Jump to content

ପୃଷ୍ଠା:Semananka piladina.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡାକ୍ତର ମୁଁ ଦେଖି ନଥିଲି, ବଇଦ ଦେଖିଛି, ମୁଣିରୁ ଗଦ ବାହାର କରନ୍ତି । ପିଲାଦିନେ ଦିଆସିଲି କାଠିର ଅଗରେ ଥିବା ରଂଜକ ପ୍ରତି ମୋର ବହୁତ ଲୋଭ ହେବାରୁ ମୁଁ ସେଥିରୁ ଗୁଡ଼ିଏ ଖାଇ ଦେଇଥିଲି, ରକ୍ତଝାଡ଼ା ଲାଗି ରହିଲା ମାସେ ଯାକେ । ବଇଦ ଭଲ କଲେ । ଚାହା ମୁଁ ଚିହ୍ନି ନିଥିଲି । ଅନ୍ୟ ଗାଁରେ ପଠାଣ ସାହିରେ କୁକୁଡ଼ା ଦେଖିଛି । କେବେ ଭାବି ନଥିଲି ସେଗୁଡ଼ିକ ମଣିଷର ଖାଦ୍ୟ । ଚିନାବାଦାମ ମୁଁ ଦେଖିଲି ଆହୁରି କେତେବର୍ଷ ପରେ । ସେତେବେଳେ କାହ୍ନୁଭାଇ ମୋତେ ଚୋପାଗୁଡ଼ିଏ ଦେଇ ଚୋବେଇବାକୁ କହିଲେ । ଥୁ ଥୁ କରୁକରୁ ଧୂଳଭାଇ ସାହାଯ୍ୟ କଲେ । ମଦୁଆ ମୁଁ ଦେଖି ନଥିଲି । ସାଇକଲ, ମଟର, ସିନେମା, ଥିଏଟର୍‍ ଫୁଟୁବଲ୍‍ ଖେଳ ଏସବୁ ମୋତେ ଅଜଣା । ମୁଁ ଥିଲି ନିପଟ ମଫସଲିଆ ପିଲା । ଜୋତା ମାଡିଲି କଲେଜରେ । ପିଲାଦିନେ କଠଉ ମାଡ଼ୁଥିଲି । କିନ୍ତୁ ମୁଁ ମୋ ଦୁନିଆକୁ ଚିହ୍ନିବାର ସୁଯୋଗ ପାଇଥିଲି, ଆଖିରେ, ନାକରେ, କାନରେ, ଜିଭରେ, ଚମରେ ଚାଖିଥିଲି ଗାଁ କ'ଣ, ପଲ୍ଲିଶ୍ରୀ କ'ଣ । ସେ ସୁଯୋଗ ମୁଁ ମୋ ସନ୍ତାନମାନଙ୍କୁ ଦେଇପାରି ନାହିଁ ।

ସହରର ପିଲା କଳ୍ପନା କରିପାରିବ ନାହିଁ ଯାନ୍ତ୍ରିକ କୋଳାହଳ, ବ୍ୟସ୍ତତା, ଉତ୍ତେଜନା, ଉଦ୍‍ବେଗ, ଆଡ଼ମ୍ବର । ନିରାପତ୍ତା ଅପସରି ଗଲେ ଦୁନିଆଁ ଦିଶନ୍ତା କିମିତି - ସକାଳ, ଦିପହର, ସଂଜ, ରାତି । ବିନା ଆଲୁଅରେ ରାତି-କେମିତି ଦିଶନ୍ତା, ଲାଗନ୍ତା ଯେଉଁଠି ବଞ୍ଚିବାର ଏକମାତ୍ର ଉଦ୍ଦେଶ୍ୟ ବଞ୍ଚିବା, ଅନ୍ୟ ଉଦ୍ଦେଶ୍ୟ କି ଦୂରଭିସନ୍ଧି ନାହିଁ, ସେ ଜୀବନ କେମିତି, ସେ ସମାଜ କେମିତି!

ସେ ସୁଯୋଗ ପାଇବ ନାହିଁ ଜାଣିବାକୁ କଞ୍ଚା ଓଡ଼ିଆ ବୋଲି ଗାଉଁଲି ଲୋକଙ୍କ ତୁଣ୍ଡରେ କିଭଳି ସଂଗୀତ ସୃଷ୍ଟି କରି ଉଚ୍ଚାରିତ ହୁଏ, କି ବିଶେଷତ୍ୱ ସେ ବୋଲିର ଯେ କେତେ ଅଳ୍ପ କହିଲେ ବି କେତେ ଅର୍ଥ ବୁଝାଏ, କିଛି ନ କହି ବି ଦି' ଜଣ ଗାଁ ଲୋକ ମୁହାଁମୁହିଁ ହୋଇ ତୁନି ରହି କେମିତି ଭାବର ଆଦାନ ପ୍ରଦାନ କରନ୍ତି ।

ସେ ଜାଣିବାକୁ ସୁଯୋଗ ପାଇବେ ନାହିଁ ଯେ କୌଣସି ପର୍ବଦିନ ସହରରେ ବୁଲିଯାଇ କାନ ଫଟେଇ ଦେଉଥିବା ମାଇକ୍‍ ଗୀତର ରଡ଼ି ଶୁଣିବା ପରିବର୍ତ୍ତେ (ଆମ ଗାଁ ହୋଇଥିଲେ ଗେଧମାନେ ଏ ଗଛରୁ ସେ ଗଛ ଡିଅଁନ୍ତେ ଓ ଗୋରୁ ହୁରୁଡ଼ନ୍ତେ) ନଈ ବନ୍ଧେ ବନ୍ଧେ ଆମ ଗାଁକୁ ଗଲେ ପାଖରୁ, ଦୂରରୁ, ନଈ ସେ ପାରିରୁ ନାନା ସ୍ଥାନରୁ ଶଙ୍ଖ ହୁଳହୁଳି ଶବ୍ଦ କେମିତି ଶୁଭେ, କୁଆଁର ପୂନେଇ ପାଖ ହେଲେ ରାତିରେ ଗାଁ ଗାଁକରୁ ଫୁଲବଉଳବେଣୀ ଗୀତ କେମିତି ଶୁଭେ ।

'ମାଟି ମଟାଳ' ଉପନ୍ୟାସ ପାଇଁ 'ଜ୍ଞାନପୀଠ' ପୁରସ୍କାର ପାଇଥିବା ବିଶିଷ୍ଟ ସାହିତ୍ୟିକ ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀ 'ସ୍ରୋତସ୍ୱତୀ'ରୁ ଉଦ୍ଧୃତ ।

୪୦ ସେମାନଙ୍କ ପିଲାଦିନ