଦ ମଧ୍ୟ ସାଙ୍କେତିକ ହୋଇପଡ଼େ । ଇଂରାଜିରେ ଏହିପରି ସଙ୍କେତମାନଙ୍କର କ୍ରମଶଃ ତିରୋଭାବ ହେତୁରୁ preposition ମାନଙ୍କର ଆବଶ୍ୟକ ହୋଇଅଛି । ଓଡ଼ିଆରେ 'ଦ୍ୱାରା' ପ୍ରଭୃତି ସମ୍ପୂର୍ଣ୍ଣ ପଦ ବର୍ତ୍ତମାନ ସାଙ୍କେତିକଭାବରେ ବ୍ୟବହୃତ ହେଉଅଛି ।
ସାଙ୍କେତିକ ଚିହ୍ନ ଗୁଡ଼ିକ କଳ୍ପିତ ହୋଇଥିବାରୁ ବ୍ୟବହାରକ୍ରମରେ ବର୍ତ୍ତମାନ ଏମାନଙ୍କର ନାନାପ୍ରକାର ପ୍ରୟୋଗ ଗତ ବିକାର ଦେଖାଯାଇଥାଏ ଓ କୌଣସି ଗୋଟିଏ ପ୍ରକାର ବ୍ୟବହାର ଭାଷାରେ ପ୍ରାଧାନ୍ୟ ଲାଭ କଲେ ଭାଷାସ୍ଥିତ ସବୁ ଶବ୍ଦ ସହିତ ଏହିପରି ସାଙ୍କେତିକ ଚିହ୍ନ ବ୍ୟବହାର କରାଯାଏ । ଇଂରାଜୀ Judge ଶବ୍ଦର ବହୁବଚନରେ Judges, ମାତ୍ର ଓଡ଼ିଆରେ ଜଜ ଶବ୍ଦର ବହୁବଚନ ଜଜମାନେ । ଅର୍ଥାତ୍ ଓଡ଼ିଆରେ ପ୍ରଚଳିତ 'ମାନେ' ସଙ୍କେତ ପ୍ରାଧାନ୍ୟ ଲାଭ କରିଥିବାରୁ ବର୍ତ୍ତମାନ ବିଦେଶାଗତ ଜଜ ଶବ୍ଦ ସହିତ ବୈଦେଶିକ ସଙ୍କେତ ଯୁକ୍ତ ନ ହୋଇ ତାହା ସହିତ ଓଡ଼ିଆ ସଙ୍କେତ ବ୍ୟବହୃତ ହେଉଅଛି । ଏହିପରି ପାରସିକ ଶବ୍ଦମାନଙ୍କ ସହିତ ବହୁତ୍ୱସୂଚକ 'ଆନ୍' ସଙ୍କେତ ଯୁକ୍ତ ହେଉଥିବାର ରୀତି ପ୍ରଚଳିତ ଥିବାରୁ ଓ ଏକ ସମୟରେ ପାରସିକ ଭାଷାର ପ୍ରଭାବରୁ ମେମ୍ବରାନ୍ (ଇଂରାଜୀ member) କିଲଟରାନ୍ (ଇଂରାଜୀ collector) ପ୍ରଭୃତି ଶବ୍ଦ ବ୍ୟବହୃତ ହେଉଥିଲେହେଁ ବର୍ତ୍ତମାନ ଏମାନଙ୍କ ସହିତ ଓଡ଼ିଆ 'ମାନେ' ପ୍ରଯୁକ୍ତ ହେଉଅଛି । ଯଥା- ମେମ୍ବରମାନେ, କିଲଟରମାନେ ଇତ୍ୟାଦି । ଭାଷାତତ୍ତ୍ୱ ଆଲୋଚନା ସମୟରେ ଆମ୍ଭେମାନେ ଏପରି ଅନୁକରଣ ପ୍ରୟୋଗର ଭୂରି ଭୂରି ଉଦାହରଣ ପାଇଥାଉଁ । ଛାତ୍ର ଶବ୍ଦର ସ୍ତ୍ରୀଲିଙ୍ଗରେ ଛାତ୍ରୀ, ପାତ୍ର ଶବ୍ଦର ସ୍ତ୍ରୀଲିଙ୍ଗରେ ପାତ୍ରୀ ଶବ୍ଦ ମଧ୍ୟ ଏହିପରି ଅନୂକରଣର ଉଦାହରଣ, କାରଣ ଏ ଦୁଇଗୋଟି ଶବ୍ଦ ସଂସ୍କୃତରେ