ପୃଷ୍ଠା:ShreeJagannath.pdf/୧୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତ୍ରିମାଳୀ ମଠ

ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣରେ ପରିଚାଳିତ । ମହନ୍ତ ଉପଚାର ଚାମର ଓ ଆଲଟ ସେବା କରିପାରିବେ । କିନ୍ତୁ ସେଥିପାଇଁ ଶାଢି ବନ୍ଧାଇବା ଆବଶ୍ୟକ । ଅବକାଶ ନୀତି ପାଇଁ ଦିହୁଡ଼ି ଯୋଗାନ୍ତି, ଦୈନିକ ବଲ୍ଲଭ ଯୋଗାନ୍ତି । ପୂର୍ବେ ମୋହନ ଭୋଗ କରୁଥିଲେ, ଏବେ କରୁନାହାନ୍ତି । ବିଜେ ଠାକୁରଙ୍କ ପନ୍ତିଭୋଗ କରାନ୍ତି ।

ଉତ୍ତର ପାର୍ଶ୍ୱ ମଠ

ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ମହନ୍ତ ଶାଢି ବନ୍ଧାଇ 'ସୁନାବେଣ୍ଟ' ଚାମର ସେବା କରିପାରିବେ । ଆଲଟ ସେବା କରନ୍ତି । ଅଖଣ୍ଡ ଦୀପ ଜଳାନ୍ତି । ଦୈନିକ ଠାକୁରମାନଙ୍କର ମଣୋହି ପାଇଁ 'ମୋହନଭୋଗ' କରିବାକୁ ଏମାନଙ୍କର ଜମି ଖଞ୍ଜା ଥିଲା । ଏବେ ଏହି ଭୋଗ କରୁନାହାନ୍ତି । ମନ୍ଦିରରେ ଚୁଲା ଓ ସରଘର ଅଛି ।

ମହୀପ୍ରକାଶ ମଠ

ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ଠାକୁରମାନଙ୍କର ଫୁଲ ଓ ବସ୍ତ୍ର ରଖାଯିବା ପାଇଁ ବାଉଁଶ ତିଆରି ବଡ଼ ତାଟ ଯୋଗାଇବା ବିଧି ଅଛି । ଅନବସର ସମୟରେ ଚକଟା ଭୋଗ କରାନ୍ତି । ଅବକାଶପାଇଁ ଦାନ୍ତକାଠି ଯୋଗାନ୍ତି । ଦୈନିକ ଶ୍ରୀମନ୍ଦିରରୁ କୋଠଭୋଗ ଖେଇ ପାଆନ୍ତି । ମଠର ସ୍ୱାମୀ ଦଣ୍ଡ ଧରି ଯାଇପାରିବେ ଓ ଆସନ ପକାଇ ବସି ପାରିବେ ।

ସୁନା ଗୋସ୍ୱାମୀ ଓ ଦର୍ପନାରାୟଣ ମଠ

ମଠର ଅଧିକାରୀଙ୍କର ଚାମର ଓ ଆଲଟ ସେବା ଅଛି । ଦୈନିକ ଫୁଲଗୁନ୍ଥାଇ ଯୋଗାନ୍ତି । ଚନ୍ଦନଯାତ୍ରା (୪୨ ଦିନ) ସମୟରେ ପ୍ରତ୍ୟେକ ଦିନ ଫୁଲର ଅଳକା ଓ ଚଉସରା ଯୋଗାନ୍ତି । ବନକଲାଗି ସମୟରେ ରତ୍ନସିଂହାସନ ମାର୍ଜନା କରାନ୍ତି । ସ୍ନାନ ପୂର୍ଣ୍ଣମୀରେ ଜଳ ଅଧିବାସ କରାନ୍ତି । ଅନବସର ବେଳେ ଦ୍ୱିପ୍ରହର ଧୂପରେ ମଇଲମଭୋଗ (ଧୁଆମୁଗ ଓ ନଡ଼ିଆଖଣ୍ଡ) ଯୋଗାନ୍ତି । ଅଗ୍ନି ଉତ୍ସବ ନୀତିରେ ଦୋଳଗୋବିନ୍ଦଙ୍କର ପନ୍ତିଭୋଗ କରାନ୍ତି । ଶ୍ରୀମନ୍ଦିର କୋଠଭୋଗ ଦୈନିକ ଓ ପର୍ବଯାତ୍ରା ଖେଇ ପାଆନ୍ତି । ଦେବୋତ୍ତର କମିଶନରଙ୍କ ପରିଚାଳନାଧୀନ ।

ଚାଉଳିଆ ମଠ

ମହନ୍ତ ଉପଚାର ଚାମର ସେବା କରିପାରିବେ । ଠାକୁରମାନଙ୍କୁ "ଚାଉଳିଆ' ଫଳ ଯୋଗାଉଥିଲେ । ଏବେ କେହି ମହନ୍ତ ନାହାନ୍ତି । ଏବେ ଏହି ମଠ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଅଛି ।