ପୃଷ୍ଠା:ShreeJagannath.pdf/୧୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋପାଳ ତୀର୍ଥ ମଠ

ଦେବୋତ୍ତର ବିଭାଗ ଦ୍ୱାରା ନିୟନ୍ତ୍ରିତ । ଏହି ମଠ ମହନ୍ତଙ୍କର 'ମୁକ୍ତିମଣ୍ଡପ'ରେ ବସିବା ଅଧିକାର ଅଛି । ସ୍ନାନ ପୂର୍ଣ୍ଣମୀ ଦିନ ସ୍ନାନ ବେଦୀରେ ଶ୍ରୀବଳଭଦ୍ରଙ୍କ ବାଡର ହାତୀ ବେଶ ସାମଗ୍ରୀ ଯୋଗାନ୍ତି । ସ୍ନାନପୂର୍ଣ୍ଣମୀ ଓ ମକରସଂକ୍ରାନ୍ତି ଦିନ ମକରଚୂଳ ଏହି ମଠ ଯୋଗାନ୍ତି । ସ୍ନାନପାଦୁକ ଶ୍ରୀମନ୍ଦିରରୁ ଘଣ୍ଟ ଓ କାହାଳୀ ସହିତ ଏହି ମଠକୁ ପଠାଯାଏ । ଦିଅଁ ବାହାର ବିଜେରେ ମଠ ତରଫରୁ ପନ୍ତିଭୋଗ ହୁଏ । ଏହି ମଠର ପରିଚାଳନା ଦାୟିତ୍ୱ ଡିସେମ୍ବର ୨୦୧୩ଠାରୁୁ ଶ୍ରୀମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ ରହିଛି ।

ଗୋବର୍ଦ୍ଧନ ମଠ

ଦେବୋତ୍ତର ବିଭାଗ ଦ୍ୱାରା ନିୟନ୍ତ୍ରିତ । ଏହି ମଠରେ ପୁରୀର ଶଙ୍କରାଚାର୍ଯ୍ୟ ରହନ୍ତି । ସେ ଏହି ମଠର ମୁଖ୍ୟ ତ‌ଥା 'ମୁକ୍ତିମଣ୍ଡପ'ର ସ୍ଥାୟୀ ସଭାପତି । ସେ ଶ୍ରୀମନ୍ଦିର ଭିତରକୁ 'ଦଣ୍ଡ' ଧରି ପ୍ରବେଶ କରିପାରିବେ ଓ ମନ୍ଦିର ଭିତରେ 'ଆସନ' ପକାଇ ବସିପାରିବେ । ଶ୍ରୀମନ୍ଦିରର ରୀତିନୀତି ଉପରେ ସେ ମତ ବା ପରାମର୍ଶ ଦିଅନ୍ତି । ଏ ବିଷୟରେ ସମସ୍ୟା ଉପୁଜିଲେ ତାଙ୍କୁ ପଚାରିବା ବିଧି ଅଛି । ପୂର୍ବେ ସେ ଶ୍ରୀମନ୍ଦିରର ପୂଜାପଣ୍ଡାମାନଙ୍କୁ ପୂଜାଜ୍ଞାନ ସମ୍ପର୍କରେ ପରୀକ୍ଷା କରି ସାର୍ଟିଫିକେଟ୍‍ ଦେଉଥିଲେ । ଏହା ପାଇବା ପରେ ସେମାନେ ପୂଜା କରିପାରୁଥିଲେ । ମଠପାଇଁ ଶ୍ରୀମନ୍ଦିରରୁ ଦୈନିକ ଓ ପର୍ବଯାତ୍ରା ଖେଇ ପଠାଯାଏ । ଏହି ମଠର ଅନ୍ୟନାମ ଭୋଗବର୍ଦ୍ଧନ ମଠ ।

ବଡ଼ଛତା ମଠ

ଦେବୋତ୍ତର ବିଭାଗ ଦ୍ୱାରା ନିୟନ୍ତ୍ରିତ । ମଠ ତରଫରୁ ମଙ୍ଗଳ ଆରତି ଓ ପହୁଡ଼ ଆରତିରେ କୀର୍ତ୍ତନ କରାଯାଏ । ବାଳଧୂପ, ଚନ୍ଦନ ଓ ଦୋଳଯାତ୍ରା ସମୟରେ ମଧ୍ୟ କୀର୍ତ୍ତନ କରାଯିବା ବିଧି ଅଛି । ମଠ ତରଫରୁ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ପଦ୍ମବେଶ କରାଯାଏ । ମାଘ ଅମାବାସ୍ୟା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାରରେ ଏହି ବେଶ ହୁଏ । ବେଶ ଦିନ ମଠ ତରଫରୁ ଖିରି ଭୋଗ କରାଯାଏ ।

ରାଧାକାନ୍ତ ମଠ

ଦେବୋତ୍ତର ବିଭାଗଦ୍ୱାରା ନିୟନ୍ତ୍ରିତ । ମଠର ମହନ୍ତ ଶାଢ଼ି ବନ୍ଧାଇ, ଉପଚାର ଚାମର ସେବା କରିପାରିବେ । ଶ୍ରୀମନ୍ଦିରରେ ମଠ ତରଫରୁ କୀର୍ତ୍ତନ କରାଯାଇ ପାରିବ । ଗୁଣ୍ଡିଚା ମନ୍ଦିରର ଭିତର ଓ ବାହାର ବେଢ଼ା ଏହି ମଠ ପରିଷ୍କାର କରାନ୍ତି । କାର୍ତ୍ତିିକ ମାସରେ ଶ୍ରୀମନ୍ଦିରରେ ଅଖଣ୍ଡ ଜାଳନ୍ତି । ଶ୍ରୀମନ୍ଦିର ରୋଷଘରେ ମଠର ଚୁଲା ଅଛି । ଶ୍ରୀମନ୍ଦିର କୋଠଭୋଗରୁ ଦୈନିକ ଖେଇ ପାଆନ୍ତି ।