ପୃଷ୍ଠା:ShreeJagannath.pdf/୨୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖୋର୍ଦ୍ଧା ଆକ୍ରମଣ କରି ଦଖଲ କରିନେଲା । ରାମଚନ୍ଦ୍ର ଦେବ ଖୋର୍ଦ୍ଧା ଉଦ୍ଧାର କରିବାରେ ବିଫଳ ହୋଇ ଆଠଗଡ଼ ରାଜ୍ୟର ରୁମାଗଡ଼ ନାମକ ସ୍ଥାନରେ ଆଶ୍ରୟ ଘେନିଥିଲେ ।

ପୁରୀ ଶ୍ରୀମନ୍ଦିରରୁ ବିଗହ୍ର ମାନେ ଅପସାରିତ ହେବା ଫଳରେ ସମସ୍ତ ନୀତି, ଯାନିଯାତ୍ରା ବନ୍ଦ ହୋଇଯାଇଥିଲା । ଓଡ଼ିଶା ତା ଭାରତର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଯାତ୍ରୀ ପୁରୀ ଆସିବା ବନ୍ଦ ହୋଇଯିବାରୁ ଏ ବାବଦରେ ମିଳୁଥିବା ବାର୍ଷିକ ପ୍ରାୟ ନଅଲକ୍ଷ ଟଙ୍କା ମୋଗଲ ସରକାରଙ୍କୁ ହରାଇବାକୁ ପଡ଼ିଲା । ତେଣୁ ବିଜ୍ଞ ରାଜସ୍ୱ ସଚିବ ମିର୍‍ ହବିବର ପରାମର୍ଶରେ ମୁର୍ଶିଦ କୁଲିଖାଁ ବିଗହ୍ରମାନଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଆଣିବାପାଇଁ ଆଦେଶ ଦେଲେ । ରାମଚନ୍ଦ୍ର ଦେବଙ୍କ ୧୩ ଅଙ୍କ ବୃଷ ୫ ଦିନ ପର୍ଯ୍ୟନ୍ତ, ପ୍ରାୟ ୨ ବର୍ଷ ୪ ମାସ ପର୍ଯ୍ୟନ୍ତ ଦିଅଁମାନେ ଶ୍ରୀମନ୍ଦିରରେ ଅନୁପସ୍ଥିତ ଥିଲେ । ରାମଚନ୍ଦ୍ର ଦେବ ଅଜ୍ଞାତ ଆଶ୍ରୟ ସ୍ଥାନରୁ ଫେରି ଶ୍ରୀମନ୍ଦିରରେ ବିଗହ୍ର ମାନଙ୍କୁ ଅଧିଷ୍ଠିତ କରାଇଥିଲେ । ତତ୍‍ପରେ ଯାତ୍ରୀ ସମାଗମଯୋଗୁଁ ଯଥେଷ୍ଟ ମାତ୍ରାରେ ଯାତ୍ରୀକର ସଂଗ୍ରହ ହୋଇପାରିଲା ।

ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ, ରାମଚନ୍ଦ୍ର ଦେବ କଟକରେ ଅବସ୍ଥାନ କରିଥିବା ବେଳେ 'ନବାବଙ୍କ ଝିଅକୁ ହାରିଲେ । ଜାତିଭ୍ରଷ୍ଟ ହେଲେ । ପଠାଣଙ୍କ ସଙ୍ଗେ ଆତଯାତ ହେଲେ ।' କିନ୍ତୁ ସେ ଇସଲାମ ଧର୍ମ ଗ୍ରହଣ କରିଥିବାର କିମ୍ବା ମୁସଲମାନ ନାମ ଗ୍ରହଣ କରିଥିବାର ପ୍ରମାଣ ମିଳେନାହିଁ । ସେ ଅଗତ୍ୟା ଯବନୀ-ପ୍ରେମ ପାଶରେ ଆବଦ୍ଧ ହୋଇଥିଲେ ମଧ୍ୟ ମୁସଲମାନୀୟ ନାମ ଗ୍ରହଣ କରିନଥିଲେ ବୋଲି ଐତିହାସିକ କେଦାରନାଥ ଲେଖିଛନ୍ତି । ଐତିହାସିକ ନବୀନ କୁମାର ସାହୁ ଓଗେର ଅନୁମାନ କରନ୍ତି ଯେ, ରାମଚନ୍ଦ୍ର ଦେବଙ୍କୁ ହୁଏତ ବଳପୂର୍ବକ ମୁସଲମାନ ଧର୍ମରେ ଦୀକ୍ଷିତ କରାଯାଇଥିବ । କିନ୍ତୁ ତା' ସତ୍ତ୍ୱେ ସେ ମୁସଲମାନ ନାମ ଗ୍ରହଣ କରିନଥିଲେ କି ହିନ୍ଦୁଧର୍ମ ପ୍ରତି ଆନୁଗତ୍ୟ ହରାଇନଥିଲେ । ମତାନ୍ତରେ କୁହାଯାଇଛି ଯେ, କଟକର କଦମରସୁଲ ପୀଠରେ ତକି ଖାଁ ଓ ମୁସଲମାନ ଧର୍ମର ଧ୍ୱଜାଧାରୀମାନଙ୍କର ସମୂହ ଉପସ୍ଥିତିରେ ଗଜପତି ରାମଚନ୍ଦ୍ର ଦେବ ହାଫିଜ୍‍ କାଦର ବେଗ ନାମ ଧାରଣ କରି ରେଜିୟାଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେଲେ ('ବିଡମ୍ବିତ ଗଜପତିର ଗାଥା'- ଧର୍ମପଦ, 'ସଚିତ୍ର ବିଜୟା', ମେ, ୨୦୦୩) । ପୁଣି କୁହାଯାଇଛି 'ହିନ୍ଦୁ ରୀତିରେ ବିବାହ ହେଲା ସତ, କିନ୍ତୁ ପ୍ରଚାର ହେଲା ତାଙ୍କର ପରିବାର ମୁସଲମାନ ଧର୍ମ ଗ୍ରହଣ ନ କଲେ ସେ କନ୍ୟାକୁ ଦେବେ ନାହିଁ, ଅଡ଼ି ବସିଲେ । ତେଣୁ ମିର୍ଜା ମହମ୍ମଦ ଓ ମୁରାଦ ଖାଁ ଏବଂ ରାଣୀ ଲଳିତା ଦେବୀଙ୍କ ମଧ୍ୟସ୍ଥତାରେ ରଥିପୁର ଉଆସରେ ରାମଚନ୍ଦ୍ର ଦେବ ଏହି ସୌନ୍ଦର୍ଯ୍ୟ ପ୍ରଲୋଭନରେ ପଠାଣ ହେଲେ । ମିଛ ହେଉ, ସତ ହେଉ ତାଙ୍କ ନାମ ହାଫିଜ୍‍ କାଦର ବୋଲି ଗୋପନରେ ସ୍ଥିର ହୋଇଗଲା ।" (ଉତ୍‍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ- ଚକ୍ରଧର ମହାପାତ୍ର) ।

ରାମଚନ୍ଦ୍ର ଦେବଙ୍କର କଳାବତୀ (ମତାନ୍ତରେ ଚିତ୍ରକଳା/ଭାନୁମତୀ) ଓ ଲଳିତା ନାମରେ ଦୁଇ ରାଣୀ ଥିଲେ । ଯବନକନ୍ୟା ବିବାହ ପରେ ଲଳିତା ଦେବୀ 'ସ୍ୱାମୀଙ୍କ ପକ୍ଷରେ ସଦମ୍ଭରେ ଛିଡ଼ା ହେଲେ' । କିନ୍ତୁ ପାଟ ମହାଦେଈ କଳାବତୀ ନିଜର ସ୍ୱାମୀ ଓ ସପତ୍ନୀମାନଙ୍କଠାରୁ ବିଚ୍ଛିନ୍ନ ହୋଇ ତିନି ପୁଅଙ୍କ ସହ ମାଣତ୍ରୀଗଡ଼ରେ ଶେଷ ଜୀବନ ବିତାଇଥିଲେ ।

ଶ୍ରୀଜଗନ୍ନାଥ ୨୧୯