ପୃଷ୍ଠା:ShreeJagannath.pdf/୨୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମିର ହବିବଙ୍କୁ ବଙ୍ଗନବାବଙ୍କଠାରୁ ବାରଲକ୍ଷ ଟଙ୍କାର ଚୌଥ (ରାଜସ୍ୱ) ଆଦାୟ କରି ଭୋନ୍‍ସଲାଙ୍କଠାରେ ପୈଠ କରିବାର ଗୁରୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏହା ବ୍ୟତୀତ ଓଡ଼ିଶାର ରାଜସ୍ୱରୁ ବାର୍ଷିକ ଚାରି ଲକ୍ଷ ଟଙ୍କା ଭୋନ୍‍ସଲାଙ୍କୁ ଦେବାପାଇଁ ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ଥିଲା । କିଛି ମାସ ପରେ ମିରହବିବ୍‍ଙ୍କ ଉପରେ ରଘୁଜୀ ଭୋନ୍‍ସଲା କ୍ଷୁବ୍‍ଧ ହେଲେ । କାରଣ ମିରହବିବ ଓଡ଼ିଶାରୁ ରାଜସ୍ୱ ପଠାଇବାରେ ଅବହେଳା କଲେ । ରଘୁଜୀଙ୍କ ପୁତ୍ର ଭାନୁଜୀ ଓଡ଼ିଶା ଆସି ତଦନ୍ତ କଲେ । ଭାନୁଜୀ ଓ ମିରହବିବଙ୍କ ସର୍ମକ ସୈନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜିଲା । ମିରହବିବ୍‍ଙ୍କୁ ଖ୍ରୀ:୧୭୫୨ରେ ହତ୍ୟା କରାଯାଇଥିଲା ।

ମିର ହବିବ୍‍ଙ୍କ ପରେ ମିର୍ଜା ସାଲେ ଓଡ଼ିଶାର ସୁବାଦାର ହେଲେ (ଖ୍ରୀ: ୧୭୫୨-୧୭୫୯) । ସେ ଇଂରେଜମାନଙ୍କ ସହିତ ନିଜର ବ୍ୟକ୍ତିଗତ ଫାଇଦାପାଇଁ ସୁସଂପର୍କ ରଖିଲେ । ସେ ମଧ୍ୟ ଭୋନ୍‍ସଲାଙ୍କୁ ରାଜସ୍ୱ ଦେବାରେ ଅବହେଳା କରିବାରୁ ଗାଦିଚ୍ୟୁତ ହେଲେ । ଶେଓ ଭଟ୍ଟ ସୁବାଦାର ହେଲେ । ସେ ସୁବାଦାର (ଖ୍ରୀ:୧୭୫୯ରୁ ୧୭୬୪) ହେବା ପରେ ଓଡ଼ିଶା ଉପରେ ବଙ୍ଗ ନବାବଙ୍କ କର୍ତ୍ତୃତ୍ୱ ରହିଲା ନାହିଁ । ଭୋନ୍‍ସଲା ହିଁ ଓଡ଼ିଶାର ସର୍ବୋଚ୍ଚ ପ୍ରାଶାସନିକ କର୍ତ୍ତୃପକ୍ଷ ଭାବେ ସ୍ୱୀକୃତ ହେଲେ । ତାଙ୍କ ସମୟରେ ପାରଳାଖେମୁଣ୍ଡିର ଗଙ୍ଗବଂଶୀୟ ରାଜା ଗଜପତି ଜଗନ୍ନାଥ ନାରାୟଣ ଦେବ ନିଜକୁ ଓଡ଼ିଶାର ବଙ୍ଗ ବଂଶର ପ୍ରକୃତ ଉତ୍ତରାଧିକାରୀ ଭାବେ ଘୋଷଣା କରି ଖୋର୍ଦ୍ଧା ରାଜବଂଶର ଆଧିପତ୍ୟକୁ ଅସ୍ୱୀକାର କରିିଲେ ଏବଂ ବୀରକେଶରୀଙ୍କ ଦୁର୍ବଳତାର ସୁଯୋଗ ନେଇ ଖୋର୍ଦ୍ଧା ସିଂହାସନ ଦାବି କରିଥିଲେ । ୧୭୬୦ ଖ୍ରୀଷ୍ଟାବ୍ଦରେ ସେ ବାଣପୁର ବାଟେ ଖୋର୍ଦ୍ଧା ଆକ୍ରମଣ କରିଥିଲେ । ଯୁଦ୍ଧରେ ବୀରକେଶରୀ ଦେବ ପରାସ୍ତ ହୋଇ ମରହଟ୍ଟା ସୁବାଦାର ଶେଓ ଭଟ୍ଟଙ୍କ ଶରଣାପନ୍ନ ହେଲେ । ମରହଟ୍ଟା ସୁବାଦାର ପାରଳାଖେମୁଣ୍ଡି ରାଜାଙ୍କୁ ପରାସ୍ତ ଓ ଖୋର୍ଦ୍ଧାରୁ ବିତାଡ଼ନ କରିଥିଲେ । କିନ୍ତୁ ବୀରକେଶରୀ ଦେବ ଚୁକ୍ତି ଅନୁଯାୟୀ ଯୁଦ୍ଧ ବ୍ୟୟ ସମ୍ପର୍କରେ ଟଙ୍କା ପରିଶୋଧ କରିନପାରିବାରୁ ତାଙ୍କ ରାଜ୍ୟର ଉତ୍କୃଷ୍ଟ ଅଂଗ ରାହାଙ୍ଗ, ଲେମ୍ବାଇ ଓ ପୁରୁଷୋତ୍ତମ କ୍ଷେତ୍ର ଅର୍ଥାତ୍ ଦୟାନଦୀ, ସମୁଦ୍ର, ଜଗନ୍ନାଥ ସଡ଼କ ଓ ଚିଲିକା ମଧ୍ୟବର୍ତ୍ତୀ ଅଞ୍ଚଳ ଏବଂ ଏ ପର୍ଯ୍ୟନ୍ତ ରାଜାଙ୍କ ଅଧୀନରେ ଥିବା ଚଉଦଟି ଗଡ଼ଜାତ ରାଜ୍ୟରୁ ରାଜସ୍ୱ ଆଦାୟ କ୍ଷମତା ସାମୟିକ ଭାବରେ ମରହଟ୍ଟା ସୁବାଦାରଙ୍କୁ ଛାଡ଼ି ଦେଲେ । ମରହଟ୍ଟାମାନେ ଉକ୍ତ ଅଧିକାର ଆଉ ଛାଡିନଥିଲେ । ଏହି ଚୁକ୍ତି ଫଳରେ ଖୋର୍ଦ୍ଧା ରାଜ୍ୟର ଆୟତନ ଓ ଆୟ ଯଷ୍ଟେ ହ୍ରାସ ପାଇଥିଲା (ଖୁରୁଧା ଇତିହାସ) । ଶ୍ରୀମନ୍ଦିର ପରିଚାଳନାରେ ରାଜାଙ୍କ କର୍ତ୍ତୃତ୍ୱ ରହିଲା ନାହିଁ ।

ଜର୍ମାନ ଗବେଷକ କୁଲ୍‍କେ ଲେଖିଛନ୍ତି- "The Rajas of Khurda seem to have retained only a nominal position as Gajapaties in the Jagannath Cult.....the control over the Jagannath cult had passed completely into the hands of a group of temple administrators which were appointed by the Marathas."

୨୨୨ ଶ୍ରୀଜଗନ୍ନାଥ