ପୃଷ୍ଠା:ShreeJagannath.pdf/୨୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାମ ? ପୁଣି ସେ ଯେଉଁ ନୀଳମାଧବଙ୍କୁ ପୂଜା କରୁଥିଲେ, ତାହା କ'ଣ ସତ୍ୟ ? ଯଦି ସତ୍ୟ, ତେବେ ପଥରିର୍ମିତ ଚତୁର୍ଭୁଜ ବିଷ୍ଣୁ ପ୍ରତିମା କ'ଣ ଶବରଦ୍ୱାରା ନିର୍ମିତ ? କେହି ହେଲେ ଚିନ୍ତା କରିନାହାନ୍ତି ଯେ, ନୀଳମାଧବ ଗୋଟିଏ ହିନ୍ଦୁ ପ୍ରତିମା ଓ କୌଣସି କାରଣରୁ ଏହା ଶବର ହାତରେ ପଡ଼ିଥିବ ଆଉ ଏଡେ ସୁନ୍ଦର ପ୍ରତିମା ପାଇ ସେ ତାକୁ ଗୋପନରେ ପୂଜା କରୁଥିବ । ପରେ ହୁଏତ ଜଣେ ହିନ୍ଦୁରାଜା (ଇନ୍ଦ୍ରଦ୍ୟୁମ୍ନ) ପ୍ରତିମାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିବେ । ଫଳରେ ସେମାନେ ତାଙ୍କୁ ଲୁଚାଇ ଦେଇ ଅନ୍ତର୍ଦ୍ଧାନ ହେବାକଥା ପ୍ରଚାର କରିଥିବେ (୪)

ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ)ରୁ ସୂଚନା ମିଳେ ଯେ କେବଳ ବିଶ୍ୱାବସୁ ନୁହେଁ, ସ୍ୱର୍ଗରୁ ଦେବଗଣ ଆସି ନୀଳମାଧବଙ୍କୁ ଅପୂର୍ବ ଦ୍ରବ୍ୟ ନୈବେଦ୍ୟ ପ୍ରଦାନପୂର୍ବକ ପୂଜାର୍ଚ୍ଚନା କରୁଥିଲେ । ଏଣୁ ଏହି ଚତୁର୍ଭୁଜ ବିଷ୍ଣୁମୂର୍ତ୍ତିିଙ୍କୁ କେବଳ ଶାବର ଦେବତା କହିବା ଠିକ୍‍ ନୁହେଁ ।

୧୯୭୦ ମସିହାରେ ଜର୍ମାନୀର ଦୁଇଟି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଜଗନ୍ନାଥ ତଥା ଓଡ଼ିଶା ସଂସ୍କୃତି ଉପରେ ଗବେଷଣା ଲାଗି ଏକ ପ୍ରକଳ୍ପ (Orissa Research Project) ଗଢ଼ା ଯାଇଥିଲା । ଏଥିରେ ହରମାନ୍‍ କୁଲ୍‍କେ (H.Kulke), ଏ.ଏସ୍‍ମାନ୍‍ (A.Eschmann), ଷ୍ଟିଟେନ୍‍କ୍ରୋନ୍‍ (H.Stietencron), ଭାରତର ସଂସ୍କୃତ ଅଧ୍ୟାପକ ଗୟାଚରଣ ତ୍ରିପାଠୀ ଏବଂ ଓଡ଼ିଶାର କେତେଜଣ ବିଦ୍ୱାନ ଗବେଷକ କାର୍ଯ୍ୟ କରିଥିଲେ । ଉକ୍ତ ଗବେଷଣା ପ୍ରକଳ୍ପ ତରଫରୁ ଏକ ପୁସ୍ତକ ୧୯୭୮ ମସିହାରେ ପ୍ରକାଶିତ ହୋଇଥିଲା (୫) । ଏହି ପୁସ୍ତକରେ ଶ୍ରୀଜଗନ୍ନାଥ ତତ୍ତ୍ୱର ସ୍ପଷ୍ଟ ଚିତ୍ର ନାହିଁ । ସେମାନଙ୍କର ମୋଟାମୋଟି ବକ୍ତବ୍ୟ ହେଲା, ପୁରୀଠାରେ ତ୍ରିମୂର୍ତ୍ତିି- ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଖ୍ରୀଷ୍ଟାବ୍ଦ ୧୨୩୦ରେ ରାଜା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ହେଲେ । ଏହା ପୂର୍ବରୁ ଏହି ତ୍ରିମୂର୍ତ୍ତିି ଦାରୁବିଗ୍ରହ ନଥିଲେ । ପଥର ମୂର୍ତ୍ତିି ଲକ୍ଷ୍ମୀ-ନୃସିଂହ ପୂଜା ପାଉଥିଲେ । ତତ୍‍ପୂର୍ବରୁ ଏ ଦେଶରେ ସ୍ତମ୍ଭେଶ୍ୱରୀ ପୂଜାର ପ୍ରଚଳନ ଥିଲା । ଏହି ପୂଜାର ପ୍ରଭାବରେ ସୁଭଦ୍ରା ତଥା ତ୍ରିମୂର୍ତ୍ତିି ଗଠିତ ହେଲେ । ଅନଙ୍ଗଭୀମଦେବ (୩ୟ)ଙ୍କ ସମୟ (ଖ୍ରୀ. ୧୨୧୧-୧୨୩୮)ରେ ଜଗନ୍ନାଥଙ୍କ ସହିତ ବଳଭଦ୍ର ମୂର୍ତ୍ତିି ଯୁକ୍ତ ହେଲେ । ସୁଦର୍ଶନ ହେଉଛନ୍ତି ନୃସିଂହଙ୍କ ସ୍ୱରୂପ । ଜଗନ୍ନାଥ ହେଉଛନ୍ତି, ନୃସିଂହଙ୍କ ଏକ ରୂପାନ୍ତର । ଏ ସମସ୍ତ ବିଗ୍ରହଙ୍କ ପ୍ରତିଷ୍ଠା ସେହି ରାଜା ଅନଙ୍ଗଭୀମ ଦେବଙ୍କ ରାଜତ୍ୱ କାଳରେ ହୋଇଛି । ଏ ପୁସ୍ତକରେ ଏଣେ କୁହାଯାଇଛି, ସୁଦର୍ଶ ଜଗନ୍ନାଥଙ୍କ ମୂଳରୂପ; ତେଣେ କୁହାଯାଇଛି, ନୃସିଂହ ଜଗନ୍ନାଥଙ୍କ ମୂଳରୂପ । ଆହୁରି କୁହାଯାଇଛି ଯେ, ଜଗନ୍ନାଥ ହେଉଛନ୍ତି ମୂଳତଃ ଆଦିବାସୀ ଦେବତା । ଦଶମ ଶତକ ପୂର୍ବରୁ ଜଗନ୍ନାଥଙ୍କ ସ୍ଥିତି ସମ୍ପର୍କରେ ତଥା ସ୍ୱରୂପ ଉପରେ ଏଥିରେ ସ୍ପଷ୍ଟ ଭାବରେ ଆଲୋକପାତ ହୋଇପାରି ନାହିଁ । ସବୁକିଛି ଅନୁମାନ ଉପରେ ଆଧାରିତ (୬)


୪. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର, ନାଲନ୍ଦା, କଟକ, ପ୍ରଥମ ପ୍ରକାଶ, ୧୯୮୯

୫. The Cult of Jagannath and the Regional Tradition of Orissa- (Ed. by A.Eschmann, H. Kulke, Manohar publications, New Delhi

୬. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର

ଶ୍ରୀଜଗନ୍ନାଥ ୨୫