ପୃଷ୍ଠା:ShreeJagannath.pdf/୨୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶା ଇଂରେଜ ଶାସନାଧୀନ ହେବା ପରେ ଇଷ୍ଟଇଣ୍ଡିଆ କମ୍ପାନୀ ସରକାର ଶ୍ରୀମନ୍ଦିର ପରିଚାଳନା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଓ ଗୁରୁତ୍ବ ଦେଇଥଲେ । ସେମାନେ ଜାଣିଲେ ଯେ, ଓଡ଼ିଶାବାସୀଙ୍କର ନୈତିକ ସମର୍ଥନ ଲାଭ କରିବାକୁ ହେଲେ ସେମାନଙ୍କୁ ପ୍ରଥମେ ଜଗନ୍ନାଥଙ୍କ ପ୍ରତି ସମ୍ମାନ ଓ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ । ଖୋର୍ଦାରାଜାଙ୍କୁ ସେମାନେ ଜଗନ୍ନାଥ ମନ୍ଦିରର ପରିଚାଳକ ଭାବେ ନିଯୁକ୍ତ କରିଲେ ଯଦିଓ ପୂର୍ବରୁ ମରହଟ୍ଟା ସୁବାଦାର ଶେଓ ଭଟ୍ଟ ଖୋଦ୍ଧା ରାଜାଙ୍କୁ ପରିଚାଳନା ଦାୟିତ୍ବରୁ ବାହାର କରି ମନ୍ଦିର ପରିଚାଳନା ଦାୟିତ୍ବ ନିଜେ ବହନ କରିଲେ । ଇଂରେଜ ବା କମ୍ପାନୀ ଖ୍ରୀଷ୍ଟିଆନ୍ ହୋଇଥୁବାରୁ ମନ୍ଦିର ପରିଚାଳନାରେ ପ୍ରତ୍ୟକ୍ଷ ହସ୍ତକ୍ଷେପ କଲେନାହିଁ । ରାଜା ବନ୍ଦୀ ହୋଇ ଯିବା ପରେ କିଛି ସମୟପାଇଁ ମନ୍ଦିର ପରିଚାଳନା ଦାୟିତ୍ୱ ବ୍ରାହ୍ମଣ ପଣ୍ଡିତମାନଙ୍କର ଏକ ସଭା ଉପରେ ନ୍ୟସ୍ତ କରାଯାଇଥିଲା । କିନ୍ତୁ ଏହି ବ୍ୟବସ୍ଥା ସନ୍ତୋଷଜନକ ଭାବେ କାର୍ଯ୍ୟକାରୀ ହୋଇ ପାରିନଥିଲା । ଶେଷରେ କମ୍ପାନୀ ସରକାର ମେଦିନୀପୁର ଜେଲରୁ ଖ୍ରୀ:୧୮୦୭ରେ ମୁକୁନ୍ଦଦେବଙ୍କୁ ମୁକ୍ତ କରି ପୁରୀରେ ତାଙ୍କର ବାଲି ସାହିଁ ନଅରରେ ରହିବାକୁ ନିର୍ଦ୍ଦେଶ ଦେଲେ । ଖୋର୍ଦ୍ଧାରାଜ୍ୟର ରାଜାଙ୍କ ପଦବୀର ହ୍ରାସ ଘଟି ନାମକୁ ମାତ୍ର ପୁରୀ ରାଜା ଭାବେ ପରିଚିତ ହେଲେ । ୧୮୦୯ର ୪ ନମ୍ବର ରେଗୁଲେସଦ୍ୱାରା ତାଙ୍କୁ ପୁରୀ ଜଗନ୍ନାଥମନ୍ଦିରର ସୁପରିନ୍‌ଟେଣ୍ଡେଣ୍ଟ ବା ପରିଚାଳକ ନିଯୁକ୍ତ କରାଗଲା । କିନ୍ତୁ ତାଙ୍କର କ୍ଷମତା ଉପରେ କେତେକ କଟକଣା ଲାଗୁ କରାଯାଇଥିଲା । ମନ୍ଦିରର ପରିଚ୍ଛା ମାନଙ୍କର ନିଯୁକ୍ତି ଓ ବହିଷ୍କାର କ୍ଷମତା ସରକାରଙ୍କ ହାତରେ ରହିଲା । ସରକାର ଯାତ୍ରୀକର ଆଦାୟ, ମନ୍ଦିରର ହିସାବପତ୍ର ଯାଞ୍ଚ କ୍ଷମତା ନିଜ ହାତରେ ରଖିଲେ ।
