ପୃଷ୍ଠା:ShreeJagannath.pdf/୨୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟ ଭୋଗମଣ୍ଡପର ଜୀଣୋଦ୍ଧାର ଓ ପଥର ଚଟାଣ ନିର୍ମାଣ କରାଇଥିଲେ । ଏହି ନିର୍ମାଣକାର୍ଯ୍ୟ ବୀରକେଶରୀଙ୍କ ୩୩ ଅଙ୍କରେ ହୋଇଥିଲା ।
ମାଦଳାପାଞ୍ଜି (ସଂ-ଆର୍ତ୍ତବଲ୍ଲଭରୁ ଜଣାଯାଏ ଯେ, ତା ୬-୧୦-୧୬୯୪ରେ ପ୍ରବଳ ଝଡ଼ତୋଫାନ ହେବା ହେତୁ ବଡ଼ ଦେଉଳ ଉପରୁ ନୀଳଚକ୍ର ଭାଙ୍ଗି ଭଣ୍ଡ ଗଣେଶଙ୍କ ଆଗରେ ତଳେ ପଡ଼ିଲା । ସବୁ ଦେଉଳ ଉପରୁ ପଥର ଚକମାନ ପଡ଼ିଲା ।’ ଦିବ୍ୟସିଂହ ଦେବ (୧ମ)ଙ୍କ ରାଜତ୍ୱ କାଳରେ ବଡ଼ଦେଉଳ ଉପରେ ଅଷ୍ଟଧାତୁର ନୂତନ ନୀଳଚକ୍ର ସ୍ଥାପନ କରାଗଲା । ଅଙ୍କ ଗଣନା ପ୍ରକାରେ ଏହି ସ୍ମରଣୀୟ ଘଟଣା ତା ୨୬-୧-୧୭୧୫ରେ ଘଟିଥିଲା ।
୧୮୭୫ ମସିହା ଜୁଲାଇ ମାସରେ ଯେତେବେଳେ ଦିଅଁମାନେ ରଥଯାତ୍ରାଯୋଗୁଁ ଗୁଣ୍ଡିଚା ଘରେ ଅବସ୍ଥାନ କରିଥିଲେ ସେତେବେଳେ ଶ୍ରୀମନ୍ଦିର ଗର୍ଭଗୃହର ଛାତରୁ ତିନିଟି ବଡ଼ ଓ ଶକ୍ତ ପଥର ଖଣ୍ଡ ଖସି ପଡ଼ିଲା । ଏଥିଯୋଗୁଁ ଅବଶ୍ୟ କେହି ମୃତାହତ ହୋଇ ନଥିଲେ । ପୁରୀ ରାଜା ଦିବ୍ୟସିଂହ ଦେବ ତୃତୀୟ ଖ୍ରୀ.୧୮୫୯-୧୮୮୮)ଙ୍କ ସମୟରେ ଏହି ଘଟଣା ଘଟିଥିଲା । ରାଜା ମରାମତି କାର୍ଯ୍ୟ କରାଇଥିଲେ । ତାଙ୍କର ଅନୁରୋଧରେ ସରକାର ପୂର୍ଣ୍ଣଚନ୍ଦ୍ର ସରକାର ନାମକ ଜଣେ ଓଭରସିଅରଙ୍କୁ ମରାମତି କାର୍ଯ୍ୟର ତଦାରଖ କରିବା ନିମନ୍ତେ ପଠାଇଥିଲେ ।
ଏହା ପରେ ୧୯୦୩ରୁ ୧୯୧୩ ମସିହା ମଧ୍ୟରେ ଶ୍ରୀମନ୍ଦିରର ମ୍ୟାନେଜର ତଥା ଡେପୁଟି ମାଜିଷ୍ଟ୍ରେଟ୍ ରାଜକିଶୋର ଦାସଙ୍କ ସମୟରେ ଶ୍ରୀମନ୍ଦିରରେ କେତେକ ମରାମତି କାର୍ଯ୍ୟ ହୋଇଥିଲା ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଭାରତ ସରକାର ତାଙ୍କର ବିଜ୍ଞପ୍ତି ସଂଖ୍ୟା ୨ ୩୪୭୨-ଏମ୍, ତା ୩-୨ -୧୯୭୫ରେ ଘୋଷଣା କଲେ (under the provisions of Section-4 of the Ancient Monuments and Archaeological Sites and remains Act, 1958) । ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (Archaeological Survey of India) ଶ୍ରୀମନ୍ଦିର ସମେତ ପାର୍ଶ୍ୱଦେବଦେବୀ ମନ୍ଦିରମାନ (subsidiary shrines)କୃର୍ମ ବେଢ଼ା, ମେଘନାଦ ପ୍ରାଚୀର ଓ ବେଢ଼ା ମଧ୍ୟରେ ଥିବା ଦୁଇଟି ଉପବନର ରକ୍ଷଣାବେକ୍ଷଣ ଦାୟିତ୍ବ ନେଲେ । ଯଦିଓ ପୂର୍ବରୁ ଦାୟିତ୍ବ ନେଇଥିଲେ କିନ୍ତୁ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା ଓ ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟରେ ଆବଶ୍ୟକ ଚୁକ୍ତି, ୨୨-୮୧୯୭୯ରେ ସ୍ବାକ୍ଷରିତ ହୋଇଥିଲା । ପରିଚାଳନା କମିଟି ତରଫରୁ ଶ୍ରୀମନ୍ଦିର ପ୍ରଶାସକ ଗଙ୍ଗାଧର ଦାସ ଚୁକ୍ତିରେ ସ୍ବାକ୍ଷର କରିଥିଲେ ।
ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏ.ଆସ୍. ଆଇ.) ତରଫରୁ ଗୋଟିଏ ବିଶେଷଜ୍ଞ କମିଟି (Expert Committee)ତାଙ୍କର ମହାନିର୍ଦ୍ଦେଶକ Director General)ଙ୍କ ଅଧ୍ୟକ୍ଷତାରେ ଗଠନ କରାଗଲା । ଏହି ବିଶେଷଜ୍ଞ କମିଟିକୁ ସାହାଯ୍ୟ କରିବାକୁ ବୈଷୟିକ (Technical) କମିଟି ଓ ସ୍ଥାନୀୟ (Local) କମିଟି ଗଠିତ ହେଲା । ବିଭିନ୍ନ କମିଟିର ବୈଠକମାନ ନିୟମିତ

ଶ୍ରୀଜଗନ୍ନାଥ ୨୬୭