ପୃଷ୍ଠା:ShreeJagannath.pdf/୨୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେଶୋଦାସ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ଛଳନାରେ ବହୁ ଛଦ୍ମବେଶୀ ରାଜପୁତ ସୈନ୍ୟଙ୍କ ସହ ମନ୍ଦିରରେ ପ୍ରବେଶ କରି ଭଣ୍ଡାରରୁ ଅନେକ ଧନରତ୍ନ ଲୁଣ୍ଠନ କରିନେଇଥିଲା । ଲୁଣ୍ଠନ ସହିତ ତିନୋଟି ରଥକୁ ଜାଳିପୋଡ଼ି ଦେଇଥିଲା । ରାଜା ବାଧ୍ୟ ହୋଇ ତାହା ସହିତ ଏକ ଅପମାନଜନକ ସନ୍ଧି କରିଥିବା ଇତିହାସରୁ ଜଣାଯାଏ ।

ହାସିମ୍‍ ଖାଁଙ୍କ ପରେ ଜଣେ ହିନ୍ଦୁ ରାଜା ତୋଡରମଲ୍ଲଙ୍କ ପୁତ୍ର କଲ୍ୟାଣମଲ୍ଲ ଓଡ଼ଶାିର ସୁବାଦାର ହେଲେ (ଖ୍ରୀ: ୧୬୧୧-୧୬୧୭) । କେଶୋଦାସ ପରି କଲ୍ୟାଣ ମଲ୍ଲ ହିନ୍ଦୁ ହୋଇ ମଧ୍ୟ ହିନ୍ଦୁଧର୍ମ ବିରୋଧୀ କାର୍ଯ୍ୟ କରିବାକୁ ପଛେଇ ନଥିଲେ । ସେ ଖୋର୍ଦ୍ଧା ଆକ୍ରମଣ କରି ଲୁଣ୍ଠନ କାର୍ଯ୍ୟ କରିଥିଲେ । ତାଙ୍କ ସମ୍ପର୍କରେ ସଠିକ୍‍ ବିବରଣୀ ମିଳୁନାହିଁ । ତାଙ୍କର ଆକ୍ରମଣ ପୂର୍ବରୁ ସେବକମାନେ ବିଗ୍ରହମାନଙ୍କୁ ଶ୍ରୀମନ୍ଦିରରୁ ନେଇଯାଇ ଚିଲିକାର ଏକ ଦ୍ୱୀପାଞ୍ଚଳରେ ଲୁଚାଇ ରଖିଥିଲେ । 'ମାଦଳାପାଞ୍ଜି'ରେ ଏହି ସ୍ଥାନକୁ 'ଗୁରୁବାଦାଇ' କୁହାଯାଇଛି । କଲ୍ୟାଣଙ୍କୁ ଅପସାରଣ କରାଯାଇ ମକରମ ଖାଁଙ୍କୁ ସୁବାଦାର ନିଯୁକ୍ତ କରାଗଲା ଖ୍ରୀ:୧୬୧୭ ଅଗଷ୍ଟରେ । ସେ ସେହିବର୍ଷ ଖୋର୍ଦ୍ଧାଗଡ଼ ଆକ୍ରମଣ କଲେ । ରାଜା ପୁରୁଷୋତ୍ତମ ଦେବ ଗଡ଼ମାଣିତ୍ରୀରେ ଯାଇ ଆତ୍ମଗୋପନ କଲେ । ତାଙ୍କ ସାଥିରେ ସେବକ (ପୂଜକ) ମାନେ ଥିଲେ । ଠାକୁରଙ୍କୁ ଗୁରୁବୁଦାଇ ଠାରୁ ନେଇ ବାଣପୁର ଅଞ୍ଚଳରେ ରଖା ଯାଇଥିଲା । ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି- "ପରମେଶ୍ୱର ଗୁରୁବାଇଠାରୁ ଯାଇ ବାଣପୁର ସୀମା ଗବପଦର ଠାଇ ନଈ ଭିତରେ ଚାପରେ ବିଜେ କରିଥିଲେ ।" ମକରମ ଖାଁଙ୍କ ଅଧୀନରେ ଖୋର୍ଦ୍ଧା ଏକବର୍ଷ କାଳ ରହିଥିଲା । ଖ୍ରୀ:୧୬୨୦ରେ ମକରମ ଖାଁଙ୍କ ପରେ ଚଜଲାଇର ଖାଁଙ୍କୁ (ମତାନ୍ତରେ ହୁସେନ୍‍ ଅଲ୍ଲୀ ଖାଁ) ଓଡ଼ିଶାର ସୁବାଦାର ଓ ତାଙ୍କ ପରେ ନୁରଜାହାନଙ୍କ ପୁତୁରା ଅହମଦ୍‍ ବେଗ-କୁ ନିଯୁକ୍ତ କରାଗଲା । ସେ ଖ୍ରୀ:୧୬୨୩ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ସମୟରେ ଯୁବରାଜ ସାହାଜାହାନ ପିତା ଜାହାଙ୍ଗୀର ଓ ମାତା ନୁରଜାହାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ସେ ନିଜର ସମର୍ଥକ ସୈନ୍ୟଦଳ ସହ ଗୋଲକୁଣ୍ଡା ଦେଇ ଓଡ଼ିଶାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜାଣିପାରି ଅହମଦ୍‍ ବେଗ୍‍ ବଙ୍ଗଳାକୁ ପଳାୟନ କଲେ । ଇତି ମଧ୍ୟରେ ରାଜା ପୁରୁଷୋତ୍ତମ ଦେବଙ୍କ ମୃତ୍ୟୁ ହୋଇ ସାରିଥିଲା ଓ ତାଙ୍କର ପୁତ୍ର ଗଜପତି ନରସିଂହ ଦେବ ଖୁରୁଧାର ରାଜା ହୋଇ ସାରିଥିଲେ । (ରାଜତ୍ୱକାଳ ଖ୍ରୀ: ୧୬୨୧-୧୬୪୭) । ନରସିଂହ ଦେବ ସାହାଜାହାନଙ୍କୁ ଭେଟି ନିଜର ଆନୁଗତ୍ୟ ପ୍ରକାଶ କରିଥିଲେ । ସାହାଜାହାନ୍‍ ବିନା ଅସୁବିଧାରେ ଓଡ଼ିଶା ଦଖଲ କଲେ ଏବଂ ରାଜା ନରସିଂହ ଦେବଙ୍କୁ ଅନୁମତି ଦେଲେ ଶ୍ରୀଜଗନ୍ନାଥଙ୍କୁ ପୁରୀ ମନ୍ଦିରରେ ପୁନଃ ସଂସ୍ଥାପନ କରିବାକୁ । ସାହାଜାହାନ ବଙ୍ଗ ସୁବାଦାରଙ୍କୁ ପରାସ୍ତ କଲା ପରେ ସେଠାରେ ବଙ୍ଗ, ବିହାର ଓ ଓଡ଼ିଶାର ଅଧୀଶ୍ୱର ହୋଇ ରହିଲେ । ପରେ ସେ ତାଙ୍କର ଆନୁଗତ୍ୟ ପ୍ରଦର୍ଶନ କରିଥିଲେ ଓ ପିତାଙ୍କ ମୃତ୍ୟୁ ପରେ ଦିଲ୍ଲୀ ସିଂହାସନ ଖ୍ରୀ:୧୬୨୭ରେ ଆରୋହଣ କରିଥିଲେ ।

ଶ୍ରୀମନ୍ଦିରରେ ବିଗ୍ରହମାନଙ୍କୁ ପୁନଃ ସ୍ଥାପନ କଲା ପରେ ନରସିଂହ ଦେବ କେତେକ ନୂତନ ଯାନିଯାତ୍ରା ଯଥା 'ବସନ୍ତ ଗୁଣ୍ଡିଚା' ଯାତ୍ରା ଆରମ୍ଭ କରିଥିଲେ । ସାହାଜାହାନଙ୍କ ଦାକ୍ଷିଣାତ୍ୟ

୨୧୨ ଶ୍ରୀଜଗନ୍ନାଥ