ଖୋର୍ଦ୍ଧାଗଡର ପତନ ପରେ ଖୋର୍ଦ୍ଧା ରାଜ୍ୟ ଇଂରେଜମାନଙ୍କର 'ଖାସ୍ ମାହାଲ'ରେ ପରିଣତ ହେଲା । ମେଜର ଫ୍ଲେଚରଙ୍କ ଉପରେ ଖୋର୍ଦ୍ଧା ଖାସମାହାଲ ପରିଚାଳନା ଦାୟିତ୍ୱ ବ୍ୟସ୍ତ ହେଲା । ଫ୍ଲେଚର ଖୋର୍ଦ୍ଧାରେ ସରକାରୀ କଚେରି ନିର୍ମାଣ କଲେ । ଖୋର୍ଦ୍ଧାରେ ରାଜସ୍ୱ-ଭୁବନ୍ଦୋବସ୍ତ କରାଇ ଖୋର୍ଦ୍ଧା ପାଇକମାନଙ୍କର ନିଷ୍କର ଜମି ଉଚ୍ଛେଦ କରାଇନେଇ ଖାସ ମାହାଲରେ ସାମିଲ କଲେ ଓ ସେହି ଜମିରେ ଉଚ୍ଚ ହାରରେ ଖଜଣା ଧାର୍ଯ୍ୟ କରାଇଲେ । ଖୋର୍ଦ୍ଧା ସରକାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ ରହିବା ହେତୁ ପାଇକମାନଙ୍କର ପାରମ୍ପରିକ ସାମରିକ ବୃଦ୍ଧି ସହିତ ନିଷ୍କର ଜମି ଉଚ୍ଛେଦ ହୋଇଯିବା ଫଳରେ ପାଇକମାନେ ମଜୁରିଆ ଶ୍ରମିକ ଶ୍ରେଣୀରେ ପରିଣତ ହୋଇଗଲେ । ସ୍ୱଳ୍ପ ମିଆଦୀ ଭୁବନ୍ଦୋବସ୍ତଯୋଗୁଁ ଅଧୁକ ରାଜସ୍ୱ ବୋଝ ସାଧାରଣ ଚାଷୀ ଓ ରୟତଙ୍କ ଉପରେ ପଡ଼ିଲା । ସେମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହୋଇଗଲା । ଶସ୍ୟହାନି ସତ୍ତ୍ୱେ ଜୋରଜବରଦସ୍ତ ରାଜସ୍ୱ ଆଦାୟ କରାଗଲା । ସରକାରଙ୍କ କଠୋର ଲୁଣକର ନୀତି, କଉଡ଼ି ମୁଦ୍ରାର ମୂଲ୍ୟହ୍ରାସ, ଅମଲାମାନଙ୍କର ଦୁର୍ନୀତି, ସରକାରଙ୍କ ପକ୍ଷପାତ ନୀତି, ଅଣଓଡ଼ିଆ କର୍ମଚାରୀମାନଙ୍କର ଓଡ଼ିଆଙ୍କ ପ୍ରତି କପଟ ମନୋଭାବ, ସର୍ବରାକାରମାନଙ୍କ ଚକ୍ରାନ୍ତ ଇତ୍ୟାଦି ଅନେକ କାରଣଯୋଗୁଁ ପାଇକ, ରୟତ, ସାମନ୍ତ ଓ ସମାଜର ସବୁ ବର୍ଗର ଲୋକମାନେ ଅତ୍ୟାଚାରିତ, ଶୋଷିତ ଓ ଲାଞ୍ଚ୍ଥିତ ହେଲେ ।

୨୩୦ ଶ୍ରୀଜଗନ୍ନାଥ