ପୃଷ୍ଠା:ShreeJagannath.pdf/୨୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇନ୍ଦ୍ରନୀଳମୟ ମୂର୍ତ୍ତି ନ ଦେଖି ଏହି କ୍ଷେତ୍ରରେ ଏକ ହରି ପ୍ରାସାଦ (ମନ୍ଦିର ନିର୍ମାଣ କରିବାକୁ ସ୍ଥିର କଲେ । କଳିଙ୍ଗ, ଉତ୍କଳ ଓ କୋଶଳ ରାଜାମାନଙ୍କ ସାହାଯ୍ୟରେ ବିଦ୍ୟପର୍ବତରୁ ଉପଯୁକ୍ତ ଶିଳା ଅଣାଇ ମନ୍ଦିର ନିର୍ମାଣ କରାଇଲେ । ଅନ୍ୟାନ୍ୟ ଦେଶର ରାଜାମାନେ ମଧ୍ୟ ସହାୟତା କଲେ । ମନ୍ଦିର ନିର୍ମାଣ ପରେ ଏଥିରେ କିଭଳି ମୂର୍ତ୍ତି- ଶିଳା, ମୃତିକା ନା ଦାରୁରେ ଗଠିତ ହେବ ଏହା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଚିନ୍ତାରେ ପକାଇଲା । ଭଗବାନ ବିଷ୍ଣୁ ରାଜାଙ୍କୁ ସ୍ବପ୍ନରେ ଦେଇଥିବା ଆଦେଶାନୁସାରେ ରାଜା ସାଗରକୂଳକୁ ଯାଇ ଏକ ବୃକ୍ଷ ଦେଖିଲେ । ରାଜା ବୃକ୍ଷକୁ ନିଜେ କୁଠାର ଦ୍ବାରା କାଟିଲେ । ହଠାତ୍ ବିଷ୍ଣୁ ଓ ବିଶ୍ୱକର୍ମା ବ୍ରାହ୍ମଣ ରୂପ ଧାରଣ କରି ସେଠାରେ ଉପସ୍ଥିତ ହେଲେ । ବିଷ୍ଣୁ ରାଜାଙ୍କୁ କହିଲେ ଯେ, ଏହି ବ୍ରାହ୍ମଣ (ବିଶ୍ୱକର୍ମା) ବୃକ୍ଷଟିରୁ ପ୍ରତିମା ନିର୍ମାଣ କରିଦେବେ। ବିଶ୍ବକର୍ମା ଚତୁର୍ଦ୍ଧାମୂର୍ତ୍ତି ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନଙ୍କୁ ଗଠନ କଲେ । ଗଠନ ପରେ ବିଗ୍ରହମାନଙ୍କୁ ପାଟବସ୍ତ୍ର ଓ ଅଳଙ୍କାରରେ ଭୂଷିତ କଲେ । ଛଦ୍ମବେଶୀ ବିଷ୍ଣୁ ସ୍ତବରେ ସନ୍ତୁଷ୍ଟ ହୋଇ ସ୍ବରୂପ ପ୍ରକାଶ କଲେ ଓ ତାଙ୍କୁ ବର ଦେଇ ଅନ୍ତର୍ଦ୍ଧାନ ହେଲେ । ରାଜା ପ୍ରତିମାମାନଙ୍କୁ ମହା ସମାରୋହରେ ପ୍ରତିଷ୍ଠା କରାଇ ମନ୍ଦିରରେ ସ୍ଥାପନ କରାଇଲେ । ରାଜା ଅଶ୍ୱମେଧ ଯଜ୍ଞାଦି କଲେ। ମରଣାନ୍ତେ, ପରମପଦ ଲାଭ କଲେ ।
