ପୃଷ୍ଠା:ShreeJagannath.pdf/୨୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିଜ ରାଜପୁରୋହିତଙ୍କ ପରାମର୍ଶରେ ଇନ୍ଦ୍ରଦ୍ୟୁମ୍ନ ରାଜପୁରୋହିତଙ୍କ ଭାଇ ବିଦ୍ୟାପତିଙ୍କୁ ନୀଳମାଧବଙ୍କ ସନ୍ଧାନ କରି ସବିଶେଷ ସମ୍ବାଦ ଆଣିବାକୁ ଉଡ଼ ଦେଶକୁ ପଠାଇଲେ । ନୀଳାଚଳରେ ବିଦ୍ୟାପତିଙ୍କର ଭେଟ ହେଲା ଶବର ରାଜା ବିଶ୍ବାବସୁଙ୍କ ସହିତ । ସେ ବିଦ୍ୟାପତିଙ୍କୁ ଆଦର ଅଭ୍ୟର୍ଥନା କଲେ ଓ ବିଦ୍ୟାପତିଙ୍କ ଆଗମନର ଅଭିପ୍ରାୟ ଜାଣିଲେ । ବିଶ୍ୱାବସୁ ଚିନ୍ତାରେ ପଡ଼ିଲେ । ସେ ଜାଣିଥିଲେ ଯେ ଦିନେ ନୀଳମାଧବ ଭୂମିତଳେ ଅନ୍ତର୍ହିତ ହେବେ ଓ ଇନ୍ଦ୍ରଦ୍ୟୁମ୍ନ ନାମକ ଏକ ପରାକ୍ରମଶାଳୀ ବରପତି ଏ ସ୍ଥାନକୁ ଆସି ଶହେ ଅଶ୍ୱମେଧ ଯଜ୍ଞ କରି ବିଷ୍ଣୁଙ୍କୁ ଚାରିଗୋଟି ଦାରୁମୂର୍ତ୍ତିରେ ସ୍ଥାପନ କରାଇବେ । ନିରୁପାୟ ବିଶ୍ୱାବସୁ ବିଦ୍ୟାପତିଙ୍କ ହାତ ଧରି ଦୁର୍ଗମ କଣ୍ଟକମୟ ପଥରେ ବାଟ କଢ଼ାଇ ନେଇ ନୀଳାଚଳ ଉପରେ ନୀଳମାଧବଙ୍କୁ ଦର୍ଶନ କରାଇଲେ । ବେଦଜ୍ଞ ବାହୁଣ ବିଦ୍ୟାପତି ଭାବ ବିହଳ ହୋଇ ସ୍ତୁତି କଲେ ।

ପ୍ରଧାନ ପୁରୁଷାତୀତ, ସର୍ବବ୍ୟାପିନ- ପରାତ୍ପର ।
ଚରାଚର ପରିଣାମ, ପରମାର୍ଥ, ନମୋସ୍ତୁତେ ।
ନମସ୍ତେ କମଳାକାନ୍ତ ନମସ୍ତେ କମଳାନନ ।
ନମ କମଳପତ୍ରାକ୍ଷ ତ୍ରାହି ମାଂ ପୁରୁଷୋତ୍ତମ

ବିଶ୍ୱାବସୁଙ୍କ ଗୃହରେ ଦିବ୍ୟ ମହାପ୍ରସାଦ ସେବନ କରି ବିଦ୍ୟାପତି ବିଦାୟ ନେଇ ଅବନ୍ତୀ ଯାତ୍ରା କଲେ । ତାଙ୍କଠାରୁ ସମସ୍ତ ସମ୍ବାଦ ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ ଯଥା ଶୀଘ୍ର ନୀଳାଚଳ ଅଭିମୁଖେ ପଟୁଆରରେ ବାହାରିଲେ । ତାଙ୍କ ସହିତ ସୈନ୍ୟସାମନ୍ତ, ଆଗ୍ରହୀ ପ୍ରଜାଗଣ, ବ୍ୟବସାୟୀ, ନଟ, ଭାଟ ଏପରିକି କେତେଜଣ ବେଶ୍ୟା ବାହାରିଲେ । ଉତ୍କଳ ଦେଶର ରାଜା ଅବନ୍ତୀରୁ ଆଗତ ରାଜାଙ୍କୁ ସମ୍ବର୍ଦ୍ଧନା, ସ୍ବାଗତ ଜଣାଇଲେ । ବିଦ୍ୟାପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ଏକ ଝଡ଼ରେ ପ୍ରଭୁ ନୀଳମାଧବ ବାଲୁକା ରାଶିରେ ଅନ୍ତହିତ ହୋଇଯାଇଥିଲେ । ଉତ୍କଳାଧିପତିଙ୍କ ଠାରୁ ଏ ଦୁଃସମ୍ବାଦ ପାଇ ଇନ୍ଦ୍ରଦ୍ୟୁମ୍ନ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଲେ । ତାଙ୍କ ସଙ୍ଗରେ ଆସିଥିବା ଦେବର୍ଷି ନାରଦ ପ୍ରବୋଧନା ଦେଇ କହିଥିଲେ ଯେ ଅନ୍ତର୍ହିତ ବିଗ୍ରହ ପୁନରାୟ ଅବତୀର୍ଣ୍ଣ ହୋଇ ଦର୍ଶନ ଦେବେ । ରାଜା ଇନ୍ଦ୍ରଦ୍ୟୁମ୍ନ ଉତ୍କଳ ଦେଶକୁ ପ୍ରବେଶ ପଥରେ ଚର୍ଚ୍ଚିକା ଠାକୁରାଣୀ (ବାଙ୍ଗୀର)ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏକାମ୍ରକାନନ (ଭୁବନେଶ୍ବରଠାରେ ଶିବଙ୍କୁ ସ୍ତୁତି କରିବାରୁ ଶିବ ପ୍ରସନ୍ନ ହୋଇ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ଯେ ତାଙ୍କର ମନୋବାଞ୍ଛା ଶୀଘ୍ର ପୂରଣ ହେବ । ଶିବ ନାରଦଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଇନ୍ଦ୍ରଦ୍ୟୁମ୍ନଙ୍କୁ ସେ ପୁରୁଷୋତ୍ତମ କ୍ଷେତ୍ରକୁ ନେଇ ଯାଆନ୍ତୁ । ସେଠାରେ ଇନ୍ଦ୍ରଦ୍ୟୁମ୍ନ କୃସିଂହ ବିଗ୍ରହ ସ୍ଥାପନା କରି ସହସ୍ର ଅଶ୍ୱମେଧ ଯଜ୍ଞ ସମାପ୍ତ କଲେ ଦାରୁବ୍ରହ୍ମ ଜଗନ୍ନାଥ ପ୍ରକଟ ହେବେ । ଶିବଙ୍କ ଆଦେଶକୁ ପାଳନ କରି ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କୁ ନେଇ ନୀଳାଚଳ ଅଭିମୁଖେ ଯାତ୍ରା କଲେ । ବାଟରେ କପୋତେଶ୍ୱର ଶିବଙ୍କୁ ଓ ବିଲେଶ୍ବରଙ୍କୁ ଦର୍ଶନ କରି ଶ୍ରୀକ୍ଷେତ୍ର ସୀମାରେ ବିରାଜିତ ନୀଳକଣ୍ଠ ମହାଦେବଙ୍କ ନିକଟରେ ପହଞ୍ଚିଲେ ।

ଶ୍ରୀଜଗନ୍ନାଥ ୨୪୭