Jump to content

ପୃଷ୍ଠା:Semananka piladina.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଣ୍ଡିଆରେ ଆମର ହୁଏ କୋଳଥ । ଡାଲିର କାମ ଅନେକ ସମୟରେ ସେ କରେ । ଭଜା କୋଳଥର ବାସ୍ନା, ଆମ୍ବୁଲ ପଡ଼ିିଥିବା କୋଳଥ ଡାଲି ଖୁବ୍‍ ସୁଆଦ ଲାଗେ ।

ମୋର ମନେଅଛି, ଚାଉଳ ନିଅଣ୍ଟ ହୋଇଥିଲେ, ରାତି ଓଳି ଥାଳିଏ ଲେଖାଁ କୋଳଥ 'ପଇତି' ବହୁତ ଦିନ ଚଳିିଥିଲା । ଆଉ ମନେଅଛି, ଆମ ଭାଗ ଦେଇଥିବା ଜମିରେ ବିଲାତି ଆଳୁ ଫଳିିଥିଲା । ଚାଉଳ ଅଭାବ ହେଲା । ବାପା ନିର୍ଦେଶ ଦେଲେ, ଚାଉଳ ବଦଳରେ ସିଝା ଆଳୁ ହିଁ ଖାଦ୍ୟ ହେବ, କେତେବେଳେ ଓଳିଏ କେବେ ବା ଦିଓଳି । କୌଣସି ଅସୁବିଧା ହୋଇନାହିଁ ।

ନାଲି ନାଲି ବଡ଼ ବଡ଼ ଭାତ, କେମିତି ବେଣାଚେର ପରି ବାସ୍ନା ହୁଏ । ମୁଗଡାଲି କେବେ ଘିଅ, ବାସ୍ନା ଗୁଆ ଘିଅ ଶରଦୀ ମା' ଗଉଡ଼ୁଣୀ ଦିଏ । କେବେ ଦୁଧ । ଆମ ନଈର ମାଛପାଇଁ ତା'ର ନାଁ ଅଛି । ନାନା ଜାତି ଶାଗ । ଏମିତି ମଝିରେ ମଝିରେ ପରିପୂର୍ଣ୍ଣ ଭୋଜନ । ଆଉ କେବେ କୋଳଥ ପଇତି ।

ଶୀତଦିନେ ହେଁସ ଘୋଡ଼ିହେଉ । ବେଶି ଶୀତ ହେଲେ ମୋଟା ହେଁସ । ବହୁତ ଗରମ ହୁଏ । ଅନ୍ୟ ସମୟରେ ଯୋଡ଼ି ଚାଦର, 'ମାଠ', ଗରମ 'ଆଲୁଆନ' ବି ମନେ ଅଛି । କିନ୍ତୁ ବେଶି କାମରେ ଲାଗେ ଉହ୍ମେଇ ନତୁବା କେତେବେଳେ ନଡ଼ିଆ ପତ୍ର ଜାଳି ନିଆଁ ।

ଖରାଦିନେ ସପ ବିଛଣା, କିନ୍ତୁ ତାଠୁଁ ବଳି ଆରାମ ଲିପା ହୋଇଥିବା ମାଟି ପିଣ୍ଡା ଉପରେ ଲୁଗା ଖଣ୍ଡେ ବିଛେଇ ଦେଇ ଶୋଇ ପଡ଼ିବା ।

ସେତେବେଳେ ବି ମଶାପଲ ଥିଲେ ନିଶ୍ଚୟ । କିନ୍ତୁ ମଶାରି ପଡ଼ିବା ମନେନାହିଁ । ମଶାରି ନଥିଲା ବୋଲି ନିଦରେ ବ୍ୟାଘାତ ହେବା ବି ମନେନାହିଁ । ବୋଧହୁଏ ଉପାୟ ଥିଲା ସହଜ ।

ମଶକାୟ ଧୂମଃ ।

ମନେପଡ଼ୁଛି, ବାପାବୋଉ କେବେ କେବେ ଆମକୁ ଅପେକ୍ଷା କରୁଥିଲେ ତାଙ୍କ ଅତୀତର କେଉଁ ଭୋଗ ଭାଗ୍ୟର ଜୀବନ କଥା ମନେପକାଇ, କିନ୍ତୁ ମୋ ମନରେ କୌଣସି ପ୍ରକାର ଦାରିଦ୍ର୍ୟ ଅନୁଭୂତି କେବେ ହୋଇଥିବାର ମୋର ମନେନାହିଁ । ସେ ଆକ୍ଷେପର କାରଣ ମୁଁ ଆଦୌ ବୁଝିପାରେ ନାହିଁ । ମୋର କିଛି ଅଭାବ ନଥିଲା । ଗାଳି ନଖାଇଲେ ମୋର ସବୁଦିନେ ଆନନ୍ଦ, ମାଡ଼ କ୍ୱଚିତ୍‍ ଖାଇଚି । ବୋଉ ମାରେ ନାହିଁ । ବୋଉ ମୋର ଖାଲି ଜନ୍ମଦାତ୍ରୀ ନୁହେଁ, ସେ ହୋଇଥିଲା ମୋର ପ୍ରାଣରସ ଆହରଣ କରିବାର କ୍ଷେତ୍ର ।

୩୮ ସେମାନଙ୍କ ପିଲାଦିନ