(ବ୍ରହ୍ମପୁରାଣରେ ନୀଳଗିରି, ନୀଳମାଧବ, ବିଦ୍ୟାପତି, ବିଶ୍ବାବସୁ ନାମ ଉଲ୍ଲେଖ ନାହିଁ । ଶବର ଉପାସନା ପ୍ରସଙ୍ଗ ନାହିଁ । ନୀଳମାଧବଙ୍କ ନାମ ନଥାଇ ଇନ୍ଦ୍ରନୀଳମଣିମୟ, ଇନ୍ଦ୍ରମଣିମୟ ମୁଉଁର ବନା ଅଛି । ମହାବେଦୀ ନାମ ପରିବର୍ତ୍ତେ ଏକ ଶୁଭ ସ୍ଥାନ ଲେଖାଅଛି ।
ସାରଳା ମହାଭାରତ
ସାରଳାଦାସ (୧୫ଶ ଶତାବ୍ଦୀ)ଙ୍କ ପୂର୍ବରୁ ଅନ୍ୟ କୌଣସି ଓଡ଼ିଆ କବିଙ୍କ ରଚନାରେ ଜଗନ୍ନାଥ ଚରିତ ଉଲ୍ଲେଖ ନାହିଁ । ସାରଳା ଦାସ ଓଡ଼ିଆ ମହାଭାରତର ବନପର୍ବ ଓ ମୂଷଳୀ ପର୍ବରେ ଜଗନ୍ନାଥଙ୍କ ବିଷୟରେ ଲେଖିଛନ୍ତି । ଏହି ମହାଭାରତରୁ ଜଗନ୍ନାଥ ଚରିତ ଅତି ସଂକ୍ଷେପରେ ନିମ୍ନରେ ପ୍ରଦତ୍ତ ହେଲା ।
ଜାରା ଶବର ଭୁଲରେ ଶ୍ରୀକୃଷ୍ଣଙ୍କୁ ଶରବିଦ୍ଧ କରିବାରୁ ଶ୍ରୀକୃଷ୍ଣ ଦେହତ୍ୟାଗ କଲେ । ଦେହତ୍ୟାଗ ପୂର୍ବରୁ ଅନୁତପ୍ତ ଜାରାକୁ ସେ ନିର୍ଦ୍ଦେଶ ଦେଲେ ଅର୍ଜୁନଙ୍କୁ ଡାକି ଆଣିବାକୁ । ଅର୍ଜୁନ ପହଞ୍ଚିବା ପରେ ଶ୍ରୀକୃଷ୍ଣ ଦେହତ୍ୟାଗ କଲେ । ଅର୍ଜୁନ ଓ ଜାରା ଖୋଜି ଖୋଜି ଗୋଟିଏ ଅଗରୁ ବୃକ୍ଷ ଆଣି ସେଥିରେ ଜୁଇ ତିଆରି କଲେ ଏବଂ ଶ୍ରୀକୃଷ୍ଣଙ୍କ ଶରୀରର ଦହନପାଇଁ ଅଗ୍ନି ସଂଯୋଗ କଲେ । ଅଗରୁ ବୃକ୍ଷର କାଠ ଶେଷ ହୋଇଗଲା, କିନ୍ତୁ ଦିବ୍ୟ ପିଣ୍ଡ ଦଗ୍ଧ ହୋଇ ପାରିଲା ନାହିଁ । କେବଳ ଦୁଇ ହାତ, ଦୁଇ ଗୋଡ଼ ଓ ମସ୍ତକ ପୋଡ଼ିଯାଇଥିଲା । ଏହି ସମୟରେ ଶୂନ୍ୟରୁ ଦୈବୀବାଣୀ ହେଲା -

ଏ ପିଣ୍ଡି ବିଜେ କରିବ ନୀଳସୁନ୍ଦର ପରବତେ
ତହିଁରେ ପୂଜା ପାଇବେ ଦଶ ସହସ୍ର ବରଷ ପରିଯନ୍ତେ ।

୨୫୦ ଶ୍ରୀଜଗନ୍ନାଥ